Utkala Mirror I Odisha News, Latest Odia News

୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପ ମଞ୍ଜୁର : ୧୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସମ୍ଭାବନା

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ୧୩୭ ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁସିଏ) ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଶୁକ୍ରବାର ଅନୁମୋଦିତ ଏହି ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟ ୧୧ ଟି ଜିଲ୍ଲାରେ ୩,୮୭୮.୮୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ୧୦ ହଜାର ୫୮୪ ସମ୍ଭାବ୍ୟ ନିଯୁକ୍ତି ସୂଯୋଗ ସୃଷ୍ଟି ହେବ । ଟେକ୍ସଟାଇଲ ଓ ପୋଷାକ କ୍ଷେତ୍ରରେ ମାସ ଇଣ୍ଡିଆ କ୍ଲଦିଂ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ଟେକ୍ସଟାଇଲ ପ୍ରୋସେସିଂ ମିଲ (ଫେବ୍ରିକ ମିଲ–୧)  ପ୍ରତିଷ୍ଠା କରିବ । ଏହି ପୋଷାକ କାରଖାନା ପ୍ରତିଷ୍ଠା ପାଇଁ ୮୮୫ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ  ୧ ହଜାର ୭୦୦ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପକୁ ଏସଏଲଏସଡବ୍ଲୁସିଏ ବୈଠକରେ ଅନୁମୋଦନ ମିଳିଛି । ସେହିଭଳି ଆଡ଼ସଫ୍ଟ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ କଟକରେ ଏଲଇଡି ଟିଭି ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ବାଲୁଖଣ୍ଡରେ “ମେଫେୟାର ହାଇଡଆଉଟ” ନାମକ ଇକୋ-ରିସର୍ଟ ହେବ ।
ଏହି ପ୍ରକଳ୍ପଗୁଡ଼ିକ ପ୍ଲାଷ୍ଟିକ, ଟେକ୍ନିକାଲ ଟେକ୍ସଟାଇଲ, ଟେକ୍ସଟାଇଲ ଓ ପୋଷାକ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ମାନୁଫାକ୍ଚରିଂ (ଇଏସଡିଏମ), ଖାଦ୍ୟ ପ୍ରକ୍ରିୟାକରଣ, ବିଦ୍ୟୁତ ଓ ରିନ୍ୟୁଏବୁଲ ଏନର୍ଜି, ପର୍ଯ୍ୟଟନ, ଲଜିଷ୍ଟିକ୍ସ ଓ ଭିତ୍ତିଭୂମି, ରାସାୟନିକ ଏବଂ ଷ୍ଟିଲ ଭଳି ବିଭିନ୍ନ କ୍ଷେତ୍ରରେ ନିବେଶ ବଢାଇବ ।  ଏହି ଶିଳ୍ପ ନିବେଶ ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ର ସରକାରଙ୍କ ଲକ୍ଷ୍ୟ ପୂରଣ ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ଲାଷ୍ଟିକ କ୍ଷେତ୍ରରେ ଛଅଟି ପ୍ରମୁଖ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଗ୍ରୀନୱେଭ ସର୍କୁଲାରିଟି ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୪,୦୪,୧୫୦ ଏମଟି କ୍ଷମତା ସହିତ ରିସାଇକେଲ ଫ୍ଲେକ୍ସ, ପେଲେଟ୍ସ ଓ ରେସିନ ଉତ୍ପାଦନ ପାଇଁ ୬୫୦.୨୩ କୋଟି ଟଙ୍କା ନିବେଶ କରିବ । ଏହାଦ୍ବାରା ୬୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୁରୁମହାରାଜ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ବାର୍ଷିକ ୨,୫୦,୦୦୦ ମିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଭୂମିତଳ ପାଇପଲାଇନ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ୨୩୯.