Utkala Mirror I Odisha News, Latest Odia News

ନବୀନ ପଟ୍ଟନାୟକ ଅସୁସ୍ଥ, ଆଇସିୟୁରେ ଚିକିତ୍ସିତ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଭେଟିଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ପାଇଁ ରବିବାର ଅପରାହ୍ନ ୫ଟା ୧୫ ମିନିଟ୍ ରେ ତାଙ୍କୁ ସମ୍ ଅଲଟିମେଟରେ ଭର୍ତ୍ତି କରାଯାଇଛି । ତାଙ୍କର ଡିହାଇଡ୍ରେସନ୍ ହୋଇଛି ଏବଂ ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସାରେ ଭଲ ଭାବେ ସୁସ୍ଥ ହେଉଛନ୍ତି ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ସଂନ୍ଧ୍ୟାରେ ବିରୋଧୀଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବିଧାୟକ ବାବୁ ସିଂ ପହଞ୍ଚିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ବିରୋଧୀ ଦଳ ନେତା ଏବେ ଆଇସିୟୁରେ ଅଛନ୍ତି । ସେ ଏବେ ରେଷ୍ଟ ନେଉଛନ୍ତି । ଆମେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତରୀ ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିଛୁ । ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ଡିହାଇଡ୍ରେସନ ଯୋଗୁଁ ତାଙ୍କୁ ୫ ଟାରେ ସମ ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତରୀ ଦଳଙ୍କୁ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ପରାମର୍ଶ ଦେଇଛୁ । ଯଦି ଆବଶ୍ୟକ ପଡିବ ସରକାରଙ୍କ ପକ୍ଷରୁ ଏକ ଡାକ୍ତରୀ ଦଳ ବର୍ତ୍ତମାନ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କୁ ପରାମର୍ଶ କରିବେ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଶୁକ୍ରବାର ସଂଧ୍ୟାରେ ନବୀନ ଅସୁସ୍ଥ ଅନୁଭବ କରିବାରୁ ଏକ ଡାକ୍ତରୀ ଟିମ୍ ନବୀନ ନିବାସ ଆସି ତାଙ୍କର ପରୀକ୍ଷା କରିଥିଲେ । ତାଙ୍କୁ ହସ୍ପିଟାଲ୍ ଆଣିବା ପାଇଁ ପରାମର୍ଶ ଦେବା ପରେ ଆମ୍ବୁଲାନସ୍ ପହଞ୍ଚିଥିଲା । ହେଲେ କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ତାଙ୍କୁ ହସ୍ପିଟାଲ୍ ନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ଜୁନ୍ ୨୨ରେ ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ ଆଥ୍ରାଇଟିସ୍ ଅପରେସନ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହୋଇଥିଲା । ସେଠାରେ ୨୧ ଦିନ ରହିବା ପରେ ସୁସ୍ଥ ହୋଇ ଜୁଲାଇ ୧୨ରେ ଭୁବନେଶ୍ୱର ଫେରିଥିଲେ । ଏବେ ନବୀନଙ୍କ ଅସୁସ୍ଥତା ଖବର ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡା ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Exit mobile version