Utkala Mirror I Odisha News, Latest Odia News

୪୯ ଜଣ ବାଂଲାଦେଶୀ ଚିହ୍ନଟ ହେବ ପରେ ବିଦା

ଓଡ଼ିଶାରେ ବେଆଇନ୍ ଭାବେ ରହୁଥିବା ୫୧ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ବିଦା କରାଯାଇ ଥିବା ବେଳେ ଜାଲ କାଗଜପତ୍ର ଜରିଆରେ ନିଜ ନାମରେ ଭାରତୀୟ ପାର୍ସପୋର୍ଟ କରିନେଇଥିବାରୁ ୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୫୦ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କ କାଗଜପତ୍ର ଯାଞ୍ଚ ଜାରି ରହିଛି। ସୋମବାର ବିଧାନସଭାରେ ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ମାଧ୍ୟମରେ ଏହା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗିରଫ ବାଂଲାଦେଶୀଙ୍କ ମଧ୍ୟରୁ ଭୁବନେଶ୍ବରରୁ ସର୍ବାଧିକ ୨୪ ଜଣ ଧରାପଡିଥିବା ବେଳେ କଟକରୁ ୧୫, ବ୍ରହ୍ମପୁରରୁ ୬, କନ୍ଧମାଳରୁ ୪, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଏଁ ଧରାପଡିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ମେ’ ମାସରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦେଶ ଅନୁସାରେ ଓଡ଼ିଶା ସବୁ ଜିଲାରେ ଅବୈଧ ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଓ ଦେଶାନ୍ତର କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟବାହିନୀ ଗଠନ କରାଯାଇଛି। ଦୁଇଟି ରାଜ୍ୟସ୍ତରୀୟ ଏବଂ ୧୮ ଟି ଜିଲାସ୍ତରୀୟ ଅନୁପ୍ରବେଶକାରୀ ଅଟକ କେନ୍ଦ୍ର ଖୋଲା ଯାଇ ଦେଶାନ୍ତର ପର୍ଯ୍ୟନ୍ତ ଅନୁପ୍ରବେଶକାରୀଙ୍କୁ ସେଠାରେ ରଖାଯାଉଛି। ଏହି ଚିହ୍ନଟ ପ୍ରକ୍ରିୟାରେ ଅଦ୍ୟାବଧି ୧୭୬୮ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇ ୧୬୬୭ ଜଣଙ୍କୁ ମୁକ୍ତ କରାଯାଇଛି। ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲା ଆରକ୍ଷୀ ଅଧିକ୍ଷକ, ଜୋନାଲ ସ୍ବତନ୍ତ୍ର ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଅନୁପ୍ରେବେଶକାରୀଙ୍କୁ ଚିହ୍ନଟ ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ସ୍ବତନ୍ତ୍ର ଶାଖାର ଜିଲା ୟୁନିଟ ଗୁଡ଼ିକୁ ବ୍ୟବହାର କରାଯାଉଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ବିଭିନ୍ନ ପ୍ରକାର ମୋବାଇଲ ଆପ୍ଲିକେସନ୍ ବ୍ୟବହାର କରାଯାଉଛି। ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ବାଂଲାଅନୁପ୍ରବେଶକାରୀ ଜିଲା ଗୁଡ଼ିକୁ ପରିଦର୍ଶନ କରୁଛନ୍ତି। ଏହା ବ୍ୟତୀତ ସୀମା ସୁରକ୍ଷା ବାହିନୀ, ପଶ୍ଚିମ ବଙ୍ଗ ଗୁଇନ୍ଦା ସଂସ୍ଥା, କେନ୍ଦ୍ର ଗୁଇନ୍ଦା ସଂସ୍ଥା, କେନ୍ଦ୍ର ଗୃହ ମନ୍ତ୍ରାଳୟର ସହାୟତା ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version