ଅସହାୟ ହୋଇ ଶେଷରେ ନିଜ ଜୀବନ ନେଇଥିବାଇ ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ସମେତ ୭ ବିରୋଧୀ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଥÒବାବେଳେ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରା ଠପ୍ ହୋଇଛି।

ଧର୍ମଘଟ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ପରେ ଭୁବନେଶ୍ୱରରେ ପିକେଟିଂ, ଟ୍ରାଫିକ ଅବରୋଧ କରିବା ଦ୍ବାରା ସାଧାରଣ ପରିବହନ ଏବଂ ଦୈନନ୍ଦିନ କାର୍ଯ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା ଭୁବନେଶ୍ୱରରେ, ଶହ ଶହ କଂଗ୍ରେସ କର୍ମୀ ରେଳ ଷ୍ଟେସନ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ ସମେତ ଅନ୍ୟ ପ୍ରମୁଖ ଛକରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଆନ୍ଦୋଳନକାରୀମାନେ ପ୍ରଥମେ ରେଳ ସେବା ବନ୍ଦ କରିବା ପାଇଁ ପ୍ଲାଟଫର୍ମରେ ଧସେଇ ପଶିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରିଥିଲେ। ଫଳରେ ଅଳ୍ପ ନିର୍ଦ୍ଧାରିତ ଟ୍ରେନ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା। ସେହିପରି ସକାଳୁ ବିକ୍ଷୋଭକାରୀମାନେ ଟାୟାର ଜାଳି ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରିଥିଲେ। ଫଳରେ ରାଜ୍ୟ ରାଜଧାନୀରେ ଟ୍ରାଫିକ୍ ଅଚଳ ହୋଇପଡ଼ିଥିଲା।
ଭୁବନେଶ୍ୱର ଏବଂ କଟକର ପ୍ରମୁଖ ଟର୍ମିନାଲରୁ ବସ୍ ସେବା ସକାଳ ସମୟରୁ ବାଧାପ୍ରାପ୍ତ ହୋଇଥିଲା। ଏନଏଚ୍ ଉପରେ ଭାରି ଯାନର ଲମ୍ବା ଲାଇନ୍ ନଜରକୁ ଆସିଥÒବାବେଳେ ଆମ ବସକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ।ଫଳରେ ଅନେକ ଯାତ୍ରୀ, ବିଶେଷକରି ସହର ବାହାରୁ ଆସୁଥିବା ଯାତ୍ରୀ ବିକଳ୍ପ ନପାଇ ଫସି ରହିଥିଲେ ।କେବଳ ଜରୁରୀକାଳୀନ ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଥିଲା।
ଅନେକ ଛକରେ ଅଟୋ ଏବଂ ଟ୍ୟାକ୍ସି ମଧ୍ୟ ଅଟକି ରହିଥିଲା। ଅଫିସ ଯାଉଥିବା ଲୋକେ ମଧ୍ୟ ସମସ୍ୟାରେ ପଡ଼ିଥିଲେ। ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜି ବ୍ୟାଗ୍ ଲଗେଜ୍ ବୋହି ବୋହି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ବ୍ୟବସାୟ, ବଜାର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରହିଥିଲା।
