ଏକ ତରଫା ପ୍ରେମର ଶିକାର ହୋଇ ବିଷପାନ କରିଥିବା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳର ଚର୍ଚ୍ଚିତ ବିଏସସି ନର୍ସିଂ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶନିବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ)ରେ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରବିବାର ମୃତ ଛାତ୍ରୀଙ୍କର ବ୍ୟବଚ୍ଛେଦ ହେବ, ପରେ ମୃତଦେହ ଛାତ୍ରୀଙ୍କ ଗାଁକୁ ଯିବ ଓ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
ଏକ ତରଫା ପ୍ରେମ ନିରୀହ ଛାତ୍ରୀର ଜୀବନ ନେଇଥିବା ଅଭିଯୋଗ ହୋଇଛି ଏହି ପ୍ରେମରେ ପଡ଼ିଥିବା ଯୁବକର ଅମାନୁଷିକ କାର୍ଯ୍ୟକୁ ସହି ନପାରି ବିଏସସି ନର୍ସିଂ ଛାତ୍ରୀ ବିଷପିଇ ଦେଇଥିବା ରାଇଘର ଥାନାରେ ଅଭିଯୋଗ ହୋଇଛି । ଯୁବକଙ୍କ ଦ୍ବାରା ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣକ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ଶେଷରେ ବିଷ ପିଇଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଜୁଲାଇ ୧୩ ତାରିଖ ଦିନ ବଜାରକୁ ସଉଦା କିଣିବାକୁ ଯାଇଥିବାବେଳେ ଏକତରଫା ଭଲ ପାଉଥିବା ଅଭିଯୁକ୍ତ ସତ୍ୟଜିତ ସରକାର ରାସ୍ତାରେ ମାଡ଼ ମାରିଥିଲା। ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲି ଯାଇଥିବାବେଳେ ରକ୍ତାକ୍ତ ଅବସ୍ଥାରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ସତ୍ୟଜିତକୁ ଅଟକ ରଖିବା ପରେ ସର୍ତ୍ତମୂଳକ ଭାବେ ଛାଡ଼ିଥିଲା ।ଅଭିଯୁକ୍ତ ଜଣକ ପ୍ରତିଶୋଧ ପରାୟଣ ହୋଇ ପୀଡିତାଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲା।
ନିଜ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ପୀଡିତା ଲୋକାଲଜ୍ଜା ସହି ନପାରି ଜୁଲାଇ ୧୭ ତାରିଖରେ ଘାସମରା ଔଷଧ (ବିଷ) ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘର ଲୋକ ଜାଣିପାରି ତାଙ୍କୁ ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋଣ୍ଡାଗାଁ ଓ ପରେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା କାରଣରୁ ଜୁଲାଇ ୨୧ରେ ପରିବାର ଲୋକେ ପୀଡିତାଙ୍କୁ ଘରକୁ ନେଇ ଯାଇଥିଲେ।
ସେହି ଦିନଠାରୁ ପୀଡିତା ଘରେ ମରଣ ସହ ସଂଗ୍ରାମ କରି ଆସୁଥିବାବେଳେ ରାଇଘର ଥାନାରେ ପୀଡିତାଙ୍କ ଦାଦା ଲିଖିତ ଅଭିଯୋଗ କରିବା ପରେ ପୋଲିସ ପୀଡିତାଙ୍କ ବୟାନ ନେଇଥିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରି ପୀଡ଼ିତାଙ୍କୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା। ପୋଲିସ ଏହି ମାମଲାରେ ଏଯାବତ୍ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।