ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ମଙ୍ଗଳବାର ଦାବି କରିଛି ଯେ ଆମେରିକାର ସାମ୍ପ୍ରତିକ ଟାରିଫ୍ ବୃଦ୍ଧିର ତାଙ୍କ ବ୍ୟବସାୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତଥାପି କମ୍ପାନୀ ଏବେ ଯୁକ୍ତରାଜ୍ୟ (ବ୍ରିଟେନ) ସହିତ ବାଣିଜ୍ୟ ଉପରେ ଗୁରୁତ୍ୱ ଦେଉଛି, ଯେଉଁଠାରେ ଶୂନ୍ୟ ଶୁଳ୍କ ରହିଛି । କମ୍ପାନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ପଟାଙ୍ଗୀ ବକ୍ସାଇଟ୍ ଖଣିରେ ଆସନ୍ତା ଜୁନ୍ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଚି । “ପଟାଙ୍ଗୀ ବକ୍ସାଇଟ୍ ଖଣି ପାଇଁ ଜିଓ-ଟେଣ୍ଡରିଂ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ପ୍ରଦାନ କରାଯିବ ଏବଂ ଖଣିଟି ଆସନ୍ତା ଜୁନ୍ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ମିଡିଆ କନେକ୍ଟ -୨୦୨୫ ସାମ୍ବାଦିକ ସମ୍ମିଳନୀରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ବ୍ରିଜେନ୍ଦ୍ର ପ୍ରତାପ ସିଂହ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଲାଭ ୭୭ ପ୍ରତିଶତ ବୃଦ୍ଧି ପାଇଛି । ଏହା ଗତ ବର୍ଷର ପ୍ରଥମ ତ୍ରୈମାସିକରେ ୬୦୧ କୋଟି ଟଙ୍କା ଥିବା ବେଳେ ଏବେ ୧,୦୬୪ କୋଟି ଟଙ୍କାରେ ପହଞ୍ଚିଛି । 2025-26 ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକରେ ରାଜସ୍ୱ ୩,୮୦୭ କୋଟି ଟଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀ ସିଂହ ଆହୁରି କହିଛନ୍ତି, “ଯୁକ୍ତରାଜ୍ୟରେ ଇଲେକ୍ଟ୍ରିକ ଗାଡ଼ି ଏବଂ ସୌର ପ୍ୟାନେଲ ଉତ୍ପାଦନ ପାଇଁ ଏକ ବଡ ବଜାର ରହିଛି, ଯେଉଁଗୁଡ଼ିକ ଆଲୁମିନିୟମ ଉପରେ ବହୁଳ ପରିମାଣରେ ନିର୍ଭର କରେ। ଏହା ଆମ ପାଇଁ ସେହି ଦେଶରେ ଆମର ଉପସ୍ଥିତିକୁ ବିସ୍ତାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, “ଆମେରିକାର ଟାରିଫ୍ ବୃଦ୍ଧି ନାଲକୋର ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବରଂ ଆମେ ଯୁକ୍ତରାଜ୍ୟରେ ସୁଯୋଗ ଅନୁସନ୍ଧାନ କରୁଛୁ, ଯେଉଁଠାରେ ଶୂନ୍ୟ ଶୁଳ୍କ ରହିଛି ।”୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନାଲକୋ ଦେଶର ବଜାରରେ ଆଲୁମିନା ଏବଂ ଆଲୁମିନିୟମର ସର୍ବାଧିକ ବିକ୍ରୟ ରେକର୍ଡ କରିଛି, ଯାହା ଦେଶର ଏବଂ ରପ୍ତାନି ବଜାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଥିବା ଶ୍ରୀ ସିଂହ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, କମ୍ପାନୀ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ପୋଟାଙ୍ଗୀ ବକ୍ସାଇଟ୍ ଖଣିରେ ଆସନ୍ତା ଜୁନ୍ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି। “ପୋଟାଙ୍ଗୀ ବକ୍ସାଇଟ୍ ଖଣି ପାଇଁ ଜିଓ-ଟେଣ୍ଡରିଂ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ପ୍ରଦାନ କରାଯିବ ଏବଂ ଖଣିଟି ଆସନ୍ତା ଜୁନ୍ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଏହି ଖଣି ବ୍ଲକ ୬୯୭.୯୭୯ ହେକ୍ଟର ଜମିରେ ବିସ୍ତୃତ ଏବଂ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩.