କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇନି

ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯାଉଥିଲା; କିନ୍ତୁ ଗତ ୧୮ ମାସ ସରକରେ ତାହା ହୋଇନାହିଁ। କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇ ନାହିଁ। ଅପରାଧୀମାନେ ସୁଧୁରି ଯାଆନ୍ତୁ, ନଚେତ ସେମାନଙ୍କୁ ଜେଲକୁ ପଠାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ବିଧାନସଭାରେ ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ଅନୁଦାନ ଖର୍ଚ୍ଚ ଉପରେ ଆଲୋଚନାରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ। ରାଜ୍ୟରେ ପୁଞ୍ଜି ନିବେଶ ବଢ଼ିବ।ଆମ ସରକାର ପ୍ରଥମ ଦିନରୁ ହିଁ ଏହି ଦିଗ ପ୍ରତି ଧ୍ୟାନ ଦେଇଆସୁଛନ୍ତି। ବ୍ୟକ୍ତିଗତ ଭାବେ ପୁଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନର ମର୍ଯ୍ୟାଦା ମଧ୍ୟରେ ରହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦିଆଯାଇଛି। ଏହାର ଫଳାଫଳ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ପ୍ରତିଫଳିତ ହେଉଛି। ବିରୋଧୀକୁ ମୁଖ୍ୟମନ୍ତ୍ରୀ କଟାକ୍ଷ କରି କହିଥିଲେ, ଏନସିଆରବି-୨୦୨୩ ରିପୋର୍ଟ ଅନୁସାରେ ୨୦୨୩ରେ ଦଣ୍ଡନୀୟ ଅପରାଧ ହାର ପୂର୍ବବର୍ଷ ତୁଳନାରେ ୧୨.୨ପ୍ରତିଶତ ଅଧିକ ଥିଲା। ମହିଳାଙ୍କ ବିରୋଧରେ ହିଂସା ଥିଲା ୨୫ହଜାର ୯୧୪। ଅର୍ଥାତ ପୂର୍ବବର୍ଷ ତୁଳନାରେ ୯.୬ପ୍ରତିଶତ ବୃଦ୍ଧି। ମହିଳାଙ୍କ ସମ୍ମାନ ହାନି ପାଇଁ ଆକ୍ରମଣ ମାମଲା ହେଉଛି ୫ ହଜାର ୯୩୭, ଯାହା ଦେଶରେ ଦ୍ବିିତୀୟ ସର୍ବାଧିକ। ମହିଳାଙ୍କୁ ସର୍ବସାଧାରଣରେ ନିର୍ବସ୍ତ୍ର କରିବାର ଘଟଣା ହୋଇଥିଲା। ଓଡିଶାରେ ଆଇନ-କାନୁନର ରାଜୁତି ରହିବ। କୌଣସି ରାଜନୈତିକ ଦଳର ନୁହେଁ। ପୂର୍ବରୁ ରାଜ୍ୟର ଥାନାଗୁଡିକୁ କିପରି ଭାବେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ପାର୍ଟି ଅଫିସ ଭାବେ ବ୍ୟବହାର କରାଯାଉଥିଲା, ତାହା ଓଡ଼ିଶାବାସୀ ଜାଣିଛନ୍ତି। ଯାହାର ଶାସନ ସମୟରେ ପ୍ରଭାବଶାଳୀ ମନ୍ତ୍ରୀ ବି ସୁରକ୍ଷିତ ନ ଥିଲେ। ଆମ ସରକାରଙ୍କ ପାଇଁ ଅପରାଧୀର କେବଳ ଗୋଟିଏ ପରିଚୟ, ଆଇନ ଆଗରେ ସମସ୍ତେ ସମାନ। ସିଏ ସାଧାରଣ ଅପରାଧୀ ଟିଏ ହେଉ କିମ୍ବା ବାହୁବଳୀ ପୂର୍ବତନ ବିଧାୟକ ହେଉ। ଆଇନ ତା ବାଟରେ ଯିବ, ଅପରାଧୀ ଯେତେ ବଡ ପ୍ରଭାବଶାଳୀ ହେଲେ ବି ତାର ଗୋଟିଏ ଠିକଣା, ‘ଜେଲର