Utkala Mirror I Odisha News, Latest Odia News

ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମର, ସହପ୍ରଭାରୀ ଲତା ଉଷାଣ୍ଡି ଓ ଅନ୍ୟ ବରିଷ୍ଠ ନେତା ନବନିଯୁକ୍ତ ସାଂଗଠନିକ ଜିଲ୍ଲା ପ୍ରଭାରୀ ଓ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ବୈଠକରେ ବରିଷ୍ଠ ନେତାମାନେ ନବନିଯୁକ୍ତ ସାଂଗଠନିକ ଜିଲ୍ଲା ପ୍ରଭାରୀ ଓ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ବିଭିନ୍ନ ପରାମର୍ଶ ଦେଇଥିବା ଜଣାପଡିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରନ୍ତୁ। ଏକ ସମୃଦ୍ଧ ଓଡ଼ିଶା ଗଠନ ନେଇ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ବାସ୍ତବ ରୂପ ଦେବାରେ ସଂଗଠନର ବଡ଼ ଭୂମିକା ରହିବ। ସଂଗଠନକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରାଇବା ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି । ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା କରାଯାଇଛି। ଦଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କିପରି ପ୍ରତ୍ୟେକ ମଣ୍ଡଳ, ବ୍ଲକ୍ ଓ ଜିଲାସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ନୂଆପଡ଼ା ଉପ ନିର୍ବାଚନରେ ଦଳକୁ ମିଳିଥିବା ବଡ଼ ସଫଳତାକୁ ଆୟୁଧ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ସମାନ ସଫଳତା ଦୋହରାଇବା ପାଇଁ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦିଆଯାଇଥିଲା। କାହାର କ’ଣ ଦାୟିତ୍ଵ ରହିବ ତାହା ସେମାନଙ୍କୁ ବୁଝାଇ ଦିଆଯାଇଥିଲା। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ସୁଦୃଢ଼ କରିବା ପାଇଁ ସେମାନଙ୍କୁ ଆହ୍ବାନ ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ଅଛି। ନିର୍ବାଚନରେ ଭଲ ଭାବେ ଲଢ଼ିବ ଏବଂ ଏକପାଖିଆ ନିର୍ବାଚନ ଜିତିବ। କାରଣ ବିଜେପି ଓଡିଶାବାସୀଙ୍କର ଆଶୀର୍ବାଦ ବିଜେପି ସହିତ ସବୁବେଳେ ଅଛି। ବିଜେପି ମଧ୍ୟ ଓଡିଶାବାସୀଙ୍କ ନିଷ୍ଠାର ସହିତ ସେବା କରୁଛି ବୋଲି ସେ କହିଥିଲେ। ସୂଚନା ଯୋଗ୍ୟ ଯେ ଗତକାଲି ଦଳର ୬ ଟି ମୋର୍ଚ୍ଚା ଓ ସମସ୍ତ ସାଂଗଠନିକ ଜିଲା ପ୍ରଭାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା।

Exit mobile version