୫ ନିୟୁତ ଟନ୍ ରହିଛି, ଯେଉଁଥିରେ ପ୍ରାୟ ୧୧୧ ନିୟୁତ ଟନ୍ ଖଣିଜ ଭଣ୍ଡାର ରହିଛି । ଏହି ଖଣିକୁ କାର୍ଯ୍ୟକ୍ଷମ କରିବା ପାଇଁ ନାଲକୋ ୧,୯୬୧ କୋଟି ଟଙ୍କା ବିନିଯୋଗ କରିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଅସୁତୋଷ ରଥ କହିଛନ୍ତି । ବର୍ତ୍ତମାନ ନାଲକୋ ପଞ୍ଚପାଟମାଳୀ ବକ୍ସାଇଟ୍ ଖଣି ପରିଚାଳନା କରୁଛି, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୭.୫ ନିୟୁତ ଟନ୍ (ଏମ୍ଟିପିଏ) ରହିଛି । ଏହା ଦାମନଯୋଡିରେ ଥିବା ୨.୧ ଏମ୍ଟିପିଏ ଆଲୁମିନା ରିଫାଇନାରୀ ଏବଂ ଅନୁଗୁଳରେ ୦.୪୬ ଏମ୍ଟିପିଏ ଆଲୁମିନିୟମ ସ୍ମେଲ୍ଟର ଏବଂ ୧,୨୦୦ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଣ୍ଟକୁ କଞ୍ଚାମାଲ ଯୋଗାଉଛି । ଭାରତରେ ଆଲୁମିନିୟମ ବ୍ୟବହାର ବର୍ଷକୁ ୨୦୩୦ ସୁଦ୍ଧା ୭.୫ରୁ ୮ ନିୟୁତ ଟନ୍ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବଜାରର ଚାହିଦା ପୂରଣ କରିବା ଏବଂ ବିଶ୍ୱ ଆଲୁମିନିୟମ କ୍ଷେତ୍ରରେ ନେତୃତ୍ୱ ସ୍ଥାପନ କରିବା ପାଇଁ ନାଲକୋ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି।
ସିଏମ୍ଡି ଆହୁରି ଜଣାଇଛନ୍ତି ଯେ, କମ୍ପାନୀ ୨୦୩୦ ସୁଦ୍ଧା ୩୪,୬୦୦ କୋଟି ଟଙ୍କା ନିବେଶ କରାଯାଇ ସଂମ୍ପ୍ରସାରଣ ଯୋଜନା ପ୍ରସ୍ତୁତ କରିଛି । ଏହି ସଂମ୍ପ୍ରସାରଣ ବିନିଯୋଗରୁ ୫,୬୦୦ କୋଟି ଟଙ୍କା କୋରାପୁଟ ଜିଲ୍ଲାର ଦାମନଯୋଡିରେ ୧ ଏମ୍ଟିପିଏ କ୍ଷମତା ସମ୍ପନ୍ନ ପଞ୍ଚମ ଷ୍ଟ୍ରିମ୍ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା କରିବ । ସେହିଭଳି ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ଅନୁଗୁଳ ଜିଲ୍ଲାରେ ୦.୫ ଏମ୍ଟିପିଏ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ୧୨,୦୦୦ କୋଟି ଟଙ୍କା ୧୦୮୦ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ।
ଏହି ସଂମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ସୁଦ୍ଧା ପ୍ରସ୍ତୁତ ହେବ ଏବଂ ନିର୍ଦ୍ଦେଶକ ମଣ୍ଡଳୀଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ ବୋଲି ଶ୍ରୀ ସିଂହ ଜଣାଇଛନ୍ତି। ବର୍ତ୍ତମାନ ଏହି କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ (ପିଏସ୍ୟୁ) କୋରାପୁଟ ଜିଲ୍ଲାର ଦାମନଯୋଡିରେ ୨.୧ ଏମ୍ଟିପିଏ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନାରୀ, ଅନୁଗୁଳରେ ୦.୪୬ ଏମ୍ଟିପିଏ ଆଲୁମିନିୟମ ସ୍ମେଲ୍ଟର ଏବଂ ୧୨୦୦ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଣ୍ଟ ପରିଚାଳନା କରୁଛି।
ଏହି କାର୍ଯ୍ୟକ୍ରମରେ ନାଲକୋ ନିର୍ଦ୍ଦେଶକ(ଉତ୍ପାଦନ) ପଙ୍କଜ କୁମାର ଶର୍ମା, ଜଗଦୀଶ ଅରୋରା, ନିର୍ଦ୍ଦେଶକ (ପ୍ରକଳ୍ପ ଓ ବୈଷୟିକ), ଡକ୍ଟର ତପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ) ଏବଂ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ଅର୍ଥ) ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ)ଅସୁତୋଷ ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।