ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ବ ମନ୍ତ୍ରୀସୁରେଶ ପୁଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଧାୟକମାନଙ୍କ ମଧ୍ୟରେ ବାବୁ ସିଂ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ଟଙ୍କଧର ତ୍ରିପାଠୀ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ ଯେଉଁମାନେ ନିଜେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ରାତିରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ଛାତ୍ରୀ ଜଣକ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ ହେଉଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଦଫା ଲଗାଯାଉଛି। ଏହି ଘଟଣାରେ ଆଉ କେଉଁମନେ ସାମିଲ ଅଛନ୍ତି, ସେମାନଙ୍କୁ ଖୋଜାଯାଉଛି। ଶିକ୍ଷା ବିଭାଗର ତଦନ୍ତକୁ। ମୃତକଙ୍କ ମା’ ମାଧ୍ୟ ଚାହୁଁଛନ୍ତି ତଦନ୍ତର ପରିସର ବଢ଼ାଯାଉ। ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଛାତ୍ରୀଙ୍କ ମୃତ୍ୟୁ ଘଟଣା ସରକାରଙ୍କୁ ବ୍ୟଥିତ କରିଛି। ବହୁ କଷ୍ଟ ଦେଇଛି। ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡ଼ିବ ସରକାର ତାହା କରିବେ। ବାଲେଶ୍ବର ଏଫ୍ଏମ୍ କଲେଜର କେବଳ ବିଭାଗୀୟ ମୁଖ୍ୟ କି ଅଧ୍ୟକ୍ଷ ନୁହନ୍ତି, ଝିଅ ଜୀବନ ହାରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେକୌଣସି ବ୍ୟକ୍ତି ବି ତଦନ୍ତର ପରିସରରକୁ ଆସିବେ। ବିରୋଧୀଙ୍କ ନ୍ୟାୟିକ ତଦନ୍ତ ଦାବି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଥିଲେ, ପୂର୍ବ ସରକାରରେ ଅନେକ ଘଟଣାରେ ନ୍ୟାୟିକ ତଦନ୍ତ ହୋଇଥିଲା। ହେଲେ ରିପୋର୍ଟ ଆସୁ ନଥିଲା କି କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉ ନଥିଲା। ଘଟଣାକୁ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ଏହାର ଅଗ୍ରଗତି କେମିତି ଚାଲିଛି, ଆଉ କଣ ପଦକ୍ଷେପ ଆବଶ୍ୟକ ସେ ସବୁର ତର୍ଜମା କରିଛୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।