• Home
  • ରାଜ୍ୟ
  • ଡବଲ ଇଞ୍ଜିନ ସରକାରଙ୍କୁ ଶ୍ରେୟ, ୩ କେନ୍ଦ୍ରମନ୍ତ୍ରୀଙ୍କୁ ମୋହନଙ୍କ ପ୍ରଶଂସା
Image

ଡବଲ ଇଞ୍ଜିନ ସରକାରଙ୍କୁ ଶ୍ରେୟ, ୩ କେନ୍ଦ୍ରମନ୍ତ୍ରୀଙ୍କୁ ମୋହନଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର କନଭେନସନ୍ ସେଣ୍ଟରରେ ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ଓଡ଼ିଶାର ଡବଲ ଇଞ୍ଜିନ ସରକାରର ପ୍ରଥମ ବର୍ଷର ସଫଳତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ଅଭିଭାଷଣ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ଆତଙ୍କବାଦ ବିରୋଧରେ ଓଡ଼ିଶାର ଦୁଇ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ବର୍ଷ ଜୁନ ୧୨ରେ ଗଠିତ ଏହି ସରକାର ଜନତାଙ୍କ ଆସ୍ଥା ଅନୁସାରେ ‘ସମୃଦ୍ଧ ଓଡ଼ିଶା’ ଗଠନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ସେବାରେ ଆମ ସରକାରଙ୍କ ଏକ ସଫଳ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଅଛି ।
ଆଜିକୁ ଏକ ବର୍ଷ ତଳେ ଅର୍ଥାତ ଜୁନ 4, 2024ରେ ଓଡିଶାର ଜନ ସାଧାରଣ ଆମ ଉପରେ ଆସ୍ଥା ପ୍ରକଟ କରି ଆମକୁ ସମୃଦ୍ଧି ଓ ବିକଶିତ ଓଡ଼ିଶା ଗଠନର ଦାୟିତ୍ୱ ଦେଇଥିଲେ, ଏବଂ ଜୁନ ୧୨ ତାରିଖରେ ଓଡିଶାରେ ପ୍ରଥମ ଥର ଭାବେ ଆମ ସରକାର ଗଠନ ହୋଇଥିଲା। ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ କ୍ଷଣ ଥିଲା।
ଶାସନଭାର ସମ୍ଭାଳିବା ସହିତ ଆସିଥିଲା ଏକ ଗୁରୁ ଦାୟିତ୍ଵ। ଓଡିଶାର ସାଢେ ଚାରିକୋଟି ଜନତା ଯେଉଁ ଆଶା ଓ ଆକାଂକ୍ଷା ସହିତ ଏକ ବିକଳ୍ପ ବାଛିଥିଲେ, ତାହା ପୂରଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଥିଲା। ମୁଁ ଭଲ ଭାବେ ଜାଣିଥିଲି ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଯିବ ବିଗତ ସରକାର ସହିତ ତୁଳନା। ମୁଁ ଏହା ବି ହୃଦୟଙ୍ଗମ କରିଥିଲି ଯେ ଲୋକେ କହିବେ ଆମର ମନ୍ତ୍ରୀମଣ୍ଡଳ ଏକ ଅନଭିଜ୍ଞ ମନ୍ତ୍ରୀମଣ୍ଡଳ। ଆମ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ସମୟ ବହୁତ କମ ଥିଲା।
ତେଣୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ଆଶୀର୍ବାଦରେ ଶପଥଗ୍ରହଣ ଉତ୍ସବ ସାରିବା ମାତ୍ରେ ପ୍ରଥମ କ୍ୟାବିନେଟ ବସିଥିଲା ଏବଂ ମାତ୍ର ୨୪ ମିନିଟରେ ଚାରିଗୋଟି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା, ଯାହା ଆମ ପ୍ରତିଶୃତିର ଥିଲା ‘ଆତ୍ମା’। ଆଉ ସେହି ଦିନରୁ ଆରମ୍ଭ ହୋଇଥିଲା ‘ସୁଶାସନର ଯାତ୍ରା’। ତା’ ପରଦିନ ଅର୍ଥାତ, ଜୁନ ୧୩ ତାରିଖ ଦିନ ମୁଁ ମୋର ପୁରା ମନ୍ତ୍ରୀମଣ୍ଡଳ ସହିତ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ ଯାଇଥିଲି ଏବଂ ସେହିଦିନ ନୂତନ ସରକାରଙ୍କ ପ୍ରଥମ ନିଷ୍ଫତ୍ତି କାର୍ଯ୍ୟକାରୀ ହୋଇଥିଲା, ‘ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା’। ପ୍ରଭୁଙ୍କ ଆଶୀର୍ବାଦ ନେଇ ନୂଆ ସରକାରଙ୍କ କାର୍ଯ୍ୟ କାଳ ଆରମ୍ଭ ହୋଇଥିଲା ଏବଂ ଆଜି ପ୍ରାୟ ଏକ ବର୍ଷ ପରେ ଏହି ନୂତନ ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ସମର୍ଥ ହୋଇଥିଲା।
ଆପଣମାନେ ଜାଣିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ ସବୁବେଳେ କୁହନ୍ତି ଏ ଦେଶରେ ଚାରିଗୋଟି ଜାତି ଅଛନ୍ତି, ‘ଗରିବ, ଅନ୍ନଦାତା, ଯୁବା ଏବଂ ମହିଳା’। ତେଣୁ ଆମ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନା ଏହି ଚାରିଜାତିଙ୍କୁ ମୁଖ୍ୟ ହିତାଧିକାରୀ ଭାବେ ବିଚାରକରି କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇଥିଲା।
ଆମର ପ୍ରତିଶୃତି, ଲୋକଙ୍କ ଆଶା, ରାଜ୍ୟର ସମ୍ବଳ ସବୁକୁ ବିଚାର କରି କେବଳ ଗୋଟିଏ ବର୍ଷ ନୁହେଁ, ‘ସମୃଦ୍ଧ ଓଡିଶା’ ପାଇଁ ଯୋଜନା ପ୍ରସ୍ତୁତ କରିଥିଲୁ। ଏହି ଯୋଜନାରେ ଥିଲା ଚାରିଗୋଟି ସ୍ତମ୍ଭ, ‘ଜୀବନ ଜୀବିକା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ ତଥା ଓଡିଆ ଅସ୍ମିତା’। ଏହି ଭାବ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଥମ ବଜେଟରେ ପ୍ରତିଫଳିତ ହୋଇଥିଲା।
