15°C Bhubaneswar
April 17, 2025
ରାଜନୀତି ରାଜ୍ୟ

ଓଡିଆ ଅସ୍ମିତା କାହାରି ଠିକାଦାରୀ ନୁହେଁ

  • September 10, 2024
  • 1 min read
  • 37 Views
ଓଡିଆ ଅସ୍ମିତା କାହାରି ଠିକାଦାରୀ ନୁହେଁ

ଭୁବନେଶ୍ବର: ବିଧାନସଭାରେ ବ୍ୟୟମଞ୍ଜୁରୀ ଆଲୋଚନାରେ ବିରୋଧୀ ସଦସ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଆ ଅସ୍ମିତା କାହାର ଠିକାଦାରୀ ନୁହେଁ। ଯଦି ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ତାହେଲେ ମହାନଦୀ, ପୋଲାଭରମ, ବଂଶଧାରା, ସୁବର୍ଣ୍ଣରେଖା ଓ କୋଟିଆ ସମସ୍ୟାର ସମାଧାନ କରନ୍ତୁ । ୨୪ ବର୍ଷର କଥା କହି ବିଜେପି ସଦସ୍ୟ ଗାଈର ଆତ୍ମ କାହାଣୀ ନା ଲେଖି, ଆଗକୁ ବଢନ୍ତୁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।

ଶ୍ରୀ ସାହୁ ବ୍ୟୟମଞ୍ଜୁରୀ ବିଲ ଆଲୋଚନାକୁ ଆରମ୍ଭ କରି କହିଛନ୍ତି ଯେ, ବିଜେପି ସଦସ୍ୟ ଗୃହରେ ୨୪ ବର୍ଷରେ କିଛି ହୋଇନି ବୋଲି ବହୁ ଚିତ୍କାର କରୁଛନ୍ତି । ୨୦୦୦ ମସିହାରେ ଯେତେବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ ହେଲା ସେତେବେଳେ ବଜେଟର ଦେଢ଼ ଗୁଣ ଅଧିକ ଋଣ ଥିଲା । ସେତେବେଳେ ରାଜ୍ୟ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ହାତ ପତାଇଥିଲେ । ଏବେ ଅନ୍ୟ ରାଜ୍ୟକୁ ଓଡ଼ିଶା ସହଯୋଗର ହାତ ବଢ଼ାଇବାରେ ସକ୍ଷମ ହୋଇପାରିଛି। ୨୪ ବର୍ଷ ମଧ୍ୟରେ ଓଡିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୦୦ ରେ ବିତ୍ତୀୟ ନିଅଣ୍ଟ ଜିଏସଡିପିର ୮ ପ୍ରତିଶତ ଥିଲା । ୨୦୨୪ ରେ ଏହା -୩ ରହିଛି । ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଆଗରେ ରହିଛି। ଆଉ ରାଜ୍ୟରେ ଓଭର ଡ୍ରାଫ୍ଟ ନାହିଁ ।

