Utkala Mirror I Odisha News, Latest Odia News

ଲିଙ୍ଗରାଜ ମନ୍ଦିର ଉପରେ ସନ୍ଦେହଜନକ ଡ୍ରୋନ୍ ଉଡ଼ିଲା

ଡ୍ରୋନ୍‌ ମାଲିକାନା ନେଇ ଯାଞ୍ଚ ଆରମ୍ଭ
ମନ୍ଦିର ପରିସରରେ ପାଟ୍ରୋଲିଂ ଓ ସୁରକ୍ଷା ବଢ଼ିଲା

ଓଡ଼ିଶାର ପ୍ରାଚୀନ ଓ ପବିତ୍ର ଲିଙ୍ଗରାଜ ମନ୍ଦିର ଉପରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଛି । ଏହି ଘଟଣା ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ନିରାପତ୍ତା ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି।  ପ୍ରାୟ ୧୫ ମିନିଟ୍ ଧରି ଏହି ଡ୍ରୋନ୍ ମନ୍ଦିର ଉପରେ ଉଡ଼ୁଥିବା ସ୍ଥାନୀୟ ଲୋକେ ଓ ମନ୍ଦିର କର୍ମଚାରୀମାନେ ଦେଖିଥିଲେ।
ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଏହି ଡ୍ରୋନ୍‌ ଉଡ଼ିଥିଲା।  ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା।  ଏହା ସତ୍ତ୍ବେ ମଧ୍ୟ ଡ୍ରୋନ୍‌ ଉଡ଼ୁଥିବାର ନଜରକୁ ଆସିଥିଲା । ଏହା ଦେଖିବା ପରେ ମନ୍ଦିର ସେବାୟତ ପୋଲିସକୁ ଅବଗତ କରିଥିଲେ।  ତେବେ ଏହି ଡ୍ରୋନ କିଏ ଓ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।
ସୂଚନା ଅନୁଯାୟୀ, ମନ୍ଦିର ପରିସରରେ ଥିବା କେତେକ ସେବାୟତ ଓ ଆଖପାଖରେ ରହୁଥିବା ଲୋକେ ଏକ ଆଲୋକିତ ବସ୍ତୁ ମନ୍ଦିର ଉପରେ ଉଡ଼ୁଥିବା ଦେଖିଥିଲେ । ପରେ ଏହା ଏକ ଡ୍ରୋନ୍ ବୋଲି ସ୍ପଷ୍ଟ ହୋଇଥିଲା।  ଡ୍ରୋନ୍‌ଟି ମନ୍ଦିରର ଗର୍ଭଗୃହ ଓ ଅନ୍ୟାନ୍ୟ ଅଂଶ ଉପରେ ବାରମ୍ବାର ଚକର ଦେଉଥିବା ଦେଖାଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ତେବେ ଡ୍ରୋନ୍‌ଟି କିଏ ଓ କାହିଁକି ଉଡ଼ାଇଥିଲା, ତାହା ରିପୋର୍ଟ ଲେଖା ହେବା ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହା କୌଣସି ଅନୁମତି ବିନା ଉଡ଼ାଯାଇଥାଇପାରେ, ଯାହା ନିରାପତ୍ତା ନିୟମର ଉଲ୍ଲଂଘନ ବୋଲି ପୋଲିସ ଅନୁମାନ କରୁଛି ।
ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରର ଏକ ପ୍ରମୁଖ ଧାର୍ମିକ ଓ ଐତିହାସିକ ସ୍ଥାନ ହୋଇଥିବାରୁ ଏହାର ନିରାପତ୍ତା ନେଇ ସର୍ବଦା ସତର୍କତା ଅବଲମ୍ବନ କରାଯାଇଥାଏ । ଏପରି ଏକ ସମ୍ବେଦନଶୀଳ ଅଞ୍ଚଳରେ ଅଜଣା ଡ୍ରୋନ୍‌ର ଉପସ୍ଥିତି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

 

ସେବାୟତ ସମାଜର ଜଣେ ସଦସ୍ୟ କହିଛନ୍ତି, ମନ୍ଦିର ଏକ ପବିତ୍ର ସ୍ଥାନ ଏବଂ ଏପରି ଘଟଣା ଆମ ସମସ୍ତଙ୍କୁ ଚିନ୍ତାରେ ପକାଇଛି।  ଏହାର ତୁରନ୍ତ ତଦନ୍ତ ହେବା ଦରକାର । ଏହି ଘଟଣା ପରେ ମନ୍ଦିର ପରିସରରେ ନିରାପତ୍ତା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୋଲିସ ଅତିରିକ୍ତ କର୍ମଚାରୀ ମୁତୟନ କରିବା ସହ ପାଟ୍ରୋଲିଂ ବଢ଼ାଇଛି ।
ଡ୍ରୋନର ମାଲିକାନା ଓ ଉଦ୍ଦେଶ୍ୟ ଚିହ୍ନଟ କରିବା ପାଇଁ ସାଇବର ସେଲ୍‌ ଓ ଟେକ୍ନିକାଲ ଟିମର ସହାୟତା ନିଆଯାଉଛି । ଏହି ଘଟଣା ମନ୍ଦିର ପରିସରରେ ଡ୍ରୋନ୍ ଉଡ଼ାଇବା ଉପରେ କଡ଼ା ନିୟମ ଲାଗୁ କରିବାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି । ନିୟମ ଅନୁସାରେ, ସମ୍ବେଦନଶୀଳ ଅଞ୍ଚଳ ଓ ଧାର୍ମିକ ସ୍ଥାନରେ ଅନୁମତି ବିନା ଡ୍ରୋନ୍ ଉଡ଼ାଇବାକୁ ନିଷିଦ୍ଧ କରାଯାଇଛି ।
ଏହା ଉଲ୍ଲଂଘନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।  ଅନ୍ୟପକ୍ଷରେ, ପୋଲିସ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ଅନୁରୋଧ କରିଛି ଏବଂ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛି ।
ଏହି ଘଟଣା ଲିଙ୍ଗରାଜ ମନ୍ଦିର ପରି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନରେ ଆଧୁନିକ ନିରାପତ୍ତା ବ୍ୟବସ୍ଥା ଯଥା ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି ଲାଗୁ କରିବାର ଆବଶ୍ୟକତାକୁ ଆଲୋକପାତ କରିଛି । ପୋଲିସ ଓ ମନ୍ଦିର ପ୍ରଶାସନ ଏହା ଉପରେ ଆଲୋଚନା କରୁଥିବା ଜଣାପଡ଼ିଛି । ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ଜୋନ ଏସିପି କହିଛନ୍ତି ।

Exit mobile version