Utkala Mirror I Odisha News, Latest Odia News

ଡିସେମ୍ବର ୩୧ ପର୍ଯ୍ୟନ୍ତ ଇ-କେୱାଇସି ଅବଧି ବୃଦ୍ଧି 

ପିଡିଏସ୍ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଅବଧିକୁ ବଢାଇ ଦିଆଯାଇଛି । ଯେଉଁମାନେ କରାଇ ନାହାନ୍ତି ବର୍ଦ୍ଧିତ ସମୟ ଭିତରେ କରାଇବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ହିତାଧିକାରୀ ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପି.ଡ଼ି.ଏସ ହିତାଧିକାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି। ଏତଦବ୍ୟତୀତ ଅଦ୍ୟାବଧି ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଛି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ। ଏହି ପ୍ରକ୍ରିୟା ଆସନ୍ତା ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲୁରହିବ।

ଏଠାରେ ଉଲ୍ଲେଖଯେଗ୍ୟ ଯେ, ପୂର୍ବରୁ ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ କହିଥିଲେ, ଯେଉଁମାନେ ନିଜର ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି । କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଛନ୍ତି । ଯେଉଁମାନେ ଇ-କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି, ଆସନ୍ତାମାସରୁ ଏହାକୁ ବନ୍ଦ କରିଦିଆଯିବ । ଗତ ୭-୮ ମାସ ଧରି ଇ-କେୱାଇସି ପ୍ରକ୍ରିୟା ଚାଲିଥିଲା । ତେଣୁ ଆଉ ବଢ଼ିବାର ନାହିଁ । କେନ୍ଦ୍ର ସରକାର ଯଦି ଇ-କେୱାଇସି ଅବଧି ବଢ଼ାଇବେ ତା’ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ। ଏହା ସହ ଯେଉଁମାନେ ରାସନ କାର୍ଡରୁ ବାଦ୍ ପଡ଼ିଥିବେ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାର କରାଯିବ। ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରି ନଥିବା ସେ ସୂଚନା ରହିଛି।

 

 

Exit mobile version