ରାଜ୍ୟ ସରକାର ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ରାସ୍ତା ସଂଯୋଗୀକରଣ ଓ ଉନ୍ନତିକରଣକୁ ଗୁରୁତ୍ବ ଦେଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଯୋଜନାକୁ ଅନୁମୋଦନ କରିଛନ୍ତି । ରାଜ୍ୟ ସରକାର ୩୦ ଟି ଜିଲ୍ଲାର ୧୪୨ ଟି ନିର୍ବାଚନମଣ୍ଡଳୀରେ ଥିବା ଗ୍ରାମୀଣ ସଡକ ନିର୍ମାଣ କରିବା ଏବଂ ସଡକ ଗୁଡିକର ଉନ୍ନତିକରଣ ପାଇଁ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । “ନିର୍ବାଚନମଣ୍ଡଳୱାରୀ ଅର୍ଥ ବ୍ୟବସ୍ଥା (କନଷ୍ଟିଚୁଏନ୍ସି ୱାଇଜ ଆଲୋକେସନ)” ଯୋଜନାରେ ୩ ବର୍ଷରେ ୨୦୨୪-୨୫ ରୁ ୨୦୨୬-୨୭ ମଧ୍ୟରେ ୪୨୬ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସରକାର ରାଜ୍ୟର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟୟ ସମୟରେ ଏବଂ ପରେ ରାସ୍ତା ସଂଯୋଗୀକରଣକୁ ପ୍ରଧାନ୍ୟ ଦେଇ ଏକ ନୂତନ ଯୋଜନା ” ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ” ଆରମ୍ଭ କରିଛନ୍ତି । ଏହି ଯୋଜନାରେ ୫ ବର୍ଷରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦରେ ଆନୁମାନିକ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ଦୁଇଟି ନୂଆ ଯୋଜନାକୁ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୫ ଟି ବିଭାଗର ୮ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନମଣ୍ଡଳୱାରୀ ରାସ୍ତା ପାଇଁ ଅର୍ଥ ବ୍ୟବସ୍ଥା ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି, ୧୪୨ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ସଡ଼କ ଗୁଡ଼ିକର କୌଣସି କାରଣରୁ ରହି ଯାଇଥିବା ଅଂଶ କିମ୍ବା ଉନ୍ନତି ଆବଶ୍ୟକ କରୁଥିବା ଅଂଶର ଉନ୍ନତିକରଣ କରିବା । ରାସ୍ତାର ଉନ୍ନତିକରଣ ଯୋଗୁଁ ଶିକ୍ଷାନୁଷ୍ଠାନ, ଚିକିତ୍ସା ସୁବିଧା, ବ୍ଳକ କିମ୍ବା ଗ୍ରାମ ପଞ୍ଚାୟତ ମୁଖ୍ୟଳୟ, ବଜାର ଏବଂ ପର୍ଯ୍ୟଟନ ସ୍ଥାନ ଇତ୍ୟାତି ସହିତ ଉତ୍ତମ ସଂଯୋଗୀକରଣ ହୋଇ ପାରିବ । ଏହା ଦ୍ବାରା ସ୍ଥାନୀୟ ଜନସାଧାରଣ ଉପକୃତ ହେବେ । ଏହି ଯୋଜନାଟି କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଥିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା- ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ଯୋଜନା ଦ୍ବାରା ବିପର୍ଯ୍ୟୟ ସମୟରେ ଏବଂ ପରେ ଅତ୍ୟାବଶ୍ୟକ ପରିବହନ ସୁନିଶ୍ଚିତ କରିବା ସହ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚକରେ ଜରୁରୀକାଳୀନ ସେବାରେ ଯେପରି ବଧା ସୃଷ୍ଟି ନ ହୁଏ ତାହା ସୁନିଶ୍ଚିତ କରିବ । ଏହି ସଡକଗୁଡିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଜୀବନ ଦେଖା ଭାବରେ କାର୍ଯ୍ୟ କରିବ ଏବଂ ସର୍ବନିମ୍ନ ରକ୍ଷଣାବେକ୍ଷଣ ସହିତ ବିପର୍ଯ୍ୟୟରୁ ହେଉଥିବା କ୍ଷତି ସହି ସ୍ଥାୟୀ କହିବ । ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ ଯୋଜନାରେ ବନ୍ୟା ଜଳ ସ୍ତରରୁ ସଡକ ବନ୍ଧକୁ ଉପରକୁ ଉଠାଇବା, ମାଟି ଓ ରାସ୍ତା କ୍ଷୟକୁ ରୋକିବା ପାଇଁ ସୁରକ୍ଷା କାନ୍ଥ ସହିତ ପଥର ବଦ୍ଧ ବାନ୍ଧିବା, ସମସ୍ତ ସମାଦ୍ୟ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ନଳା ପୋଲ ଏବଂ ସେତୁ ଇତ୍ୟାଦି ନିର୍ମାଣ କରି ବନ୍ୟା ଜଳର ସଠିକ ନିଷ୍କାସନ କରାଇବା, ଜଳମଗ୍ନ ସେତୁକୁ ଉଚ୍ଚ ସ୍ତରୀୟ ସେତୁ ଏବଂ ପାହାଡିଆ ରାସ୍ତାର ଜଳ ନିଷ୍କାସନ ପାଇଁ ନାଳ ସହିତ ପାହାଡ କଡରେ ପାର୍ଶ୍ବ କାନ୍ଥ ନିର୍ମାଣ କରି ଉନ୍ନତ ସଡକ ନିର୍ମାଣ କରିବା କାର୍ଯ୍ୟ ହାତକୁ ନିଆଯିବ ।
ଏହି ଯୋଜନାରେ ପାଞ୍ଚ ବର୍ଷ ୨୦୨୫-୨୬ ରୁ ୨୦୨୯-୩୦ ମଧ୍ୟରେ ୧୦୦୦ କୋଟି ଟଙ୍କାର ବ୍ୟୟ କରାଯାଇ ପ୍ରାୟ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।