ପୂର୍ବ ଆକଳନ ଅନୁସାରେ ଓଡିଶାରେ ମୋନ୍ଥାର ପ୍ରଭାବ କମ ପଡିଛି । ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କିଛି ସ୍ଥାନରେ ପଥର ଓ ଗଛ ପଡିଥିବା ରିପୋର୍ଟ ଆସିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କିଛି ବଡ ଧରଣର ଅଘଟଣ କିମ୍ବା କ୍ଷୟକ୍ଷତି ରିପୋର୍ଟ ଆସିନାହିଁ । ବିଭାଗୀୟ ପ୍ରସ୍ତୁତି ଓ ନିରାପଦ ସ୍ଥାନକୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଗଜପତି ଜିଲ୍ଲାର କାଠିନଗର ବ୍ଲକ ଅଞ୍ଚଳରେ ପଥର ପଡିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନ ହାନୀ ହୋଇନାହିଁ କି କୌଣସି ପଶୁ ସମ୍ପଦର ଜୀବନ ହାନୀ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲ ରୁମ ପରିଦର୍ଶନ କରି ବାତ୍ୟା ‘ମୋନ୍ଥା’ର ପରିସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ରାତି ୯ ଟା ସମୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲ ରୁମ ପରିଦର୍ଶନ କରି ବାତ୍ୟା ‘ମୋନ୍ଥା’ର ପରିସ୍ଥିତି ଅନୁଧ୍ୟାନ କରିବା ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ଏବଂ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀଙ୍କ ସହିତ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟାର ପ୍ରଭାବ ସମ୍ପର୍କରେ ଯେଉଁଭଳି ଭାବେ ଆଶଙ୍କା କରାଯାଉଥିଲା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କିଛି ବଡ଼ ପ୍ରଭାବ ପରିଲକ୍ଷିତ ହୋଇନାହିଁ । ତେବେ, ଆସନ୍ତା କାଲି ବାତ୍ୟା ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲା ଦେଇ ଗତି କରିବାର ସମ୍ଭାବନା ରହିଛି । ପ୍ରଭାବ ଛୋଟ ହେଉ କି ବଡ଼ ହେଉ, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ସଜାଗ ଅଛନ୍ତି ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟା ପରିଚାଳନା କରୁଛନ୍ତି ।
କାକିନାଡା ଠାରୁ ଅମଲାପୁରମ ପାଖରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ତୃଣମୂଳ ସ୍ତରରୁ ସ୍ଥିତି ଉପରେ ନଜର ରଖାଯାଇଛି । ଅଧିକ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବା ୮ଟି ଜିଲ୍ଲାରେ ସ୍ଥିତି କିପରି ଅଛି ଜାଣିବା ପାଇଁ ଓସଡମା କଣ୍ଟ୍ରୋଲରୁମ ଆସିଥିଲି । ଆମେ ପ୍ରଥମେ ଆଇଏମଡିର ଗ୍ରାଫିକ ଚିତ୍ର ଦେଖି ଆଲୋଚନା କରିଛୁ । ଆଶଙ୍କା ଅନୁସାରେ ସେଭଳି ବଡ ପ୍ରଭାବ ପଡିନାହଁ । ୮ ଟି ଜିଲ୍ଲା ଯେଉଁଭଳି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା, ସେହିଭଳି ପ୍ରଭାବିତ ହୋଇନାହିଁ ବୋଲି, ଯାହା ରିପୋର୍ଟ ଆସୁଛି । ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହାକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ବଡ ଧରଣର ବର୍ଷା ବା ପବନ ବହିବା ଦେଖାଯାଇନାହିଁ ।
ଏବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିଛି, ହେଲେ ମାଲକାନାଗିରିରେ ତାର ପ୍ରଭାବ ପଡିନାହିଁ । ସେଥିପାଇଁ ଆମେ ବଣ୍ଡାଘାଟି ଓ ଅନ୍ୟ ଅଞ୍ଚଳର ରିପୋର୍ଟ ତର୍ଜମା କରାଯାଇଛି । ସେ ରିପୋର୍ଟରୁ ଯାହା ଜଣାପଡୁଛି, ସେଭଳି କିଛି ବଡ ଘଟଣା ଘଟିନାହିଁ । କେବଳ ଗୋଟିଏ କି ଦୁଇଟି ସ୍ଥାନରେ ଗଛ ପଡିଥିବା ରିପୋର୍ଟ ଆସିଛି । ଗଜପତି ଜିଲ୍ଲାର କାଠିନଗର ବ୍ଲକ ଅଞ୍ଚଳରେ ପଥର ପଡିଥିଲା । ଏହାଦ୍ବାରା କୌଣସି ଜୀବନ ହାନୀ ହୋଇନାହିଁ କି କୌଣସି ପଶୁ ସମ୍ପଦର ଜୀବନ ହାନୀ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ଓସଡମା କଣ୍ଟ୍ରୋଲରୁମରୁ ସ୍ଥିତି ଉପରେ ନଜର ରଖାଯାଇଛି । ଏନଡିଆରଏଫ, ପୋଲିସ ମୁତୟନ ଠାରୁ ଆରମ୍ଭ କରି ଖାଦ୍ୟ, ପାନୀୟ ଜଳ
ସରକାରଙ୍କ ପଦକ୍ଷେପ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୭, ୮୧୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆବଶ୍ୟକ ହେଲେ ଆଉ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସେହିଭଳି ୨୧୯୮ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି, ଆଉ ୬୫୧ ଜଣଙ୍କୁ ସ୍ଥାନାନ୍ତରଣ କରାଯିବ । ସମୁଦାୟ ୨୮୪୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବିଭିନ୍ନ ବିଭାଗ ଶକ୍ତି, ପୂର୍ତ୍ତ, କୃଷି ସମସ୍ତ ପ୍ରକାରର କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଫୋନ କରିଥିଲେ । ପ୍ରସ୍ତୁତି ଓ ପ୍ରଭାବର ସ୍ଥିତି ସମ୍ପର୍କରେ ପଚାରି ବୁଝୁଥିଲେ । ଆନ୍ଧ୍ର ଉପରେ ମଧ୍ୟ ବାତ୍ୟାର ପ୍ରଭାବ ଆଶଙ୍କା ଠାରୁ କମ ରହିଛି । ସ୍ଥିତି ସ୍ବାଭାବିକ ହେଲେ ବାତିଲ ଟ୍ରେନଗୁଡିକୁ ପୁନଃ ଚଳାଚଳ କରିବା ନେଇ ରେଳମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
ଓଡିଶା ଏକ ପ୍ରକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ସେଥିପାଇଁ ପ୍ରତିବର୍ଷ ଓଡିଶା ଏଥିରେ ସମ୍ମୁଖୀନ ହେଉଥିଲେ ମଧ୍ୟ ଦୃଢ ବିପର୍ଯ୍ୟୟ ପରିଚାଳନା ନୀତି ଯୋଗୁଁ ସଫଳ ହୋଇଛୁ । ଓଡିଶାର ବିପର୍ଯ୍ୟୟ ପରିଚାଳନାର କ୍ଷାତି ଅଛି । ସରକାର ସମ୍ପୂର୍ଣ୍ଣ ଭାବେ ସତର୍କତାର ସହ ପରିଚାଳନା କରୁଛନ୍ତି । ଶୂନ୍ୟ ମୃତାହତକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛୁ । ସବୁ ଟିମଙ୍କୁ ଏନେଇ ସତର୍କ କରାଯାଇଛି । ଯେ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରକିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦରୁ ଓଡିଶାବାସୀ ସୁରକ୍ଷିତ ଅଛନ୍ତି । ଗତ ବର୍ଷ ଦାନା ବାତ୍ୟା ଓଡିଶାକୁ ଆସିଥିଲା । ପୂର୍ବ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ କରିଥିବା ପ୍ରଶ୍ନର ଉତ୍ତର ରଖି ରାଜସ୍ବମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ମୃତ୍ୟୁ କେଉଁ କାରଣରୁ ହୋଇଛି, ସେ ରିପୋର୍ଟ ଆସିନାହିଁ । ସେ ନିଜ ଘରେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ବିଭାଗୀୟ ଅଧିକାରୀମାନେ ତାଙ୍କୁ ଡାକ୍ତରଙ୍କ ପାଖକୁ ଆଣିଥିଲେ । ପୋଷ୍ଟମର୍ଟମ ହେବା ପରେ ତାଙ୍କର ମୃତ୍ୟୁର କାରଣ ଜଣାପଡିବ ।
କମ ପ୍ରଭାବ ପଡିଛି, ପରବର୍ତ୍ତି ପରିସ୍ଥିତି ଉପରେ ନଜର : ମୁଖ୍ୟମନ୍ତ୍ରୀ
