Utkala Mirror I Odisha News, Latest Odia News

ତାଳସାରୀ ନାଲି କଙ୍କଡା ସଂଖ୍ୟା କମୁଥିବା ଅଭିଯୋଗ

ବିଧାନସଭାରେ ମଙ୍ଗଳବାର ଉଭୟ ଶାସକ ଓ ବିରୋଧୀ ସଦସ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳର ଜୈବ ବିଭିଧତାର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଶ୍ନକାଳରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ଟ୍ରାନ୍ସଫର ପ୍ରଶ୍ନ ଆଲୋଚନା ବେଳେ ସେ ସାତପଡାକୁ ଶୀତ ଋତୁରେ ଆସୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀ ଅବୈଧ ଶୀକାର କରାଯାଉଥିବା ଅଭିଯୋଗ କରିଛନ୍ତି । ସେହିଭଳି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ତାଳସାରୀରେ ନାଲି କଙ୍କଡା ସଂଖ୍ୟା କମିବା କଥା ଉଠାଇ ଚିନ୍ତା ପ୍ରକଟ କରିଛନ୍ତି । ମହାକାଳପଡା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକ ଗହିରମଥାରେ ଅଲିଭ ରିଡଲେଙ୍କ ଉପରେ ନଜର ରଖିବାକୁ ୱାଚ ଟାୱାର ନିର୍ମାଣ କରିବାକୁ ଦାବି କରିଥିବା ବେଳେ ବରଗଡ ବିଧାୟକ ଅଶ୍ବିନୀ ଷଡଙ୍ଗୀ ତାଙ୍କ ଜିଲ୍ଲାରେ ନୂଆ ଡିଭିଜନ ଗଠନ ପାଇଁ ଦାବି କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଭିତରକନିକାରେ ବେଆଇନ ଜେଟି ଓ ରିସର୍ଟ ନିର୍ମାଣ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ।

ସେହିଭଳି ଅତିରିକ୍ତ ପ୍ରଶ୍ନକର୍ତ୍ତା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କୋରାପୁଟ ଜିଲ୍ଲାରେ ବେଆଇନ ଗଛ କଟା ଅଭିଯୋଗ ଆଣିଥିବା ବେଳେ ଉକ୍ତ ଜିଲ୍ଲାରେ ଅଧିକ ଇକୋ ଟୁରିଜିମ ପ୍ରତିଷ୍ଠା ଲାଗି ଦାବି କରିଥିଲେ । ଅନ୍ୟ ବିଧାୟକମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ଇକୋ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଦାବି ରଖିଥିଲେ । ଯାହାର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାୟକମାନେ ମାନେ ବିଭାଗକୁ ଲିଖିତ ଭାବେ ଦେବାକୁ କହିଥିଲେ । ବିଭାଗର ବୈଷୟିକ ଟିମ୍ ପ୍ରସ୍ତାବ ଗୁଡ଼ିକର ଫିଜିବିଲିଟି ସର୍ଭେ କରିବ । ପ୍ରକଳ୍ପ ପାଇଁ ସ୍ଥାନ ଉପଯୁକ୍ତ ହୋଇଥିଲେ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୫୧ଟି ବନ ଖଣ୍ଡ ଅଧୀନରେ ୫୧ଟି ଇକୋ ଟୁରିଜୀମ ପ୍ରକଳ୍ପ ସ୍ଥାପନ କରାଯାଇଛି । ତନ୍ମଧ୍ୟାରୁ ୧୦ଟି ଲାଭରେ ଚାଲୁଛି। ଆଉ ସମସ୍ତ କ୍ଷତିରେ ଚାଲୁ ଅଛି । ଏହାସତ୍ତ୍ୱେ ମଧ୍ୟ ସରକାର ପର୍ଯ୍ୟଟନର ବିକାଶକୁ ଗୁରୁତ୍ବ ଦିଆଯାଇଛି । ଗତବର୍ଷ ଏଥି ନିମନ୍ତେ ୮୦କୋଟି ଖର୍ଚ୍ଚ ହୋଇଥିବା ବେଳେ ଚଳିତ ଅତିରିକ୍ତ ବଜେଟରେ ମଧ୍ୟ ୮୦କୋଟି ରଖାଯାଇଛି । ଇକୋ ଟୁରିଜୀମ ପ୍ରକଳ୍ପ ସ୍ଥାପନ ପାଇଁ ଆପଣ ମାନେ ଯେଉଁ ଦାବି ଉଠାଉଛନ୍ତି ଯଦି ସେହି ସ୍ଥାନଗୁଡିକର ଫିଜିଭିଲିଟ ସର୍ଭେ ହେବ । ତାହାପରେ ବିଭାଗ ବିଚାର କରିବ । ରାଜ୍ୟରେ ବର୍ତ୍ତମାନ ୫୧ଟି ବନଖଣ୍ଡରେ ଇକୋ ଟୁରିଜୀୟମ୍ ରହିଛି ହେଲେ ତନ୍ମଧ୍ୟାରୁ ୧୦ଟି ଲାଭରେ ଚାଲୁଛି। ଆଉ ସମସ୍ତ କ୍ଷତିରେ ଚାଲୁ ଅଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ରଖିଛନ୍ତି । ଏତଦ୍ ବ୍ୟତୀତ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଉନ୍ନତ ମାନର ୱାଚ ଟାୱାର ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ ବୋଲି ଗୃହରେ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।

 

 

Exit mobile version