ତହସଲିଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ-ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ କରାଯିବ ନାହିଁ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଆୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀ ସମ୍ମିଳନୀ ତଥା କର୍ମଶାଳାରେ ଯୋଗ ଦେଇ ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ଲୋକାଭିମୁଖୀ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ପୁନର୍ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ, ତହସିଲଦାରମାନେ ହେଉଛନ୍ତି ରାଜ୍ୟ ପ୍ରଶାସନର ମେରୁଦଣ୍ଡ। ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଓ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାରେ କେହି ବି ଭୂମିହୀନ ରହିବେ ନାହିଁ। ୪ ଡେସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଭୂମିହୀନ ଭାବେ ଗଣାଯିବ ଓ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ।” ସେ ଜମିଜମା ମାମଲାର ତ୍ୱରିତ ଓ ସ୍ୱଚ୍ଛ ଫଇସଲା ଉପରେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ‘ଦାନା’ର ସଫଳ ମୁକାବିଲାକୁ ସରକାରଙ୍କ ପ୍ରମୁଖ ସଫଳତା ଭାବେ ଉଲ୍ଲେଖ କରି ସେ କହିଛନ୍ତି, “ଜିରୋ କାଜୁଆଲ୍ଟି ଅଭିଯାନ ସଫଳ ହୋଇଛି। ପ୍ରାୟ ୮.୧ ଲକ୍ଷ ଲୋକଙ୍କୁ ୬,୨୧୦ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା।”
ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ। ଜନସେବାରେ ସମର୍ପଣ ହିଁ ଅଧିକାରୀଙ୍କ ମାନଦଣ୍ଡ ହେବା ଉଚିତ, ପ୍ରତିଷ୍ଠା ନୁହେଁ।” ସରକାରୀ ଜମିକୁ ଜବରଦଖଲମୁକ୍ତ କରିବା, ଜନଜାତି ଓ ଅନୁସୂଚିତ ଜାତିଙ୍କ ଜମି କିଣାବିକାରେ ଅନିୟମିତତା ରୋକିବା ଏବଂ ମୌସୁମୀ ବର୍ଷା ଓ ବାତ୍ୟା ପାଇଁ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଅଧିକାରୀମାନଙ୍କୁ ମାନସିକତା ବଦଳାଇ ଲୋକାଭିମୁଖୀ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ସମୟାନୁବର୍ତ୍ତୀ ସେବା ଓ ଉତ୍ତମ ବ୍ୟବହାର ଜରିଆରେ ଆସ୍ଥା ଅର୍ଜନ କରନ୍ତୁ।” କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ।
ଦୁଇ ଦିନିଆ ଏହି କର୍ମଶାଳାରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରମାନେ ଅଂଶଗ୍ରହଣ କରିଥିଲେ।