ପୁରୁଣା ଏବଂ ଅନାବଶ୍ୟକ ଯୋଜନା ବନ୍ଦ ହେବ

ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରତି ସୋମବାର କୌଣସି ବିଭାଗରେ ସରକାରୀ ବୈଠକ ହୋଇପାରିବ ନାହିଁ। ଏହି ଦିନଟିକୁ କେବଳ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଉତ୍ସର୍ଗ କରାଯିବ। ଜନସାଧାରଣଙ୍କ ସମସ୍ୟାର ତ୍ବରିତ ସମାଧାନ ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକଙ୍କ ଅଭିଯୋଗକୁ ସର୍ବାଧିକ ଗୁରୁତ୍ବ ଦେବା ପାଇଁ ଏକ ସ୍ବଚ୍ଛ ବ୍ୟବସ୍ଥା ଗଠନ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି।
ଏହାସହ ପୁରୁଣା ଏବଂ ଅନାବଶ୍ୟକ ଯୋଜନାଗୁଡ଼ିକୁ ବନ୍ଦ କରାଯିବ ଏବଂ ସମାନ ପ୍ରକାରର ଯୋଜନାଗୁଡ଼ିକୁ ଗୋଟିଏ ଯୋଜନାରେ ଏକତ୍ରିତ କରାଯାଇ ସହଜ ନିରୀକ୍ଷଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। ପ୍ରତ୍ୟେକ ବିଭାଗରେ ଯୋଜନାଗୁଡ଼ିକର ସଂଖ୍ୟାକୁ ଯୁକ୍ତିଯୁକ୍ତ କରାଯିବ। ପ୍ରଶାସନିକ ବିଭାଗଗୁଡ଼ିକର ସଚିବମାନେ ଯୋଜନାଗୁଡ଼ିକର ସଂଖ୍ୟା ସମୀକ୍ଷା କରି କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ତାହାକୁ ଯୁକ୍ତିଯୁକ୍ତ କରିବେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତ ୧୫ ତାରିଖରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏନେଇ ଆଲୋଚନା ହେବା ସହ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ସୋମବାର ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏହିଦିନ ସରକାରୀ ବୈଠକ ନ କରିବାକୁ ନିଷ୍ପତ୍ତି ହୋଇଛି। ଅଭିଯୋଗ ଶୁଣାଣି ସମୟରେ ଅଧିକାରୀମାନେ ଅନ୍ୟ କୌଣସି ପ୍ରଶାସନିକ ବୈଠକରେ ବ୍ୟସ୍ତ ରହିବା ଅନୁଚିତ୍। ସୋମବାର ଦିନ ବିଭିନ୍ନ ବିଭାଗ କେବଳ ଲୋକଙ୍କ ସୁବିଧା-ଅସୁବିଧା ଶୁଣିବେ ଏବଂ ତାହାର ସମାଧାନ କରିବେ। ଏହାଦ୍ୱାରା ସରକାରଙ୍କ ଉତ୍ତରଦାୟିତ୍ବ ବଢ଼ିବା ସହ ସାଧାରଣ ଜନତାଙ୍କ ମଧ୍ୟରେ ସରକାରୀ ବ୍ୟବସ୍ଥା ଉପରେ ଭରସା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥିସହ ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନାଗୁଡ଼ିକର ଅଗ୍ରଗତି ପରଖିବା ପାଇଁ ଏକ ନୂଆ ନିୟମ ହୋଇଛି। ପ୍ରତି ମାସର ତୃତୀୟ ଶନିବାର ଦିନ ବିଭାଗଗୁଡ଼ିକ ୧୦-୧୧ଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିବେ। ଏହାଦ୍ୱାରା ଯୋଜନାଗୁଡ଼ିକ ଠିକ୍ ସମୟରେ ଏବଂ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଜଣାପଡ଼ିବ। ସେହିପରି ପ୍ରତି ମାସର ତୃତୀୟ ମଙ୍ଗଳବାର ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ଏବଂ ବୁଝାମଣା ସ୍ବାକ୍ଷରିତ ହୋଇଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ। ପ୍ରତ୍ୟେକ ବିଭାଗ ଏହି ନିର୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବେ ଏବଂ ଅଭିଯୋଗ ଶୁଣାଣିର ଫଳାଫଳ ବାବଦରେ ନିୟମିତ ରିପୋର୍ଟ ଦେବେ।