ରେଳଷ୍ଟେଶନରେ ଫସିରହିଥିବା ଲୋକଙ୍କ ଲାଗି କିଛି ହୋଟେଲ ଖୋଲା ରହିଥିବାବେଳେ ଔଷଧ ଦୋକାନ, ଗ୍ୟାରେଜ୍, ଚା ଦୋକାନ, ଚିକେନ୍ କାଉଣ୍ଟର ଖୋଲାଥିବା ନଜରକୁ ଆସିଛି। ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମଧ୍ୟାହ୍ନ ପର୍ଯ୍ୟନ୍ତ ଟ୍ବିନ୍ ସିଟିରେ କୌଣସି ବଡ଼ ଧରଣର ହିଂସା ନେଇ ଅଭିଯୋଗ ହୋଇନଥିବାବେଳେ ପରେ ବାମପନ୍ଥୀ ଦଳ ଓ ରାଜ୍ୟ କଂଗ୍ରେସ ଲୋୟର ପିଏମଜିରେ ପ୍ରତିବାଦ କରିବା ସମୟରେ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି।
୮ଟି ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୋଲିସ ଅଟକ ରଖିଛି।ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି, ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ଦେବାକୁ ଚାହୁଁ ନାହାନ୍ତି। ସରକାର ଗୁଣ୍ଡାଗିରି କରୁଛନ୍ତି।ଆମେ ସରକାରଙ୍କ ଗୁଣ୍ଡାଗିରି ନେଇ ଭୟଭୀତ ହେବୁ ନାହିଁ। କଂଗ୍ରେସ ରାଜ୍ୟ ସରକାରଙ୍କ ବିରେଧରେ ସ୍ୱର ଉଠାଇବା ଜାରି ରଖିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇସ୍ତଫା ଦେବାକୁ ପଡିବ ବୋଲି ସେ କହିଛନ୍ତି।
ସେପଟେ ପୋଲିସ୍ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ମଧ୍ୟ ଆନ୍ଦୋଳନସ୍ଥଳରୁ ଉଠାଇ ନେଇଛି। ପିସିସି ସଭାପତି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦୋଷୀଙ୍କୁ ରାଜ୍ୟ ସରକାର ଛାଡ଼ି ଦେଉଛନ୍ତି। ଏସପି ଓ ଆଇଆଇସିଙ୍କୁ କାହିଁକି ଛଡ଼ାଗଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସାଂସଦ କାହିଁକି ଦୋଷୀ ହେବେ ନାହିଁ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି। ଏହି ସରକାରଙ୍କୁ କେହି ମାନୁନାହାନ୍ତି। ପୋଲିସ ସରକାରଙ୍କ କଥା ଶୁଣୁନାହିଁ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।
ସିପିଆଇ (ଏମ୍) ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି, ୮ଟି ରାଜନୈତିକ ଦଳ ଓଡ଼ିଶାର ଜନସାଧାରଣ ଏବଂ ଅନ୍ୟାନ୍ୟ ବାମ ଗଣତାନ୍ତ୍ରିକ ଶକ୍ତି, ପରିବହନ, ଶିକ୍ଷକ ସଂଗଠନକୁ ଅନୁରୋଧ କରିଛନ୍ତି ଏବଂ ପ୍ରତିକ୍ରିୟା ବେଶ୍ ସଫଳ ରହିଛି। ଏହି ବନ୍ଦ କେବଳ ରାଜନୈତିକ ଦଳ ମଧ୍ୟରେ ସୀମିତ ନୁହେଁ। ଏହା ଓଡ଼ିଶାର ଏକ ଜନସାଧାରଣଙ୍କ ବନ୍ଦ ପାଲଟିଛି। ବିଜେପି ଶାସନ କାଳରେ ମହିଳାଙ୍କ ପ୍ରତି ଅନେକ ଅତ୍ୟାଚାର କରାଯାଉଛି। ଏକ୍ଷେତ୍ରରେ ପୋଲିସ ନୀରବ ରହୁଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀ ଗତ ସପ୍ତାହରେ କ୍ୟାମ୍ପସରେ ଆତ୍ମଦାହ ଉଦ୍ୟମ କରିଥିବାରୁ ତାଙ୍କ ମୃତ୍ୟୁର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ଘଟଣା ସମଗ୍ର ରାଜନୈତିକ ବର୍ଗରେ ଉତ୍ତେଜନା ସୃଷ୍ଟି କରିଥିଲା। ବିରୋଧୀ ଦଳଗୁଡ଼ିକ ଅବହେଳା ଅଭିଯୋଗ ଆଣି ନ୍ୟାୟିକ ତଦନ୍ତ ଦାବି କରିଥିଲେ।