ବିଦ୍ୟୁତ ବିତରଣରେ ଅବ୍ୟବସ୍ଥା ଅଭିଯୋଗ ଆଣି ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଓଡିଶା ବିଦ୍ୟୁ ବଳକା ରାଜ୍ୟ ହୋଇଥିବା ବେଳେ ଏବେ ବି ରାଜ୍ୟର ଅନେକ ଗାଁରେ ବିଜୁଳି ପହଞ୍ଚି ପାରିନାହିଁ । ବିଦ୍ୟୁ ଦେୟ ପରେ ମନଇଚ୍ଛା ଫାଇନ ଗରିବ ଲୋକଙ୍କୁ ବିଚଳିତ କରୁଛି । ଏସବୁ ମଧ୍ୟରେ ଅଘୋଷିତ ବିଦ୍ୟୁକାଟ ଅଭିଯୋଗ କରି ମଙ୍ଗଳବାର ଗୃହରେ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ବିଧାୟକମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସ୍ମାର୍ଟ ମିଟର ଲାଗି ରାଜ୍ୟ ସରକାର କରିଥିବା ୭୩୫ କୋଟି ଟଙ୍କା ବ୍ୟୟ ବରାଦ ବିତରକ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ବୋଲି କହି କଟାକ୍ଷ କରିଥିବା ବେଳେ ବିଦ୍ୟୁତ ଦେୟ ହ୍ରାସ, ବିଶେଷ କରି ଚାଷୀଙ୍କୁ ବିଶେଷ ରିହାତି ଦେବାକୁ ଦାବି କରିଛନ୍ତି । ବିରୋଧୀଙ୍କ ଅଭିଯୋଗକୁ ଅର୍ଦ୍ଧସତ୍ୟ କହି ବିଜେପି ବିଧାୟକମାନେ ଜବାବ ଦେଇଛନ୍ତି।
ମଙ୍ଗଳବାର କଂଗ୍ରେସ ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଆଲୋଚନାକୁ ଆରମ୍ଭ କରି କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା କହିଥିଲେ ଯେ, ବିଜୁଳି ବିଲ୍ ବୋଝ, ଅଘୋଷିତ ବିଦ୍ୟୁତ୍ କାଟ ବର୍ତ୍ତମାନ ଜନସାଧାରଣଙ୍କୁ ବିଚଳିତ କରୁଛି । ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନରେ ବଳକା ରାଜ୍ୟ , ହେଲେ ଏବେ ବି ବହୁ ଗାଁ ରେ ବିଦ୍ୟୁତ୍ ସେବା ପହଞ୍ଚିପାରିନାହିଁ। ଏହ ଦୁର୍ଭାଗ୍ୟଜନକ । ପୁଣି ବର୍ତ୍ତମାନ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ବୋଝ ଲଦି ଦିଆଯାଉଛି। ଓଡ଼ିଶା ସରକାର ଉତ୍ପାଦିତ ବିଦ୍ୟୁତ୍ ଶିଳ୍ପ ସଂସ୍ଥା ମାନଙ୍କୁ ଦେଇ ଦରରେ ରିହାତି ଦେଉଛନ୍ତି । କୃଷି କ୍ଷେତ୍ରକୁ ରିହାତି ଶୂନ୍ୟ । ଶିଳ୍ପ ସଂସ୍ଥାକୁ ମହାରାଷ୍ଟ୍ର ସରକାର ୟୁନିଟ୍ ପିଛା ୯ ଟଙ୍କା, କର୍ଣ୍ଣାଟକ ସରକାର ୭ ଟଙ୍କାରେ ଦେଉଛନ୍ତି। ହେଲେ ଓଡ଼ିଶାରେ ୬ ଟଙ୍କାରେ ଦିଆଯାଉଛି । ଶିଳ୍ପ ସଂସ୍ଥା ଉପରେ ୧ ଟଙ୍କା ଓଡ଼ିଶା ସରକାର ବଢ଼ାଇଲେ, ସେହି ଅର୍ଥରେ ସାଧାରଣ ଉପଭୋକ୍ତାଙ୍କୁ ରିହାତିରେ ବିଜୁଳି ଦିଆଯାଇ ପାରନ୍ତା ବୋଲି ସେ କହିଥିଲେ । ଏହାଛଡା ତୃଣମୂଳ ସ୍ତରରେ ବିଦ୍ୟୁତ୍ ସେବା ଯୋଗାଣର ସ୍ଥିତି ଉଦବେଗ ଜନକ। ଅଘୋଷିତ ବିଦ୍ୟୁତ କାଟ ହେଉଛି । ତାହାର ସମାଧାନ ନକରି ସରକାର ଚୁପ୍ ବସିଛନ୍ତି। ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ହ୍ରାସ, ଭିତ୍ତିଭୂମି ବିକାଶ, କୃଷକଙ୍କୁ ବିଦ୍ୟୁତ୍ ଦରରେ ସ୍ୱତନ୍ତ୍ର ରିହାତି, ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ପବିତ୍ର ସାଉନ୍ତା ଦାବି କରିଥିଲେ । କଂଗ୍ରେସ ବିଧାୟକ ସି ଏସ ରାଜନ୍ ଏକ୍କା କହିଥିଲେ ଯେ, ଝାଡ଼ଖଣ୍ଡ ସରକାର ୨୦୦ ୟୁନିଟ୍, ହିମାଚଳ ପ୍ରଦେଶ ୧୨୫ ୟୁନିଟ୍, ପଞ୍ଜାବ ୩୦୦ ୟୁନିଟ୍, ଦିଲ୍ଲୀ ସରକାର ୨୦୦ ମାଗଣା ବିଜୁଳି ଦେଉଛନ୍ତି । ବିଜେପି ସରକାର ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇ ଆସିଲେ, ଦେଲେ ନାହିଁ । ଆମ ରାଜ୍ୟ ବିଜୁଳି ବଳକା ରାଜ୍ୟ ହେବା ସତ୍ତ୍ୱେ ମାଗଣା ବିଜୁଳି ଦିଆଯାଇନାହିଁ ।
ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଥିଲେ ଯେ, କର୍ଣ୍ଣାଟକ ସରକାର ପୁରୁଣା ମିଟରରେ ଅତିରିକ୍ତ ଉପକରଣ ବ୍ୟବହାର କରି ମିଟର୍ ପିଛା ୮୦୦ ଟଙ୍କା ଖର୍ଚ୍ଚ କରି ବ୍ୟବସ୍ଥା କରିଛନ୍ତି । ହେଲେ ଓଡ଼ିଶାରେ ୫୦୦୦ ଟଙ୍କା ବ୍ୟୟରେ ସ୍ମାର୍ଟ ମିଟର ବ୍ୟବସ୍ଥା ଲାଗୁ କରାଯାଉଛି। ସରକାର ବଜେଟରେ ଏଥିପାଇଁ ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ବିତରଣ କମ୍ପାନୀ ଏହି ବାବଦରେ ଅର୍ଥ ସହାୟତା ଲାଗି ଅନୁଦାନ ଦାବି କରିନଥିଲେ ମଧ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ସ୍ମାର୍ଟ ମିଟର ଲାଗୁ ଅର୍ଥ ବ୍ୟୟ ବରାଦ କରିଛନ୍ତି। ଏ ସରକାର ଲୋକଙ୍କ ସରକାର ବୋଲି କହି ବୁଲୁଛନ୍ତି । ହେଲେ ସାଧନାର ଜନତାଙ୍କ ପ୍ରତି ଦରଦ ନାହିଁ ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେହିଭଳି ବିଧାୟକ ରମେଶ ବେହେରା କହିଥିଲେ ଯେ, ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ଉପଭୋକ୍ତା ସର୍ବାଧିକ ଦର ଦେଉଛନ୍ତି। ତଥାପି ଲୋ ଭୋଲ୍ଟେଜ ସମସ୍ୟାର ସମାଧାନ ହେଉନାହିଁ। ଏବେ ବି ଅନେକ ଗାଁ ବିଦ୍ୟୁତ୍ ସେବା ଅପହଞ୍ଚ।
ବିଜେପି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପ୍ରକାଶ ସେଠୀ, ବିଭୂତି ଭୂଷଣ ପ୍ରଧାନ, ଇରସିଶ ଆଚାର୍ଯ୍ୟ ପ୍ରମୁଖ ବିରୋଧୀ ଅସତ୍ୟ ତଥ୍ୟ ଗୃହରେ ରଖି ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ । ସ୍ମାର୍ଟ ମିଟର ପାଇଁ କାହାକୁ ବାଧ୍ୟ କରାଯାଉନାହିଁ । ବିରୋଧୀ ଅର୍ଦ୍ଧସତ୍ୟ କହୁଛନ୍ତି । ଆବଶ୍ୟକତା ଅନୁସାରେ ପୂର୍ବ ବିଜେଡି ସରକାର ସମୟରେ ସ୍ମାର୍ଟ ମିଟର ନେଇ ଚୁକ୍ତି କରାଯାଇଥିଲା । ଆଧୁନିକ ଯୁଗରେ ବିଦ୍ୟୁତ୍ ବିଲରେ ସ୍ୱଚ୍ଛତା ପାଇଁ ସ୍ମାର୍ଟ ମିଟର ଆବଶ୍ୟକତା ରହିଛି। କଂଗ୍ରେସ ସରକାର ସମୟରେ ବିଭ୍ରାଟ ବିଦ୍ୟୁତ୍ ସେବା ଥିଲା। ବିଜେଡି ସରକାର ସମୟରେ ସ୍ମାର୍ଟ ମିଟର ନେଇ ବୁଝାମଣା ହୋଇଥିଲା । ନୂଆ ସରକାର ଆସିବା ପରେ ବିଦ୍ୟୁତ୍ ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି । ବିଗତ ଦିନରେ ମନ ଇଚ୍ଛା ଦେୟ ଆଦାୟ ହେଉଥିଲା ବୋଲି କହିଥିଲେ ।
