ମାସାଧିକ କାଳ ଦିଲ୍ଲୀରେ ରହିବା ପରେ ଶୁକ୍ରବାର ସଂଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନବୀନ ନିବାସ ଫେରିଛନ୍ତି । ସେପ୍ଟେମ୍ବର ୭ରେ ସେ ଦିଲ୍ଲୀ ଯାଇଥିଲେ । ରାଜନୀତିରେ ପ୍ରବେଶ ପରେ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ଧରି ନବୀନ ଓଡ଼ିଶା ବାହାରେ ଥିଲେ । ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ସେ ଦିଲ୍ଲୀ ଯାଇଥିଲେ ବୋଲି କୁହାଯାଉଛି ।
ଏହା ପୂର୍ବରୁ ଓଡ଼ିଶା ବାହାରେ ନବୀନଙ୍କ ଲମ୍ବା ରହଣିର ଅବଧି ୨୧ ଦିନ ଥିଲା । ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ସେ ଜୁନ୍ ୨୦ରେ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ୍ ହୋଇଥିଲା । ଜୁଲାଇ ୭ ରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଜୁଲାଇ ୧୨ ରେ ଓଡ଼ିଶା ଫେରିଥିଲେ । ନବୀନ ନିବାସରେ ସେ ବିଶ୍ରାମ ନେଉଥିଲା ବେଳେ ଡିହାଇଡ୍ରେସନ୍ କାରଣରୁ ଅଗଷ୍ଟ ୧୭ ରେ ଭୁବନେଶ୍ୱରର ସମ୍ ଅଲଟିମେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୪ ଦିନ ଲାଗିଥିଲା । ନବୀନ ନିବାସରେ ବିଶ୍ରାମ ନେଉଥିଲା ବେଳେ ସେପ୍ଟେମ୍ବର ୭ରେ ଦିଲ୍ଲୀ ଚାଲିଗଲେ । କେବେ ଫେରିବେ କାହାରିକୁ ଜଣା ନ ଥିଲା ।
ଦିଲ୍ଲୀର ଡକ୍ଟର ଏପିଜେ ଅବଦୁଲ କାଲାମ (ଔରଙ୍ଗଜେବ) ରୋଡ୍ ସ୍ଥିତ ନିଜର ପୈତୃକ ଘରେ ସେ ଅବସ୍ଥାନ କରୁଥିଲେ । ୩୪ ଦିନର ରହଣି କାଳରେ ତାଙ୍କୁ କେତୋଟି ସାମାଜିକ/ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଖାନ୍ ମାର୍କେଟ୍ ଯାଇ ବହି କିଣାକିଣି କରିଥିଲେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିଥିଲେ । ତେବେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ନବୀନ ପଟ୍ଟନାୟକ କେବଳ ବିଜେଡିର ସଭାପତି ନୁହଁନ୍ତି, ସେ ହେଉଛନ୍ତି ବିରୋଧୀ ଦଳ ନେତା । ହେଲେ ଏଥର ବିଧାନସଭାର ମୌସୁମୀ ଅଧିବେସନରେ ବିଜେଡି ସଭାପତି ଅନୁପସ୍ଥିତ ରହିଥିବା ନେଇ ରାଜନୈତିକ ସମୀକ୍ଷକ ନାପସନ୍ଦ କରିଥିଲେ ।