୦୭ କୋଟି ଟଙ୍କା ନିବେଶ କରିବ, ଯେଉଁଥିରେ ୮୬୦ ନିଯୁକ୍ତି ସୃଷ୍ଟି ହେବ । ଦି ସୁପ୍ରିମ ଇଣ୍ଡଷ୍ଟ୍ରିଜ ଲିମିଟେଡ କଟକରେ ପ୍ଲାଷ୍ଟିକ ଉତ୍ପାଦ ଉତ୍ପାଦନ ପାଇଁ ୧୭୫ କୋଟି ଟଙ୍କାର ନିବେଶ କରିବ ଏବଂ ଏହି ଶିଲ୍ପ ପ୍ରତିଷ୍ଠା ଦ୍ବାରା ୧୬୫ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ଲୁକ୍ରୋ ପ୍ଲାଷ୍ଟେସାଇକେଲ ପ୍ରାଇଭେଟ ଲିମିଟେଡ ଜଗତସିଂହପୁରରେ ପୋଷ୍ଟ-କନଜ୍ୟୁମର ପ୍ଲାଷ୍ଟିକ ରିସାଇକେଲ (ପିସିଆର) ଗ୍ରାନୁଲ୍ସ ଓ ଉତ୍ପାଦ ୟୁନିଟ ପ୍ରତିଷ୍ଠା କରିବ । ଏଥିଲାଗି ୧୦୦ କୋଟି ଟଙ୍କା ନିବେଶ ହେବ ଏବଂ ୧ ହଜାର ୬୧୫ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରୟାଲ ଟଚ ଫାବ୍ଲୋନ ପ୍ରାଇଭେଟ ଲିମିଟେଡ ବାଲେଶ୍ୱରରେ ବାର୍ଷିକ ୯,୬୦୦ ଟନ କ୍ଷମତା ସହିତ ପିପି ଓଭେନ ସାକ୍ସ, ବ୍ୟାଗ ଓ ଯାର୍ନ ଲାଇନର ଉତ୍ପାଦନ କାରଖାନା ପ୍ରତିଷ୍ଠା ପାଇଁ ୬୦.୭୮ କୋଟି ଟଙ୍କା ପୁଞ୍ଜିନିବେଶ କରିବ, ଯାହାଦ୍ବାରା ୬୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିଭଳି ଆଇସୋଲଏଡ ଇଞ୍ଜିନିୟରିଂ ଟେକ୍ନୋଲୋଜିଜ୍ ଲିମିଟେଡ ଯାଜପୁରରେ ସେରାମିକ ଫାଇବର ଓ ଏହା ସମ୍ବନ୍ଧିତ ଉତ୍ପାଦ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ ଏବଂ ଏଥିଲାଗି ୫୧ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏହି କାରଖାନାରେ ୧୭୫ ଜଣ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ମାନୁଫାକ୍ଚରିଂ(ଇଏସଡିଏମ) କ୍ଷେତ୍ରରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ କମିଟି ଅନୁମୋଦନ କରିଛି ।  ହେରାଏସ ଟେକ୍ନୋଲୋଜିଜ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାର ଇନଫୋ ଭ୍ୟାଲି ଇଏମସି ପାର୍କରେ ମେଟାଲର୍ଜିକାଲ ସେନସର, ଯନ୍ତ୍ର ଓ ସମ୍ବନ୍ଧିତ ଉତ୍ପାଦ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ଏହି ଶିଳ୍ପ ପ୍ରତିଷ୍ଠା ଲାଗି ଉକ୍ତ କମ୍ପାନୀ ୧୮୮.୪୬ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବ ଏବଂ ଏଥିରେ ୪୦୦ ଜଣଙ୍କୁ ନିଯୁକ୍ତି ମିଳିପାରିବ । ଆଡ଼ସଫ୍ଟ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ କଟକରେ ଏଲଇଡି ଟିଭି, ଆଇଓଟି ଡିଭାଇସ, ଇଣ୍ଟରାକ୍ଟିଭ ପ୍ୟାନେଲ, ସେଲଫ-ସର୍ଭିସ କିଓସ୍କ ଓ ଭିଡିଓ ୱାଲ ସିଷ୍ଟମ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ ଏବଂ ଏହି ପ୍ରକଳ୍ପ ଲାଗି ୧୧୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହି କାରଖାନାରେ ୩୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଖାଦ୍ୟ ପ୍ରକ୍ରିୟାକରଣ ଓ ସମ୍ବନ୍ଧିତ କ୍ଷେତ୍ରରେ ଗଣେଷ କନଜ୍ୟୁମର ପ୍ରୋଡକ୍ଟସ ଲିମିଟେଡ ଖୋର୍ଦ୍ଧାରେ ବାର୍ଷିକ ୪୮,୦୦୦ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ରୋଲର ଫ୍ଲାଓର ମିଲ ପ୍ରତିଷ୍ଠା ପାଇଁ ୫୨.