ପ୍ରଥମ ସ୍ତମ୍ଭ, ଜୀବନ ଜୀବିକା, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜୀବନ ଜୀବିକାକୁ ସୁଦୃଢ କରିବା ପାଇଁ ଦୁଇଗୋଟି ମୁଖ୍ୟ ରଣନୀତି ପ୍ରସ୍ତୁତ କରଯାଇଥିଲା, କୃଷି ଏବଂ ଉଦ୍ଯୋଗ। ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ କେବଳ କୃଷିରେ ତାହା କରିହେବ ନାହିଁ, ଆମକୁ ଏକ ‘କୃଷି ଭିତ୍ତିକ ଅର୍ଥନୀତି’ ରୁ ‘ମିଶ୍ରିତ ଅର୍ଥନୀତି’ ଆଡକୁ ଅଗ୍ରସର ହେବାକୁ ପଡିବ, କାରଣ ରାଜ୍ୟର ୬୦ ପ୍ରତିଶତରୁ ବି ଅଧିକ ଲୋକେ ନିଜ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି କିନ୍ତୁ ରାଜ୍ୟର ସକଳ ଉତ୍ପାଦ (GSDP) ପ୍ରତି ମାତ୍ର ୨୧ ପ୍ରତିଶତ ଅବଦାନ ଦେଇଥାନ୍ତି। ତେଣୁ, କୃଷି ଓ କୃଷକ କଲ୍ଯାଣ ସହିତ ଦୃତ ଶିଳ୍ପାୟନ ଅତ୍ୟନ୍ତ ଆବଶ୍ୟକ।
ଆଜି ଡବଲ ଇଞ୍ଜିନ ସରକାରର ସବୁ ସିଲିଣ୍ଡର ଫାୟାର କରୁଛି। ଏହାର ପ୍ରମାଣ ହେଉଛି ମାତ୍ର ବର୍ଷକ ଭିତରେ ରେଳ ବିକାଶ ପାଇଁ ୭୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟରେ ସଡକ ବିକାଶ ପାଇଁ ୧୨ ହଜାର କୋଟିରୁ ବି ଅଧିକ ପ୍ରକଳ୍ପ ଚାଲୁଅଛି। ରାଜ୍ୟରେ ଆଗାମୀ ଦିନରେ ୭୫ ହଜାର କିଲୋମିଟର ଉଚ୍ଚ ମାନର ସଡକ ନିର୍ମିତ ହେବ। ଆଗାମୀ ପାଞ୍ଚ ବର୍ଷ ଭିତରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଛି। ୨୦୨୬ ଶୁଦ୍ଧା ପ୍ରତି ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ପାଇପ ଦ୍ଵାରା ଯୋଗାଇ ଦିଆଯିବ।
ସରକାରଙ୍କ ଏହି ସବୁ ଯୋଗୋପୋଯୋଗୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଦୃଢ, ସ୍ଵଚ୍ଛ ଏବଂ ଦୁର୍ନୀତିବିହୀନ ଶାସନ-ପ୍ରଶାସନ ଆବଶ୍ୟକ। ମୁଁ ଗର୍ବର ସହିତ କହିବାକୁ ଚାହେଁ ଯେ , ମୁଁ ପୁନର୍ବାର repeat କରୁଛି ଯେ ଗୋଟିଏ ବି ଦୁର୍ନୀତିର ଅଭିଯୋଗ ବିରୋଧୀ ଦଳ ବି ଆଣି ନାହିଁ। ମୁଁ ଏଥିପାଇଁ ମୋର ସବୁ ମନ୍ତ୍ରୀମଣ୍ଡଳ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି, ଆପଣମାନେ ସମସ୍ତେ ରାଜନୈତିକ ସୂଚକାଙ୍କ କୁ ସବୁବେଳେ ଉର୍ଦ୍ଧ୍ଵରେ ରଖିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଓଡିଶାକୁ ପ୍ରତିନିଧିତ୍ଵ କରୁଥିବା ତିନି ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ନିଜ ନିଜ ବିଭାଗରେ ଯାହାସବୁ ସମ୍ଭବ ଓଡିଶା ପାଇଁ ଅବଦାନ ଦେବା ସହିତ, ଅନ୍ୟ ବିଭାଗ ସହିତ ଯୋଗସୂତ୍ର ରକ୍ଷାକରୀ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ମୋର ଦୃଢ ବିଶ୍ବାସ, ଆଗକୁ ଏହି ପ୍ରଚେଷ୍ଟା ଓ ଅବଦାନ ଓଡିଶା ପ୍ରତି ଜାରି ରହିବ।  ମୁଁ ଆଶା କରିବି, ଆମର ମାନ୍ୟବର ସାଂସଦ ମାନେ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସଫଳତା ଓ ବିକାଶର ଚିତ୍ର ଆଙ୍କିବାରେ ସଫଳ ହେବେ। ତା ସହିତ ଓଡିଶାର ବିଭିନ୍ନ ବିଷୟକୁ ନେଇ ଉପଯୁକ୍ତ ସହଯୋଗ ଓ ସହାୟତା ପାଇଁ ବିଭିନ୍ନ ମଞ୍ଚରେ ମତ ରଖିବେ।
ଗୋଟିଏ ଧାଡିରେ ଯଦି ମୁଁ ସରକାରଙ୍କ ସଫଳତା କହିବି ତାହା ହେଉଛି, ‘ବର୍ଷ ଏକ, ଉପଲବ୍ଧି ଅନେକ’। ମନ୍ତ୍ରୀ, ବିଧାୟକ ତଥା ସାଂସଦମାନେ ଗାଁ ଠାରୁ ଆରମ୍ଭ କରି ସେମାନଙ୍କ ବିଧାନସଭା କ୍ଷେତ୍ର ଓ ପ୍ରଭାରୀ ମନ୍ତ୍ରୀମାନେ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲା ଗୁଡିକରେ ସରକାରଙ୍କ ବିଭିନ୍ନ ସଫଳତା ବିଷୟରେ ଲୋକଙ୍କ ପାଖରେ ତଥ୍ୟ ଉପସ୍ଥାପନ କରିବେ। ଆପଣମାନଙ୍କ ସହଯୋଗରେ ଏବଂ ଜନସାଧାରଣଙ୍କ ସମର୍ଥନରେ ଆମର ବିକାଶର ସମସ୍ତ ଲକ୍ଷ୍ୟ ପୂରଣ ହେବ।
ଏହି ବୈଠକରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ , ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ, ରାଜ୍ୟ  ସାଂସଦଗଣ ଓ ବିଧାୟକଗଣ ଉପସ୍ଥିତ ରହି ଏକ ବର୍ଷର ସଫଳତା ଓ ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

