Utkala Mirror I Odisha News, Latest Odia News

ଦିଲ୍ଲୀରେ ମନମୋହନ,ମନ୍ତ୍ରୀମଣ୍ଡଳ ଚୂଡ଼ାନ୍ତ ହେବା ଚର୍ଚ୍ଚା

ସୋମବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ପାୱାର କରିଡରରେ ବଡ ହଲଚଲ ହେଉଥିବାର ଶଙ୍କେତ ଦେଇଥିବା ବେଳେ ବିଜେପି ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର କରାଇଛି । ଏହାରି ମଧ୍ୟରେ ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ରାଜ୍ୟପାଳଙ୍କୁ ସାକ୍ଷାତ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ସେମାନେ କେନ୍ଦ୍ରୀୟ ନେତୃତ୍ୱ ଏବଂ ସଂଘର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବଂ ବୋର୍ଡ ଓ ନିଗମ ପଦବୀ ପୂରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା ନେଇ ଦିଲ୍ଲୀ ନେତୃତ୍ବଙ୍କ ସହ ରାଜ୍ୟ ସଭାପତିଙ୍କ ଆଲୋଚନା ହେବାକୁ ଯାଉଥିବା କୁହାଯାଉଛି । ଏହା ସହିତ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାପଡିଛି । ଏହି ଆଲୋଚନାରେ ରାଜ୍ୟର ସଂଗଠନ ସ୍ଥିତି, ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ କରିବା ଏବଂ ବିଭିନ୍ନ ବିଭାଗ ଦାୟିତ୍ବ ଥିବା ମନ୍ତ୍ରୀମାନଙ୍କ ଠାରୁ କିଛି ବିଭାଗ କାଢି ଆଣି ନୂଆଙ୍କୁ ଦାୟିତ୍ବ ଦିଆଯିବା ନେଇ ମଧ୍ୟ ଅଧିକ ସମ୍ଭାବନା ରହିଛି । ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳ ଶପଥ ନେଇପାରନ୍ତି ବୋଲି କୁହାଯାଉଛି । ଏହା ସହିତ ବୋର୍ଡ ଓ ନିଗମ ପଦବୀ ଲାଗି ଚୁଡାନ୍ତ ଘୋଷଣା ଖୁବଶୀଘ୍ର ହେବ । ସେନେଇ ମଧ୍ୟ ରାଜ୍ୟସଭାପତି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ହୋଇପାରେ । ଅନ୍ୟପଟେ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ସଂନ୍ଧ୍ୟା ପ୍ରାୟ ୫ଟା ବେଳେ ରାଜଭବନରେ ରାଜ୍ୟପାଳ ହରିବାବୁ କାମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟପାଳ ରାଜସ୍ବ ମନ୍ତ୍ରୀଙ୍କ ବାସଭବନକୁ ଯିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ବ୍ୟକ୍ତିଗତ କାରଣରୁ ବାହାରକୁ ଯିବାକୁ ଥିବାରୁ ସୁରେଶ ପୂଜାରୀ ଆଗୁଆ ରାଜଭବନରେ ସାକ୍ଷାତ କରିଛନ୍ତି। ଆଗାମୀ ଦିନରେ ଆହୁରି କେତେକ ମନ୍ତ୍ରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିପାରନ୍ତି ବୋଲି ଜଣାପଡିଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ତୀବ୍ର ହେବା ସହିତ ଆଶାୟୀ ବିଧାୟକମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଭଞ୍ଜନଗରର ବିଜେପି ବିଧାୟକ ପ୍ରଦ୍ୟୁମ୍ନ ନାୟକ କହିଛନ୍ତି, “ବିଜେପି ଏକ ଶୃଙ୍ଖଳିତ ଦଳ। ଅନ୍ୟ ଦଳମାନଙ୍କ ପରି ତେଲମରା ଦଳ ନୁହେଁ। ହଁ, ମୁଁ ତୃଣମୂଳ ସ୍ତରରେ କାମ କରିଛି। ବଡ ନେତାଙ୍କୁ ହରାଇଛୁ । ମନ୍ତ୍ରୀ ପଦ ପାଇଁ ଆଶା ରହିଛି।” ମନ୍ତ୍ରୀମଣ୍ଡଳରେ ଯୁବ ପ୍ରତିନିଧିତ୍ୱ ବୃଦ୍ଧି କରାଯିବା ନେଇ ଅଧିକ ସମ୍ଭାବନା ରହିଛି। ରାଜ୍ୟର ସମସ୍ତ ଅଞ୍ଚଳ ଏବଂ ଜାତି ସମୀକରଣକୁ ଧ୍ୟାନରେ ରଖି ନୂଆ ମନ୍ତ୍ରୀମାନଙ୍କୁ ସାମିଲ କରାଯାଇପାରେ । କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାଗୁଡ଼ିକରୁ ପ୍ରତିନିଧିତ୍ୱ ଦେବା ନେଇ ବିଚାରବିମର୍ଶ ହୋଇଥିବା ଜଣାପଡିଛି ।

Exit mobile version