Utkala Mirror I Odisha News, Latest Odia News

ନିଳକନ୍ଦରକୁ ଫେରିଲେ ନିଳାଦ୍ରୀ ମଣିମା

ନିଳକନ୍ଦରକୁ ଫେରିଲେ ନିଳାଦ୍ରୀ ମଣିମା। ବଡ଼ ଦାଣ୍ଡରେ ୧୨ ଦିନର ଲୀଳାଖେଳ ପରେ ମଙ୍ଗଳବାର ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିଛନ୍ତି । ସନ୍ଧ୍ୟାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ରାମ-କୃଷ୍ଣ, ମଦନମୋହନ ଶ୍ରୀମନ୍ଦିରକୁ ବିଜେ କଲା ପରେ ଶ୍ରୀବିଗ୍ରହମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।

ଶନିବାର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଶେଷ ପର୍ବ ନିଳାଦ୍ରୀ ବିଜେ ନୀତି ସରିଛି । ପୁଣି ନୀଳକନ୍ଦରକୁ ଫେରିଛନ୍ତି ଚତୁର୍ଦ୍ଧାମୂରତି । ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତି । ଏହାକୁ ଶ୍ରୀଜୀଉ ମାନଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ। ଶୁକ୍ରବାର ଦିନ ନୀଳାଦ୍ରି ବିଜେରେ ରଥ ଉପରେ ଠାକୁର ମାନଙ୍କ ସନ୍ଧ୍ୟା ଧୂପ ନୀତି ବଢିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥିଲା । ଏହା ପରେ ସିଂହାସନ ମାଜଣା କରାଯାଇ ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯାଉଥିବା ବେଳେ ନୀଳାଦ୍ରି ବିଜେରେ ମଧ୍ୟ ଗୋଟି ପହଣ୍ଡି ହୋଇ ଶ୍ରୀବିଗ୍ରହ ମାନେ ରତ୍ନ ସିଂହାସନକୁ ଫେରିଥିଲେ ।

ନୀଳାଦ୍ରି ବିଜେ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥିଲା ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିଲେ ମା ମହାଲଷ୍ମୀ। ତେଣୁ କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ମହାଲଷ୍ମୀ ବାଧା ଦେଇଥିଲେ । ହେଲେ ତା’ପୂର୍ବରୁ ଅଭିମାନୀନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ମହାବାହୁ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହୋଇଥିଲା । ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିଥିଲେ ।

ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏହି ରସଗୋଲା ଭୋଗ ହେବା ପରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପାଇଁ ସିଂହଦ୍ଵାର ଖୋଲିଥିଲା। ନୀଳାଦ୍ରି ବିଜେ ସହ ରଥଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା।

 

 

Exit mobile version