ଚାରିକାନ୍ଥ’। ଓଡିଶାବାସୀ ସରକାରଙ୍କ ଏହି ଅପରାଧ ନିୟନ୍ତ୍ରଣ ପ୍ରତିବଦ୍ଧତା ବିଷୟରେ ହୃଦୟଙ୍ଗମ କରି ସାରିଲେଣି ଏବଂ ତାର ପ୍ରତିଫଳନ ନୂଆପଡା ଉପ-ନିର୍ବାଚନରେ ଦେଖିବାକୁ ମିଳିଛି। ସାମଗ୍ରିକ ଭାବରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଏବଂ ଶାନ୍ତିପୂର୍ଣ୍ଣ ଅଛି। ମାଲକାନଗିରି, ଦେବଗଡ଼ ଏବଂ ସୁବର୍ଣ୍ଣପୁର ଜିଲାରେ ସ୍ବତନ୍ତ୍ର ଫାଟ ଟ୍ରାକ ପୋସ୍କା କୋର୍ଟ ପ୍ରତିଷ୍ଠା ପାଇଁ ଉଚ୍ଚ ନ୍ୟାୟାଳୟ ସରକାର ପ୍ରସ୍ତାବ ଦେଇଛନ୍ତି। ଖୁବ ଶୀଘ୍ର ଏହା ଅନୁମୋଦନ ପ୍ରାପ୍ତ ହେବ। ନୂତନ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବା ପରେ ୨୦୨୪, ଜୁଲାଇ ୧ରୁ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ୩୯ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୭ ବର୍ଷରୁ ଅଧିକ ଦଣ୍ଡ ବିଧାନ କରାଯାଇଛି। ଆମ ସରକାର ଶାସନକୁ ଆସିବାର ୧୫ ମାସରେ ଦୁଷ୍କର୍ମ ମାମଲା ୩.୩ % ହ୍ରାସ ପାଇଛି। ଅସଦାଚରଣ ମାମଲା ୧.୯ % ହ୍ରାସ, ଯୌନ ନିର୍ଯାତନା ମାମଲାରେ ୦.୭ % ସାମାନ୍ୟ ବୃଦ୍ଧି, ସର୍ବସାଧାରଣରେ ନିର୍ବସ୍ତ୍ର ମାମଲାରେ ୨୨.୨ % ହ୍ରାସ, ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ୬୬.୭ % ହ୍ରାସ, ମହିଳା ଚାଲାଣ ମାମଲାରେ ୨୪.୧ % ହ୍ରାସ, ଯୌତୁକ ହତ୍ୟା ମାମଲାରେ ୨୦.୬ % ହ୍ରାସ, ଯୌତୁକ ନିର୍ଯାତନା ମାମଲାରେ ୭.୨ % ହ୍ରାସ, ହତ୍ୟା ୬.୧ % ହ୍ରାସ, ଡକାୟତି ୫.୫ % ହ୍ରାସ, ଲୁଟ୍ ୩୩.୮ % ହ୍ରାସ ଏବଂ ଦଙ୍ଗା ୨୨.୨ % ହ୍ରାସ ପାଇଛି। ସମୃଦ୍ଧ ଓଡିଶା ଓ ବିକଶିତ ଭାରତର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ଗୃହ ବିଭାଗର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏକ ସୁଦୃଢ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ଓ ସର୍ବବିଧ ବିକାଶ ପାଇଁ ନିତାନ୍ତ ଆବଶ୍ୟକ। ମହିଳା, ଶିଶୁ, ଦୁର୍ବଳ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୁରକ୍ଷା ଆମ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପରେ ବାଚସ୍ପତି ସୁରମା ପାଢୀ ସ୍ବରାଷ୍ଟ୍ର ବିଭାଗ ବିଭାଗ-୧ର ୮୫,୭୩ ଲକ୍ଷ ଟଙ୍କା ଓ ସ୍ବରାଷ୍ଟ୍ର ବିଭାଗ ଭାଗ-୨ର ୧୭୦,୬୮,୪୪,୦୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ ଦାବିକୁ ଗୃହରେ ପାରିତ କରାଇଥିଲେ।