ସରିଲା ବିଧାନସଭା

ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆଜି ଶେଷ ହୋଇଛି। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲେ ହେଁ ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଫଳରେ ମୋଟ୍ ୨୯ଟି କାର୍ଯ୍ୟ ଦିବସରୁ ଏହି ଶୀତକାଳୀନ ଅଧିବେଶନ ୧୧ ଦିନରେ ଶେଷ ହୋଇଛି।

ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରସ୍ତାବ ଆଗତ କରିଥିଲେ ‌େଯ ‌ଗୃହରେ ସରକାରଙ୍କ ସମସ୍ତ କାର୍ଯ୍ୟ ଶେଷ ହୋଇଛି। ଆଉ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଏହାକୁ ଶାସକ ଦଳ ପକ୍ଷରୁ ବିଧାୟକ ସନାତନ ବିଜୁଳି ଏବଂ ଗୌରୀଶଙ୍କର ମାଝୀ ସମର୍ଥନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବି‌େରାଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ବାଚସ୍ପତି ସୁରମା ପାଢ଼ୀ ଉଦ୍‌ଯାପନୀ ବକ୍ତବ୍ୟ ରଖିବା ସହ ଗୃହ ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ ଗୃହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅାଗୁଆ ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଏହି ଅଧିବେଶନରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ସହ ମୋଟ୍ ୭ଟି ବିଲ୍ ଉପସ୍ଥାପନ ହୋଇଥିଲା ଏବଂ ସମସ୍ତ ବିଲ୍ ପାରିତ ହୋଇଥିଲା। ୨ଟି ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହୋଇଥିଲା।

ଚଳିତ ଅଧିବେଶନର ଗୁରୁତ୍ବ ହେଉଛି ଏହି ଅଧିବେଶନ ରାଷ୍ଟ୍ରପତିଙ୍କ ଅଧିବେଶନରୁ ଆରମ୍ଭ ହୋଇଥିଲା, ଗୃହ କାର୍ଯ୍ୟରେ ବିରୋଧୀ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ, ଦୀର୍ଘ ବର୍ଷ ଧରି ବିଧାୟକଙ୍କ ଦରମା, ଭତ୍ତା, ପୂର୍ବତନ ବିଧାୟକଙ୍କ ପେନସନ୍ ନେଇ ଯେଉଁ ଦାବି ହେଉଥିଲା ସେସମ୍ପର୍କିତ ବିଲ୍‌ ଉପସ୍ଥାପନ ହେବା ସହ ପାରିତ ହୋଇଥିଲା ।