Utkala Mirror I Odisha News, Latest Odia News

ସାର ଅଭାବ ? ନା ନୁହେଁ : ବିରୋଧୀଙ୍କ ଗର୍ଜନ, ସମବାୟ ମନ୍ତ୍ରୀଙ୍କ ଖଣ୍ଡନ

 ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ୍ ଅଛି ଓ ଆବଶ୍ୟକ ପଡ଼ିଲେ ଆଉ ଅଧିକ ମଧ୍ୟ କେନ୍ଦ୍ର ସରକାର ଯୋଗାଇ ଦେବେ । ଏପର୍ଯ୍ୟନ୍ତ ଚଳିତ ଖରିଫ ଋତୁରେ ରାଜ୍ୟର ଚାଷୀଙ୍କୁ ୧୦.୮୫ଲକ୍ଷ ମେଟ୍ରିକ ଟନ ସାର ଯୋଗାଇ ଦିଆଯାଇ ସାରିଲାଣି । ଯାହାକି ରାଜ୍ୟରେ ଆବଶ୍ୟକତାଠୁ ୧.୩୦ଲକ୍ଷ ଟନ୍ ଅଧିକ ସାର । ” ରାଜ୍ୟ ସରକାରଙ୍କ ଏଭଳି ତଥ୍ୟଭିତ୍ତିକ ଦାବି ଏବଂ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସମବାୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାର ଅଭାବକୁ ରୋକଠୋକ୍ ଖାରଜ କରିଦେଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ମହଜୁତ ଅଛି । ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଣ୍ଟା ଯାଇଥିଲା। ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଣ୍ଟା ସରିଲାଣି। ପର୍ଯ୍ୟାପ୍ତ ସାର ମାଜୁଜୁତ ଅଛି। ଆବଶ୍ୟକ ହେଲେ ଆହୁରି ସାର ମଗେଇବୁ। ବିରୋଧୀ ଲୋକ ସାର ନାହିଁ ନେରେଟିଭ ତିଆରି କରୁଛନ୍ତି। ଚଳିତ ବର୍ଷ ଅଧିକ ଧାନ ଚାଷ କରାଯାଇଛି। ଆଗୁଆ ବର୍ଷା ଯୋଗୁଁ ଶୀଘ୍ର ସାରର ଦରକାର ହେଲା। ଡିଲରଙ୍କ ଉପରେ ତୀକ୍ଷ୍ଣ ନଜର ଅଛି। ଯେଉଁଠି ସାର କଳାବଜାରୀ ହେବ ଆକ୍ସନ ହେବ। ଲୋକେ ସବୁ ଜାଣୁଛନ୍ତି। ବିଜେଡି ଯେତେ ସୋ ବାଜି କଲେ ଵି ଲାଭ ଦେବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଚାଷୀଙ୍କୁ ‘ସାର’ ମିଳୁନଥିବା ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧୧ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ସାର ସ୍ଥିତିର ସମୀକ୍ଷା କରିବା ସହ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଚଳିତ ଖରିଫ ଋତୁ ପାଇଁ ରାଜ୍ୟରେ ୯.୫୫ଲକ୍ଷ ମେଟ୍ରିକ ଟନ ସାର ଆବଶ୍ୟକ ରହିଛି । କେନ୍ଦ୍ର ସରକାର ଏହି ପରିମାଣର ସାର ଯୋଗାଇ ଦେଇସାରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୧୧ଲକ୍ଷ ୬୬ହଜାର ୭୩୩ ମେଟ୍ରିକ ଟନ୍ ସାର ମହଜୁଦ ରହିଛି, ଯେଉଁଥିରୁ ୯ଲକ୍ଷ ୮୫ହଜାର ୭୬୭ ମେଟ୍ରିକ ଟନ୍ ବିକ୍ରି ହୋଇସାରିଛି । ବାକି ୧.୮୦ଲକ୍ଷ ମେଟ୍ରିକ ଟନ ସାର ଏବେ ମହଜୁଦ ରହିଛି । ଅର୍ଥାତ୍ ରାଜ୍ୟରେ ଆବଶ୍ୟକତାଠୁ ଅଧିକ ସାର ଚଳିତ ଖରିଫ ଋତୁରେ ଦିଆଯାଇ ସାରିଛି । ସାର କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇ ଚାଷୀଙ୍କ ପାଖରେ ସାର ପହଂଚାଇବା ନିମନ୍ତେ କାର୍ଯ କରିବାକୁ କହିଥିଲେ । ରାଜ୍ୟରେ ସାରର କୃତ୍ରିମ ଅଭାବ ପଛରେ କିଏ ତାକୁ ନେଇ ନାନାଦି ଚର୍ଚ୍ଚା ମଧ୍ୟରେ ‘ସାର ଅଭାବ’କୁ ରାଜ୍ୟ ସରକାର ବାରମ୍ବାର ଖଣ୍ଡନ କରିବାରେ ଲାଗିଛନ୍ତି । ଯଦିଓ ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୋନପୁର, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ଗଞ୍ଜାମ, ଜଗତସିଂହପୁର ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ଚାଷୀମାନେ ସାର ପାଇବା ନିମନ୍ତେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ‘ସାର’ ପାଇବା ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦୃଶ୍ୟ ମଧ୍ୟ ରାଜ୍ୟର ବିଭିନ୍ନ ଭାଗରୁ ଆସୁଛି । ଗଞ୍ଜାମର ଦିଗପହଣ୍ଡି ହେଉ ଅବା କୋରାପୁଟ ଅବା ବଲାଙ୍ଗୀର ଅବା ବରଗଡ଼ ସବୁଆଡ଼େ ଏହି ସାର ସମସ୍ୟା ରହିଛି । ଚାଷୀ ନିଜର ଫସଲ ପାଇଁ ବାଧ୍ୟ ହୋଇ ଚଢ଼ାଦରରେ ସାର ମଧ୍ୟ କିଣୁଥିବା ଜଣାପଡ଼ିଛି ।

Exit mobile version