Utkala Mirror I Odisha News, Latest Odia News

ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେବାକୁ ବରିଷ୍ଠଙ୍କୁ ନବୀନଙ୍କ ନିର୍ଦ୍ଦେଶ

 ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିକୁ ଯିବା ପରେ ବିଜେଡିକୁ ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଚିନ୍ତା ଘାରିଛି। ଜୟଙ୍କୁ ପ୍ରାର୍ଥୀ କରି ନୂଆପଡ଼ାରେ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିଲା ବିଜେଡି। ହେଲେ ଜୟ ଢୋଲକିଆ ବିଜେପିକୁ ଗଲା ପରେ ଦକ୍ଷ ପ୍ରାର୍ଥୀ ଖୋଜିବାକୁ ବିଜେଡି ଅଣ୍ଟା ଭିଡିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ କମିଟି ଗଠନ କରି ବରିଷ୍ଠ ନେତାଙ୍କୁ ନୂଆପଡା ଯାଇ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେବାକୁ ଦାୟିତ୍ବ ଦେଇଛନ୍ତି । ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ବିଶ୍ବ ରଞ୍ଜନ ମଲ୍ଲିକଙ୍କ ଭଳି ନେତାଙ୍କ ଉପରେ ନବୀନ ପ୍ରାର୍ଥୀ ବାଛିବାର ଗୁରୁଦାୟିତ୍ବ ନ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ପ୍ରାର୍ଥୀ ମନୋନୟନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ଓ ବିଶ୍ବ ରଞ୍ଜନ ମଲ୍ଲିକଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ନୂଆପଡା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନେତାମାନେ ନୂଆପଡ଼ା ଯାଇ ସେଠାକାର ସ୍ଥିତି ଦେଖି ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। ନବୀନଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେତାମାନେ ପ୍ରଦାନ କରିବେ। ସେଥିରୁ ଜଣଙ୍କ ନାଁରେ ନବୀନ ମୋହର ମାରିବା ସହ ପ୍ରାର୍ଥୀ ଘୋଷଣା କରିବେ ବୋଲି ଜଣାପଡ଼ିଛି। ବିଜେଡିର ପ୍ରାର୍ଥୀ ଦୌଡ଼ରେ ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ଯୋଶୀ ରହିଛନ୍ତି, ସେ ସ୍ବର୍ଗତ ଢୋଲକିଆଙ୍କ ବଡ଼ ସହଯୋଗୀ ଥିଲେ। ଦଳ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ରହିଥିବା ଚର୍ଚ୍ଚା ହେଉଛି। ସେହିପରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ପୂର୍ବତନ ଜିଲା ବିଜେଡି ସଭାପତି ମନୋଜ ମିଶ୍ରଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି। ଏହାଛଡ଼ା ବିଜେପିରୁ ଅସନ୍ତୁଷ୍ଟ ନେତାଙ୍କ ଉପରେ ମଧ୍ୟ ବିଜେଡି ନଜର ରଖିଥିବା କୁହାଯାଉଛି। ବିଜେଡି ବିଧାୟକ ବିଶ୍ବ ରଞ୍ଜନ ମଲ୍ଲିକ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି। ବିଜେପି ରାଜ୍ୟରେ ପ୍ରଥମ କରି ସରକାର ଗଠନ କରିଥିଲେ ବି ତାଙ୍କ ପାଖରେ ପ୍ରାର୍ଥୀ ନାହାନ୍ତି। ଏଥିରୁ ବିଜେପିର ପରିସ୍ଥିତି କ’ଣ ରହିଛି, ତାହା ବୁଝାପଡ଼ୁଛି। ଏବେବି ବିଜେଡିର ସଂଗଠନ ସୁଦୃଢ଼ ରହିଛି। ଦଳର ବରିଷ୍ଠ ନେତାମାନେ ନୂଆପଡ଼ା ଯାଇ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ। କାହାକୁ ପ୍ରାର୍ଥୀ କଲେ ଦଳ ଜିତିବ, ସେନେଇ ଆଲୋଚନା କରାଯିବ। ତୃଣମୂଳସ୍ତରର ନେତା ଓ କର୍ମୀ ଯାହା ନାଁ ସ୍ଥିର କରିବେ, ତାହା ଉପରେ ନବୀନ ପଟ୍ଟନାୟକ ମୋହର ମାରିବେ। ରାଜେନ୍ଦ୍ର ଢୋଲକିଆଙ୍କ ଲୋକପ୍ରିୟତା ଥିଲା। ସେ ବିଜେଡି ଓ ଶଙ୍ଖ ଚିହ୍ନରୁ ଜିତିଥିଲେ। ତେଣୁ ବିଜେଡି ସହ ଲୋକ ଅଛନ୍ତି। ବିଜେଡି ସେଠାରେ ଯାହାକୁ ପ୍ରାର୍ଥୀ କରିବ, ଭଲ ଭୋଟ୍ ବ୍ୟବଧାନରେ ସେ ଜିତିବେ। ରାଜ୍ୟରେ କଂଗ୍ରେସର ଅବସ୍ଥା ନାହିଁ। ନୂଆପଡ଼ାରେ ବିଜେଡି ଏକନମ୍ବର, ବିଜେପି ଦ୍ବିତୀୟ ଏବଂ କଂଗ୍ରେସ ତୃତୀୟ ସ୍ଥାନରେ ରହିବ

Exit mobile version