Utkala Mirror I Odisha News, Latest Odia News

ଅନ୍ବେଷା ଯୋଜନାକୁ ବନ୍ଦକୁ ନେଇ ବିରୋଧୀ-ମନ୍ତ୍ରୀ ମୁହାଁମୁହିଁ

ଚଳିତ ଶିକ୍ଷା ବର୍ଷରେ ଅନ୍ବେଷା ଯୋଜନାରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଡମିଶନ ନ ହେବା ପ୍ରସଙ୍ଗ ଉଠାଇ ବିଧାନସଭାରେ ବିରୋଧୀ ଦଳ ମୁଲତବୀ ଆଲୋଚନାରେ ସରକାରଙ୍କୁ ଘେରିଛନ୍ତି । ଡବଲ୍ ଇଞ୍ଜିନ ସରକାର ଆଦିବାସୀ, ଦଳିତ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରିଛନ୍ତି। ଅନ୍ବେଷା ଯୋଜନାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିବର୍ଗଙ୍କ ବିକାଶ ପାଇଁ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ‘ଅନେ୍ୱଷା’ ଯୋଜନାରେ ପ୍ରାୟ ୨୫ହଜାର ଛାତ୍ରୀଛାତ୍ର ନାମ ଲେଖାଇବା ସହିତ ମେଧାବୀ ହେବାର ସମ୍ଭାବନା ଥିବାବେଳେ ସରକାର କାହିଁକି ଏପର୍ଯ୍ୟନ୍ତ ଏହାର ପୋର୍ଟାଲ ଖୋଲି ନାହାନ୍ତି ବୋଲି କହି ବିରୋଧୀ କଂଗ୍ରେସ ଓ ବିଜେଡି ସରକାରଙ୍କୁ ଟାଗେର୍ଟ କରିଛନ୍ତି। ବିରୋଧୀଙ୍କୁ ଜବାବ ଦେଇ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସରକାର ଆଦିବାସୀଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ‘ଅନେ୍ୱଷା’ ଯୋଜନା ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଏହାର ଆଗାମୀ ନୂତନ ରୂପରେଖ ପାଇଁ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମୁଲତବି ଆଲୋଚନା ଆରମ୍ଭ କରି କହିଥିଲେ ଯେ, ରାଜ୍ୟ ସରକାର ଅନ୍ବେଷା ଯୋଜନା କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ତାହା ବୁଝାପଡୁନାହିଁ। ରାଜ୍ୟରେ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ଲୋକେ ବାସ କରୁଛନ୍ତି। ସେମାନଙ୍କ ଉନ୍ନତି ପାଇଁ ସରକାର ଏହି ଯୋଜନା ଆଣିଥିଲେ। ପ୍ରତିବର୍ଷ ୧୭ଟି ଜିଲାରେ ଏହି ଯୋଜନାରେପ୍ରାୟ ୨୫ହଜାର ଛାତ୍ରୀଛାତ୍ର ନାମ ଲେଖାଇ ଉପକୃତ ହେଉଥିଲେ। ଏଥିପାଇଁ କୋଟି କୋଟି ଟଙ୍କାର ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଥାଏ। ମାତ୍ର ୨୦୨୫-୨୬ ଆଥିର୍କ ବର୍ଷରେ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସରକାର ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି। ଏପର୍ଯ୍ୟନ୍ତ ଅନେ୍ୱଷା ପୋର୍ଟାଲ ଖୋଲାଯାଉ ନାହିଁ କି ନାମଲେଖା ଯାଉନାହିଁ। ସେ କହିଥିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଆଦିବାସୀ ବର୍ଗର ହେଲେ ଆଦିବାସୀଙ୍କ ଦୁଃଖ ବୁଝୁନାହାନ୍ତି । ଆଦିବାସୀଙ୍କୁ ସମ୍ବିଧାନ ଶିକ୍ଷା, ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅଧିକାର ଦେଇଛି। କିନ୍ତୁ ସରକାର ରାବଣ ହୋଇ ଆଦିବାସୀଙ୍କ ଉପରେ ଜୁଲମ କରୁଛନ୍ତି । ପିଲାଙ୍କ ଖାଇବା, ରହିବା ଓ ଯାତାୟାତରେ କେବେ ସଠିକ୍ ବ୍ୟବସ୍ଥା କରିନାହାନ୍ତି ସରକାର। ଯାହାଦ୍ୱାରା ସରକାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି କାଡାମ କହିଥିଲେ।

ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଥିଲେ ଯେ, ବିଭାଗୀୟ ମନ୍ତ୍ରୀ ଆଦିବାସୀ ସମ୍ପ୍ରଦାୟର। ଅନ୍ବେଷା ଯୋଜନା ପାଇଁ ରାଜ୍ୟରେ ଡ୍ରପ୍ ଆଉଟ ହାର ୩୩ରୁ ୧୮ ପ୍ରତିଶତକୁ ଖସି ଥିଲା। କିନ୍ତୁ ସେ ଯୋଜନାକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଉଛନ୍ତି ତାହା ବୁଝି ହେଉନାହିଁ। ସେ କହିଥିଲେ ଯେ, ବିଭାଗୀୟ ମନ୍ତ୍ରୀ ନିଜେ ଉତ୍ତର ରଖିଛନ୍ତି, ଆସନ୍ତା ୫ ବର୍ଷ ଯାଏ ଅନ୍ବେଷା ଯୋଜନା ଜାରି ରଖିବାକୁ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି। ଏଥିରୁ ସ୍ପଷ୍ଟ ଯେ, ସରକାର ଏହି ଯୋଜନାକୁ ନେଇ ଷଡ଼ଯନ୍ତ୍ର କରୁଛନ୍ତି।

ଶାସକ ଦଳ ପାଲଟା ଜବାବରେ କହିଲେ, ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେପି ସରକାରରେ ଆଦିବାସୀଙ୍କ ବିକାଶକୁ ସର୍ବ।ଧିକ ଗୁରୁତ୍ବ ଦିଆଯାଇଛି। ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତରରେ କହିଲେ, ଅନ୍ବେଷା ଯୋଜନାକୁ ପ୍ରତି ୫ ବର୍ଷ ବ୍ୟବଧାନରେ ତର୍ଜମା ଓ ମୂଲ୍ୟାୟନ କରାଯାଏ। ଚଳିତ ଶିକ୍ଷା ବର୍ଷ ୨୦୨୫-୨୬ରେ ଏହି ଯୋଜନାରେ ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀ ଗ୍ରହଣ କରାଯାଇନଥିଲେ ମଧ୍ୟ ଯୋଜନାଟିକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ (୨୦୨୯-୩୦ ପର୍ଯ୍ୟନ୍ତ) ଚାଲୁ ରଖିବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି।

ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିବାବେଳେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ୟାଗ କରିଥିଲେ । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ୨୦୧୫-୧୬ରୁ ରାଜ୍ୟରେ ଅନ୍ବେଷା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ଛାତ୍ରୀଛାତ୍ରମାନଙ୍କ ସହରରେ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦେବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରତି ୫ବର୍ଷରେ ଏହି ଯୋଜନାର ତର୍ଜମା କରାଯାଇ ସରକାର ନିଷ୍ପତ୍ତି ନେଇଥାନ୍ତି। ବର୍ତ୍ତମାନ ୧୧ ଜିଲାର ୧୬୩ଟି ଶିକ୍ଷାନୁଷ୍ଠାନରେ ପ୍ରାୟ ୨୦ ହଜାର ଆଦିବାସୀ ଓ ଦଳିତ ଛାତ୍ରୀଛାତ୍ର ପାଠ ପଢୁଛନ୍ତି । ୨୦୨୫-୨୬ ବର୍ଷରେ ୧୫୮.୦୮ କୋଟି ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ସେଥିମଧ୍ୟରୁ ଜିଲା ପ୍ରଶାସନକୁ ୧୦୫ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଗତ ସରକାର ଆଦିବାସୀଙ୍କ କଥା ଚିନ୍ତା କରୁ ନ ଥିଲେ । ଆମ ସରକାର ଆସିବା ପରେ ଆଦିବାସୀଙ୍କ ବହୁବିଧ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ପୂର୍ବାପେକ୍ଷା ବଢ଼ିଛି। ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲ ସଂଖ୍ୟା ବୃଦ୍ଧି ପାଇଛି। ଆଦିବାସୀ ପିଲାଙ୍କ ଡ୍ରପ ଆଉଟ ରୋକିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅଣାଯାଇଛି। ସିଏମ ପୋଷଣ ଯୋଜନାରେ ନବମ, ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଛି।

Exit mobile version