Utkala Mirror I Odisha News, Latest Odia News

ମଙ୍ଗଳବାର ଡ୍ରାଇଭରଙ୍କ ଷ୍ଟିୟାରିଂ ଛାଡ଼ ଆନ୍ଦୋଳନ

ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ନିଷ୍ପତ୍ତି ନେଇଛି । ଏନେଇ ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି । ୬ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ସୂଚନା ଦେଇଛନ୍ତି।ଜରୁରୀ କାଳୀନ ସେବା ଯୋଗାଉଥିବା ଚାଳକ ଏହି ଆନ୍ଦୋଳନରେ ସାମିଲ ହେବେ ନାହିଁ। ଆନ୍ଦୋଳନରେ କେବଳ ବସ୍, ଟ୍ରକ୍, ମିନି ଟ୍ରକ୍ ଓ ଅଷଯା ଚାଳକ ସାମିଲ ହେବେ ବୋଲି ସଭାପତି ଶ୍ରୀ ମେଣ୍ଡୁଲି କହିଛନ୍ତି।ମୁଖ୍ୟତଃ ପୋଲିସ ହାତରୁ ଗାଡ଼ି ଚେକିଂର କ୍ଷମା ହଟାଇବା, ଗାଡ଼ି ପାର୍କିଂ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟର ନିର୍ମାଣ କରିବା, ଡ୍ରାଇଭର ୱେଲଫେୟାର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରିବା, ୬୦ ବର୍ଷରେ ପେନସନ୍ ପ୍ରଦାନ କରିବା ସହ ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିବା ଆଦି ୬ଟି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ମହାସଂଘ ସଭାପତି ଶ୍ରୀ ମେଣ୍ଡୁଲି କହିଛନ୍ତି।ସେପଟେ ମହାସଂଘ ଭିତରେ ଥିବା ଅନ୍ୟ ସଂଘମାନେ ମହାସଂଘର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ରାଜ୍ୟରେ ଡ୍ରାଇଭରଙ୍କ ମୋଟ ୩୫ ସଂଘ ଥିବାବେଳେ ଆନ୍ଦୋଳନ ଲାଗି ମାତ୍ର ଗୋଟିଏ ସଂଘ ଓହ୍ଲାଇଛି।ଅନ୍ୟ ସଂଘମାନେ ଏଥିରୁ ନିବୃତ୍ତ ରହିଛନ୍ତି। ନିଜ ଆଧିପତ୍ୟ ବିସ୍ତାର ସହ ସ୍ବାର୍ଥ ହାସଲ କରିବା ଓ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମିଳିତ ମଞ୍ଚର ସାଙ୍ଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି।

ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ଆନ୍ଦୋଳନକୁ ସମର୍ଥନ ଦେଉନାହିଁ। ଯଦି ସରକାର ସୁରକ୍ଷା ଦେବେ ତାହେଲେ ଯାନବାହାନ ଚଳାଚଳ କରିବ। ଆନ୍ଦୋଳନବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯିବ ବୋଲି ମହାସଂଘ କହିଥିବାବେଳେ ସାମାଜିକ ନୁହେଁ ବରଂ ସମ୍ପୃକ୍ତ ସଂଘ କେବଳ ନିଜ ସ୍ବାର୍ଥ ଦେଖୁଥିବା ସାଙ୍ଗଠନିକ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୩ ମାର୍ଚ୍ଚ ମାସରେ ମଧ୍ୟ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡ଼ାକରା ଦେଇଥିଲା। ଉକ୍ତ ସମୟରେ ମହାସଂଘ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା । ଡ୍ରାଇଭରମାନଙ୍କ କ୍ଷେତ୍ରରେ ଦୈନନ୍ଦିନ ଜୀବନରେ ଉପୁଜୁଥିବା ସମସ୍ୟାକୁ ନେଇ ରାଜ୍ୟର ୨୦ରୁ ଊର୍ଦ୍ଧ୍ବ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା ।ଯାହାଫଳରେ ଲୋକଙ୍କୁ ବ୍ୟାପକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା। ଯଦି ପୁଣି ୨ ବର୍ଷ ପରେ ସେହି ସମାନ ସ୍ଥିତି ଉପୁଜେ ତେବେ ରାଜ୍ୟ ସାରା ଯାତାୟତ ଏକପ୍ରକାର ଠପ୍ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି

 

Exit mobile version