ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସର ଭିତରେ ଆକ୍ରମଣ କରିବା ଘଟଣା ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ ଓଏଏସ୍ ସଂଘ ବୁଧବାର ସମୂହ ଛୁଟି ନେଇଛି। ଯେପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଗିରଫ ନହୋଇଛି ଏବଂ ସରକାରଙ୍କ ପକ୍ଷରୁ ଅଧିକାରୀଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ମିଳିନାହିଁ ସେପର୍ଯ୍ୟନ୍ତ ଓଏଏସ୍ ସଂଘ ଛୁଟିରେ ରହିବ ବୋଲି ଚେତାବନୀ ଦେଇଛି।
ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଏଏସ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କାରଣରୁ ମଙ୍ଗଳବାର ଦିନ ତମାମ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଜିଲ୍ଲାସ୍ତରଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଓଏଏସ୍ ଅଧିକାରୀମାନେ ବୈଠକରେ ଲିପ୍ତ ରହିଥିବାବେଳେ ବୁଧବାର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଏପରିକି ଲୋକସେବା ଭବନରେ ବିଭିନ୍ନ ବିଭାଗରେ ମଧ୍ୟ ଓଏଏସ୍ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇନଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଯଦି ସରକାର ସଂଘର ପ୍ରତିଶ୍ରୁତି ରକ୍ଷା କରିବାରେ ବିଳମ୍ବ କରିବେ ତେବେ ପରିସ୍ଥିତି ଜଟିଳ ହେବ ବୋଲି ଅଧିକାରୀମାନେ କହୁଛନ୍ତି ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲ୍ଲାସ୍ତରରେ ଓଏଏସ୍ ସଂଘ ପକ୍ଷରୁ ଜିଲ୍ଲାପାଳ ଏବଂ ଆରଡିସିଙ୍କୁ ଏସଂକ୍ରାନ୍ତରେ ସ୍ମାରକପତ୍ର ପ୍ରଦାନ କରାଯାଇଥିବାବେଳେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ତିନିଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଓଏଏସ୍ ସଂଘର ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଏବଂ ସାଧାରଣ ସମ୍ପାଦକ ବିଜୟ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଯେଭଳି ଅମାନୁଷିକ ଆକ୍ରମଣ ହେଲା ତାହା ଅତ୍ୟନ୍ତ ନିନ୍ଦନୀୟ। ଦିନ ଦ୍ୱିପ୍ରହରେ ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଏହି ଆକ୍ରମଣ ହେବା ଯୋଗୁଁ କେବଳ ଯେ ଜଣେ ଅଧିକାରୀଙ୍କୁ ଏହା ମାଡ ବୋଲି କୁହାଯିବ ତାହା ନୁହେଁ, ଏହାଦ୍ୱାରା ତାଙ୍କର ସମ୍ମାନରେ ଆଞ୍ଚ ଆସିଛି। ଏହି ଘଟଣାକୁ ନେଇ ଅଧିକାରୀଙ୍କ ମାସିନକତା ଉପରେ ଗଭୀର ଆଘାତ ଲାଗିଛି। ଯଦି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରା ନଯିବ ତେବେ ପରବର୍ତ୍ତୀ ସମୟରେ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ସମ୍ପାଦନା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉ। ଏହାସହିତ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ କାର୍ଯ୍ୟସ୍ଥଳରେ ସୁରକ୍ଷା ଯୋଗାଇ ଦିଆଯାଉ। ଏହାସହି
ତ ସରକାରଙ୍କ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ଗୋଟିଏ ପଟେ ଓଏଏସ୍ ସଂଘର ଏହି ଆନ୍ଦୋଳନ ଜିଲ୍ଲା ଓ ରାଜ୍ୟସ୍ତରରେ ତୀବ୍ର ହେଉଥିବାବେଳେ ଅନ୍ୟପକ୍ଷରେ ସାଧାରଣ ଲୋକେ ସେମାନଙ୍କ ସରକାରୀ ସହାୟତା ଏବଂ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏକ୍ଷେତ୍ରରେ ସରକାରଙ୍କ ନିଷ୍ପତ୍ତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି
।