Releated Posts

ଶ୍ରୀମନ୍ଦିରର ୨ କିଲୋମିଟର ପରିସରରେ ମଦ ଓ ଆମିଷ ବିକ୍ରି ବନ୍ଦ

ବିଶ୍ୱ ପ୍ରସିଦ୍ଧ ପୁରୀକୁ ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଆସୁଛନ୍ତି । ଏହା ଏକ ଆନ୍ତର୍ଜାତୀୟ ତୀର୍ଥସ୍ଥଳୀ । ଏହାକୁ ଦୃଷ୍ଟିରେ…

ByByutkalamirror.comJun 9, 2025

୧୦ ଲକ୍ଷ ଲାଞ୍ଚ ନେଉଥିଲେ, ଆଇଏଏସଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ଧୀମନ ଚକ୍ମାଙ୍କୁ ଭିଜିଲାନ୍ସ ଲା଼ଚ ନେବା ବେଳେ ଧରିଛି । ସୂଚନା ଅନୁସାରେ,…

ByByutkalamirror.comJun 8, 2025

ନନ୍ଦନକାନନରେ ଜନ୍ମ ନେଲେ ୨ ବାଘ ଶାବକ

ନନ୍ଦନକାନନ ଧଳା ବାଘୁଣି ମୌସୁମୀ ଗତକାଲି ରାତି ସମୟରେ ଦୁଇଟି ଶାବକକୁ ଜନ୍ମ ଦେଇଛି।  ଗୋଟିଏ ଶାବକ ସାଧାରଣ ରଙ୍ଗର ଓ ଅନ୍ୟଟି ଶ୍ୱେତ…

ByByutkalamirror.comJun 8, 2025

ଶ୍ରୀମନ୍ଦିର ପାଣ୍ଠି ବଢାଇବାକୁ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ବଢ଼ାଇବା ଓ ଅନଲାଇନ୍ ଦାନ ବ୍ୟବସ୍ଥାରେ ସୁଧାର ଓ ସରଳିକରଣ କରିବାକୁ ଓଡ଼ିଶା ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି।…

ByByutkalamirror.comJun 7, 2025