୩୮ କୋଟି ଟଙ୍କାର ପୁଞ୍ଜିନିବେଶ କରିବ, ଏହାଦ୍ବାରା ୧୧୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ରାଣୀସତୀ ଗ୍ରୀନ ବାୟୋଫୁଏଲସ ପ୍ରାଇଭେଟ ଲିମିଟେଡ ବୌଦ୍ଧର ହରଭଙ୍ଗାରେ ୧୦୦ କେଏଲପିଡି କ୍ଷମତା ବିଶିଷ୍ଟ ଗ୍ରେନ-ବେସଡ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୧୦ କୋଟି ଟଙ୍କା ନିବେଶ କରିବ, ଯାହାଦ୍ବାରା ୨୬୦ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆଇରନ ଟ୍ରାଏଙ୍ଗଲ ଲିମିଟେଡ ବଲାଙ୍ଗୀରରେ ୨୦୦ ଏମଡବ୍ଲୁଏଚ କ୍ଷମତା ସମ୍ପର୍ଣ୍ଣ ବ୍ୟାଟେରୀ ଏନର୍ଜୀ ଷ୍ଟୋରେଜ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୩୧୦.୭୫ କୋଟି ଟଙ୍କା ନିବେଶ କରିବ ଏବଂ ୧୨୮ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ।
ସମଲେଶ୍ୱରୀ ଫେରୋମେଟାଲସ ପ୍ରାଇଭେଟ ଲିମିଟେଡ ସମ୍ବଲପୁରରେ ଥିବା ତାଙ୍କର ସ୍ପଞ୍ଜ ଆଇରନ ପ୍ଲାଣ୍ଟକୁ ବାର୍ଷିକ ୦.୫ ମିଲିୟନ ଟନ କ୍ଷମତା ବିଶିଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟରେ ଉନ୍ନତ କରିବ । ଏଥିପାଇଁ ଉକ୍ତ କମ୍ପାନୀ ୪୦୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ଦେଇଥିବା ବେଳେ ଏହି ଶିଲ୍ପ ପ୍ରତିଷ୍ଠା ଦ୍ବାରା ୩୫୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ରେସନସ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ ପୁରୀର ଗୋପ ବ୍ଲକର ବାଲୁଖଣ୍ଡରେ “ମେଫେୟାର ହାଇଡଆଉଟ” ନାମକ ଇକୋ-ରିସର୍ଟ ପ୍ରତିଷ୍ଠା କରିବ କରିବ, ଯେଉଥିରେ ୫୩ କୋଟି ଟଙ୍କାର  ପୁଞ୍ଜିନିବେଶ ସହିତ ୧୧୬ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଆଲଫା କୋଲ ବେନେଫିକେସନ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଏଲଏଲପି ସୁନ୍ଦରଗଡ଼ରେ ଗତି ଶକ୍ତି ମଲ୍ଟି-ମୋଡାଲ ଟର୍ମିନାଲ ଯୋଜନା ଅଧୀନରେ ପ୍ରାଇଭେଟ ଫ୍ରେଟ ଟର୍ମିନାଲ ଓ କୋଇଲା ୱାଶେରୀ ୟୁନିଟ ପ୍ରତିଷ୍ଠା କରିବ, ଯେଉଁଥିପାଇଁ ୨୧୭.୪୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହାଦ୍ବାରା ୪୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଭୁବନେଶ୍ୱର ଲଜିପାର୍କ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ଲଜିଷ୍ଟିକ୍ସ ପାର୍କ ପ୍ରତିଷ୍ଠା କରିବ, ଏଥିରେ ୨୧୮.୮୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ଏବଂ  ଏହା ଦ୍ବାରା ୨,୭୦୦ ଜଣ ଲୋକଙ୍କୁ ନିଯୁକ୍ତି ମିଳିପାରିବ ।
ସେହିଭଳି ରାସାୟନିକ ଓ ସମ୍ବନ୍ଧିତ ଉତ୍ପାଦ ଉତ୍ପାଦନ ଲାଗି ସ୍ପେସିଆଲ ବ୍ଲାଷ୍ଟସ ଲିମିଟେଡ ଅନୁଗୁଳର ତାଳଚେରରେ ବିସ୍ଫୋରକ ଓ ତାହା ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ଏହି କାରଖାନା ପ୍ରତିଷ୍ଠା ପାଇଁ ୫୪.୯୯ କୋଟି ଟଙ୍କା ନିବେଶ ହେବ ଏବଂ ୭୫ ଜଣଙ୍କୁ ନିଯୁକ୍ତି ମିଳିପାରିବ ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Exit mobile version