Utkala Mirror I Odisha News, Latest Odia News

ନବୀନଙ୍କ ହ୍ୱିପ, ଅନାସ୍ଥାରେ ଦଳୀୟ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା ପୌରପାଳିକାର ଉପାଧ୍ୟକ୍ଷ ପଦକୁ ବଜାୟ ରଖିବା ପାଇଁ ବିଜେଡି ପକ୍ଷରୁ କସରତ ଜାରି ରହିଛି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଚିଠି ଲେଖିଛନ୍ତି। ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ। ଆସନ୍ତାକାଲି (ଅକ୍ଟୋବର ୯) ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେବାକୁ ଦଳୀୟ କାଉନସିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଦଳୀୟ କାଉନସିଲରମାନେ ହ୍ବିପ୍ ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।


ବିଜେଡିର ନିର୍ବାଚିତ କିଛି କାଉନସିଲରମାନେ ବର୍ତ୍ତମାନ ଅଜ୍ଞାତବାସରେ ଥିବା ସୂଚନା ମିଳିଛି। ଏହି କାଉନସିଲରମାନେ ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ସମର୍ଥିତ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଭାସ୍କର ରାଓ ବିଜେଡି ଛାଡ଼ି ଦଳ ବିରୋଧରେ ବର୍ଷିଥିଲେ। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ଚିଠି ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଚିଠିରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ମ୍ୟୁନିସିପାଲ୍ (ସଂଶୋଧନ) ନିୟମାବଳୀ ୨୦୧୮ର ନିୟମ ୪୬ବି ଅନୁସାରେ ସେ ଏହି ହ୍ବିପ୍ ଜାରି କରିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାୟଗଡ଼ା ପୌରପାଳିକାର ସମସ୍ତ ବିଜେଡି ନିର୍ବାଚିତ କାଉନସିଲରମାନେ ଅକ୍ଟୋବର ୯ ତାରିଖ ସକାଳ ୧୧ଟାରୁ ପୌରପାଳିକା କାର୍ଯ୍ୟାଳୟରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବୈଠକରେ ଉପସ୍ଥିତ ରହିବେ ଏବଂ ଉପାଧ୍ୟକ୍ଷଙ୍କ ବିରୋଧରେ ଥିବା ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ଭୋଟ୍ ଦେବେ। ଯଦି କୌଣସି କାଉନସିଲର ଏହି ନିର୍ଦ୍ଦେଶ ଅମାନ୍ୟ କରନ୍ତି, ତେବେ ଏହାକୁ ଇଚ୍ଛାକୃତ ହ୍ବିପ୍ ଉଲ୍ଲଙ୍ଘନ ବୋଲି ବିବେଚନା କରାଯିବ ଏବଂ ନିୟମ ୪୬ବି ଅନୁସାରେ ସମ୍ପୃକ୍ତ ସଦସ୍ୟଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଚିଠି ବା ହ୍ବିପ୍ ନୋଟିସକୁ ସମସ୍ତ ଦଳୀୟ କାଉନସିଲରମାନଙ୍କୁ ପ୍ରଦାନ କରିବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଟିସ ପ୍ରଦାନ କରି ରେକର୍ଡ ପାଇଁ ଦଳୀୟ କାର୍ଯ୍ୟାଳୟକୁ ପଠାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version