ନୂଆପଡ଼ା ରାଜନୀତି ଉଷ୍ମ, ବିଜେପି କାର୍ଡ କୁ ଅପେକ୍ଷା

ଉପନିର୍ବାଚନ ଘୋଷଣା ପୂର୍ବରୁ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳର ରାଜନୀତି ସରଗରମ ହୋଇଛି । ବିଜେଡି ନିଜର ପ୍ରାର୍ଥୀ ଭାବେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରିବା ଏକରକମ ସ୍ପଷ୍ଟ ହୋଇଥିବାବେଳେ କଂଗ୍ରେସ ମଧ୍ୟ ନିଜର ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇସାରିଛି । ମାତ୍ର ଶାସକ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ କିଏ ହେବ ସେ ନେଇ କାର୍ଡ ଖୋଲୁନାହିଁ । ଦଳର ଗୋଟିଏ ଗୋଷ୍ଠୀ ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପୁଣିଥରେ ସେଠାରେ ଉପନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କର ସ୍ଥାନୀୟ ଅଂଚଳରେ ୨୦ରୁ ୨୫ହଜାରର ନିଜସ୍ୱ ଭୋଟବ୍ୟାଙ୍କ ଥିବାବେଳେ ବିଜେଡି ପ୍ରାର୍ଥୀ ଜୟ ନିଜର ପିତାଙ୍କ ଦେହାନ୍ତର ସହାନୁଭୂତି ଭୋଟ୍ ମାଧ୍ୟମରେ ଜିତିବାକୁ ଆଶାବାଦୀ ଅଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ପ୍ରଥମଥର ପାଇଁ ଉପନିର୍ବାଚନ ହେଉଥିବାରୁ ଏହାକୁ ଜିତିବା ଶାସକ ବିଜେପି ନିମନ୍ତେ ସମ୍ମାନର ପ୍ରଶ୍ନ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ଜିତିବାକୁ ସୁନିଶ୍ଚିତ କରାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ଆସନ୍ତା ନଭେମ୍ବର ୧୧ତାରିଖରେ ନୂଆପଡ଼ା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ ଓ ଆଜିଠୁ ନୂଆପଡ଼ାରେ ତତ୍କାଳ ପ୍ରଭାବରୁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ସେପ୍ଟେମ୍ବର ୮ରେ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନ ହେଉଛି । ତେବେ ତିନି ଦଳ ପକ୍ଷରୁ ଏପର୍ଯ୍ୟନ୍ତ ନିଜ ନିଜ ଦଳର ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଉପ ନିର୍ବାଚନ ରେଜଲ୍ଟ ନେଇ ବୟାନବାଜୀ ଜାରିରହିଛି । ବିଜେପି ଓ କଂଗ୍ରେସ ନୂଆପଡା ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିବା ବେଳେ ବିଜେଡି ନେତ୍ରୀ ଟୁକୁନି ସାହୁ ନିର୍ବାଚନ ଅଛି ବୋଲି ସରକାର ନୂଆପଡ଼ା ଯାଇ ବାହାବା ନେବେ ଭାବୁଛନ୍ତି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ଲୋକ ଜାଣି ସାରିଲେଣି ଏ ମିଛୁଆ ସରକାର ମିଛ କଥା କହିବେ । ଏ କେବଳ କଥା କହିବେ କାମ କରିବେନି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମ ଓଡିଶା ଲୋକଙ୍କୁ ସରକାର ଭୁଆଁ ବୁଲେଇ ପାରିବେନି । ନୂଆପଡ଼ାରେ ବିଜେଡି ଜିତିବ । ନବୀନ ବାବୁ ଯାହାକୁ ପ୍ରାର୍ଥୀ କରିବେ ସେ ଜିତିବ । ଶଙ୍ଖ ଚିହ୍ନ ଲୋକପ୍ରିୟତା ସାଉଁଟିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଟୁକୁନି ସାହୁ ।