କେନ୍ଦ୍ର ସରକାର ବଣ୍ଡ(ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବଣ୍ଡ)ରେ ଓଡ଼ିଶା ପକ୍ଷରୁ ବିଜେଡି ସରକାର ସମୟରେ ୪୮ ହଜାର କୋଟି ଟଙ୍କା ରଖାଯାଇଛି । ୧୮ ହଜାର କୋଟି ଟଙ୍କାର ବଜେଟ ଷ୍ଟାବିଲାଇଜେସନ ଫଣ୍ଡ ପୂର୍ବ ସରକାର ସୃଷ୍ଟି କରିଛନ୍ତି । ଯାହାକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରାଯାଇପାରିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ସରକାରରେ ଏସବୁ ସମ୍ଭବ ହୋଇପାରିଛି। ପୂର୍ବ ସରକାର ଆଣିଥିବା କାମଚଳା ବଜେଟ ପରେ ବର୍ତ୍ତମାନ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିଲେ ଏହା ମଧ୍ୟରେ ୬ ମାସ ବିତିଗଲାଣି । ସରକାର ଏହି ଅର୍ଥ ଖର୍ଚ୍ଚ କରିପାରିବେ କି ନାହିଁ ତାହା ସନ୍ଦେହରେ । ଏହି ୨୪ ବର୍ଷ ବିଜେଡି ସରକାର ସମୟରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ବିକାଶ ହୋଇଛି। ବିଜେପି ସଦସ୍ୟ କହୁଛନ୍ତି ବିଜେଡି ସରକାର ଆବାସ ଯୋଜନା ପାଇଁ ଚାଷୀଙ୍କ ତାଲିକା ଦେଲେ ନାହିଁ । ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲାଣି ଏବେ ସେ ୪୬ ଲକ୍ଷ୍ୟ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନାରେ ସାମିଲ କରନ୍ତୁ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ତାଲିକା ପଠାଯାଇଥିଲା । ଯଦି ପାରିବେ ଏବେ କରନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ, ରାଜ୍ୟରେ ସରକାର ଅନୁସୁଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କଲେନାହିଁ । ରାଜ୍ୟରେ ଗରିବଙ୍କ ସଂଖ୍ୟା ବଢ଼ିଚାଲିଛି । ଦାଦନରେ ଏକ ନମ୍ବର । ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ । ଡାକ୍ତର ଅଭାବ। କେନ୍ଦ୍ରକୁ ରେଳ କ୍ଷେତ୍ରରୁ ଓଡ଼ିଶାରୁ ସିଂହ ଭାଗ ଯାଉଛି, ହେଲେ ପ୍ରତିବଦଳରେ କମ୍ ମିଳୁଛି। ଖଣିଜ ସଂପଦ ଅଞ୍ଚଳର ବିକାଶ ପଛରେ ପଡ଼ିଛି । ସରକାର ବେଦାନ୍ତ, ହିଣ୍ଡାଲକୋ ଭଳି କମ୍ପାନୀକୁ ଅନୁକମ୍ପା ଦେଖାଇଛନ୍ତି । ପ୍ରାଥମିକ ଶିକ୍ଷା ଏବେ ବି ବହୁ ଅଞ୍ଚଳରେ ଠିକ୍ ଭାବେ ଉପଲବ୍ଧ ନାହିଁ । ଖାଲି ନାଁ ବଦଳିଲେ ହେବନି। କୋଟିଆ, ପୋଲାଭରମ ପ୍ରଭାବିତଙ୍କୁ ନ୍ୟାୟ ଦେବା ମଧ୍ୟ ଓଡ଼ିଆ ଅସ୍ମିତା କଥା । ସରକାର ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ।

ଆଲୋଚନାରେ ଅଂଶ ଗ୍ରହଣ କରି ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣ ପରିମାଣ ବହୁତ୍ କମ୍ ରହିଛି । କେନ୍ଦ୍ର ସରକାର କହୁଛନ୍ତି ୨୦୪୭ ସୁଦ୍ଧା ୩୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ଭାରତ ପହଞ୍ଚିବ। ଏହା ସମ୍ଭବ ହେଲା ଭଳି ଲାଗୁନାହିଁ । ଓଡ଼ିଶା ୧ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଁଚି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାହା ସମ୍ଭବ ନୁହେଁ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ନିଯୁକ୍ତି ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଏବେ ଆମ ରାଜ୍ୟ ପାଇଁ ଆୟର ସମସ୍ୟା ନାହିଁ । ଏବେ ଆମକୁ ବ୍ୟୟ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗ୍ରାମୀଣ ଅର୍ଥନୀତିର ବିକାଶ ହୋଇପାରିଲେ ଦୃତ ଅଭିବୃଦ୍ଧି ହୋଇପାରିବ ।

Leave a Reply

Your email address will not be published. Required fields are marked *