ଅପ୍ରେଲରୁ – ମେ ମାସେ ବ୍ୟାପୀ ଘର ଗଣନା

ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଗିରୀଶ ଏସ୍.ଏନ ଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ । ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶାର ନିର୍ଦ୍ଦେଶକ ଶ୍ରୀ ନିଖିଳ ପୱନ କଲ୍ୟାଣ ଓଡ଼ିଶାରେ ଜନଗଣନା ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ବୈଠକରୁ ଜଣାଯାଇଛି ଯେ, ଦେଶରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଓ ଗୃହ ଗଣନା ଆରମ୍ଭ ହେବ । ସାରା ଦେଶରେ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଏହି ପର୍ଯ୍ୟାୟ ଗଣନା ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟମାନେ ନିଜର ସୁବିଧା ଅନୁସାରେ ୩୦ ଦିନ ମଧ୍ୟରେ ଏହି ମାସ ମଧ୍ୟରେ ଗୃହ ତାଲିକା ଓ ଘର ଗଣନା କରିପାରିବା ନେଇ ନିର୍ଦ୍ଦେଶ ରହିଥିବା ବେଳେ ଓଡ଼ିଶାରେ ଏପ୍ରିଲରୁ ମେ ମାସ ମଧ୍ୟରେ ଗୃହ ତାଲିକା ଓ ଗୃହ ଗଣନା କରାଯିବା ନେଇ ଆଜିର ରାଜ୍ୟସ୍ତରୀୟ ବୈଠକରେ ନି​ଷ୍ପତ୍ତି ନିଆଯାଇଛି । ଆସନ୍ତା ୨୦୨୭ ଫେବୃୟାରୀ ମାସ ୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ଜନ ଗଣନା ଅନୁଷ୍ଠିତ ହେବ ଏବଂ ମାଚ୍ଚ ୧ ରୁ ୫ ପର୍ଯ୍ୟନ୍ତ ପୁନଃ ଅବଲୋକନ (ରିଭିଜନାଲ ରାଉଣ୍ଡ) ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ରହିଥିବା ବୈଠକରେ ସୂଚନା ଦିଆଯାଇଛି ।
ଏଥିପାଇଁ ଓଡ଼ିଶାରେ ଜନଗଣନା ନିର୍ଦ୍ଦେଶାଳୟ ତରଫରୁ ପ୍ରସ୍ତୁତି ଜାରି ରହିଛି । ଆଜି ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକରେ ଉନ୍ନୟନ କମିଶନର ଶ୍ରୀ ସିଂ କହିଛନ୍ତି ଯେ ଦୀର୍ଘ ବର୍ଷ ପରେ ଜନଗଣନା ହେବାକୁ ଯାଉଛି । ଏହି ଜାତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଯେପରି ନିର୍ଭୁଲ ଏବଂ ସଠିକ୍ ଭାବରେ କରାଯିବ, ସେଥିପାଇଁ ସହଯୋଗ କରିବାକୁ ସେ ସଂପୃକ୍ତ ସବୁ ବିଭାଗଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଆଲୋଚନା ଅନୁସାରେ ଗତ ୩୧ ଡିସେମ୍ବର ,୨୦୨୫ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ନିର୍ଦ୍ଦେଶିତ ଅଂଚଳ ବ୍ୟତୀତ ଏହି ଜନଗଣନା ସମୟରେ ନୂଆ ଗାଁ, ନୂଆ ସହର, ଗାଁ ସହରରେ ମିଶିବା ଭଳି ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ହେବନାହିଁ । ଜନଗଣନା କାର୍ଯ୍ୟର ସୁସମ୍ପାଦନ ପାଇଁ ଜାତୀୟ ସ୍ତରରେ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା ଆୟୁକ୍ତ ଥିବା ବେଳେ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ରାଜ୍ୟ ନୋଡାଲ ଅଧିକାରୀ ଓ ଏବଂ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଜିଲ୍ଲାର ଏବଂ ମହାନଗର ନିଗମ ଅଂଚଳରେ ମ୍ୟୁନିସିପାଲ କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ଭାବେ ନିୟୋଜିତ ରହିବେ । ଉପଖଣ୍ଡ ବା ସହରାଂଚଳରେ ତହସିଲଦାର ଓ ଡେପୁଟୀ କମିଶନରମାନେ ଚାର୍ଜ ଅଧିକାରୀ ଭାବେ କାର୍ଯ୍ୟ କରିବେ । ଶିକ୍ଷକ , ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାର ଅନ୍ୟ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଜନଗଣନାକାରୀ (ଏନ୍ୟୁମେରେଟର) ଏବଂ ସୁପରଭାଇଜର ଦାୟିତ୍ୱ ତୁଲାଇବେ । ଏଥି ପାଇଁ ଜନଗଣନାକାରୀ, ସୁପରଭାଇଜର, ରାଜ୍ୟ, ଜିଲ୍ଲା, ମହାନଗର ନିଗମ ଓ ଚାର୍ଜ ଅଧିକାରୀଙ୍କ ପାଇଁ ପାରିତୋଷିକ ଏବଂ ଜନ ଗଣନା କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟା ସହାୟତା ପାଇଁ ଆର୍ଥିକ ବ୍ୟବସ୍ଥା ରହିଛି ।
ବିଭିନ୍ନ ପ୍ରକାର ବିଜ୍ଞାପ୍ତି ପ୍ରକାଶନ ନେଇ ରାଜସ୍ୱ ବିଭାଗ ସମନ୍ୱୟ କାର୍ଯ୍ୟ କରିବ । ଜନଗଣନାକାରୀ ଓ ସୁପରଭାଇଜର ତାଲିକା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସହରାଞ୍ଚଳ ସଂପର୍କିତ ବିଜ୍ଞପ୍ତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ଅନ୍ୟ ସଂପୃକ୍ତ ବିଭାଗମାନେ ସହଯୋଗ କରିବେ । ଓଡ଼ିଆ ବା ଇଂରାଜୀ ଭାଷାରେ ଜନଗଣନାକାରୀମାନେ ଜନସାଧାରଣଙ୍କର ସୁବିଧା ଅନୁସାରେ ତଥ୍ୟ ଅନ୍ତର୍ଭୁକ୍ତ କରିବେ । ଜନଗଣନା ପାଇଁ ପୂର୍ବରୁ ମାଷ୍ଟର ଟ୍ରେନର ଏବଂ କ୍ଷେତ୍ରସ୍ତରୀୟ ପ୍ରଶିକ୍ଷଣକଙ୍କ ପାଇଁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ । ଜନଗଣନା ବ୍ୟବସ୍ଥା ସଂପର୍କରେ ପୂର୍ବରୁ ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ କରାଯିବ । ଜନ ଗଣନାରେ କାଗଜ ପତ୍ରରେ ଫର୍ମ ପୂରଣ କରି ତଥ୍ୟ ନିଆଯିବା ବଦଳରେ ମୋବାଇଲ ଆପ୍ ତଥା କମ୍ପ୍ୟୁଟରୀକରଣ ବା ଡିଜିଟାଲ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।