Utkala Mirror I Odisha News, Latest Odia News

ଏମ୍ସରେ ଉତ୍ତେଜନା, ୧୬୩ ଧାରା ଲାଗୁ, ବିଜେଡି- କଂଗ୍ରେସ ସହ ବିଜେପି କର୍ମୀ ମୁହାଁମୁହିଁ

ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୋଡ଼ି ଦିଆଯାଇଥିବା ଘଟଣାକୁ ନେଇ ଭୁବନେଶ୍ୱର ଏମ୍ସ ପରିସର ରାଜନୈତିକ ସଂଘର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି। ଏମ୍ସର ବର୍ଣ୍ଣ ୟୁନିଟ୍‌ ନିକଟରେ ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ପୋଲିସ ହଟାଇବା ପରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ବିଜେପି କର୍ମୀଙ୍କ ସହ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର କଥା କଟାକଟି ଓ ଆରୋପ-ପ୍ରତ୍ୟାରୋପ ଜାରି ରହିଛି।
ବିଜେଡି ନେତା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ଯେ, ଜଣେ ବିଜେପି ନେତ୍ରୀ ବିଜେଡି ନେତ୍ରୀଙ୍କୁ ଗୋଇଠା ମାରିଥିବା ଘଟଣା ଉତ୍ତେଜନାକୁ ଆହୁରି ବଢ଼ାଇଛି।ପୋଲିସ ଏମ୍ସ ବର୍ଣ୍ଣ ୟୁନିଟ୍‌କୁ ନିଷିଦ୍ଧାଞ୍ଚଳ ଘୋଷଣା କରି ୧୬୩ ଧାରା ଲାଗୁ କରିଛି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସୁରକ୍ଷା ନିଶ୍ଚିତ କରିବା ପାଇଁ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଜେପି, ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନାରାବାଜି ଓ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି।ଏମ୍ସ ନିର୍ଦ୍ଦେଶକଙ୍କ ଅନୁଯାୟୀ, ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଛି, ଯାହା ଦ୍ୱିତୀୟ ଓ ତୃତୀୟ ଡିଗ୍ରୀ ବର୍ଣ୍ଣ ଅଟେ। ବର୍ତ୍ତମାନ ସେ ଆଇସିୟୁରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି। ଆସନ୍ତା ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ନିର୍ଦ୍ଦେଶକ କହିଛନ୍ତି। ପୀଡ଼ିତା କଥାବାର୍ତ୍ତା କରୁଛନ୍ତି, କିନ୍ତୁ ମାନସିକ ଅବସାଦରେ ଅଛନ୍ତି ଏବଂ ତାଙ୍କ ରକ୍ତଚାପ କମ୍‌ ରହିଛି। ପୁରୀ ପୋଲିସ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରେକର୍ଡ କରିଛି। ଏହି ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି ଏବଂ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି, ଯାହା ଆଗାମୀ ଦିନରେ ଆହୁରି ଜୋରଦାର ହେବ ବୋଲି ଆକଳନ କରାଯାଉଛି।

Exit mobile version