Utkala Mirror I Odisha News, Latest Odia News

ମୋନ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇ ଗସ୍ତରୁ ସୋମବାର ବିଳମ୍ବିତ ରାତିରେ ଫେରିଆସିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାତ୍ୟା ମୋନ୍ଥା ମୁକାବିଲା ଲାଗି ସରକାରଙ୍କର ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ ଡାକିଛନ୍ତି । ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବେ । ଅନ୍ୟ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈୟକରେ ଯୋଗଦେବେ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ପ୍ରଶାସନର ପ୍ରସ୍ତୁତି ନେଇ ଆଲୋଚନା କରିବେ । ଅଧିକ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୮ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ୧୪୪୫ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ୩୨ ହଜାର ୫୨୮ ଜଣ ଲୋକଙ୍କୁ ନିରାପଦ ଭାବେ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଶ୍ରୟସ୍ଥଳୀମାନଙ୍କରେ ଆବଶ୍ୟକତା ଅନୁଯାୟୀ ଶୁଖିଲା ଖାଦ୍ୟ ସହ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୧୪୯୬ ଆସନ୍ନ ପ୍ରସବା ମହିଳାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଆହୁରି ୭୬୦ ଜଣ ମହିଳାଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚାଲିଛି

Exit mobile version