Utkala Mirror I Odisha News, Latest Odia News

ସାର ଅଭାବ, ଆଜି ବିଜେଡିର ରାଜଭବନ ଆଗରେ ପ୍ରତିବାଦ : ବିଜେପି – ବିଜେଡି ମୁହାଁମୁହିଁ

ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଜେଡି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଛି । ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ଆନ୍ଦୋଳନ ଚେତାବନୀ ଦେଇଛି । ୧୫ ତାରିଖ ଅର୍ଥାତ ସୋମବାର ବିଜେଡି ଏନେଇ ରାଜଭବନ ସମ୍ମୁଖରେ ପ୍ରତିବାଦ କରିବା ସହ ଦଳର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ । ଏହି ପ୍ରସଙ୍ଗକୁ ନେଇ ବିଜେଡି ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଜବାବ ଦେଇଛନ୍ତି । ସରକାର ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଚାଷୀକୁ ଯଦି ସାର ମିଳିଥାନ୍ତା ତାହାଲେ କାହିଁକି ଦିନ ଦିନ ଚାଷୀ ଧାଡ଼ି ଲଗାଉଛି। ସରକାର କହୁଛନ୍ତି ପର୍ଯ୍ୟାପ୍ତ ପରିମାଣରେ ସାର ଅଛି। ଯଦି ଅଛି ତେବେ ଚାଷୀକୁ କାହିଁକି ସାର ମିଳୁନି। ଏହାର ଅର୍ଥ ସାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି କହି ଶ୍ରୀ ଆଚାର୍ଯ୍ୟ ସରକାରଙ୍କୁ କଟାକ୍ଷ କରିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଏହାର ଜବାବ ଦେଇଛନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରର ଅବହେଳା ଓ ମିଥ୍ୟା ଘୋଷଣା କାରଣରୁ କୃଷକମାନେ ଅସ୍ତିତ୍ୱ ପାଇଁ ଲଢ଼ୁଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦାୟକ । ଦେଶକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କୁ ତାଙ୍କର ମୌଳିକ ଅଧିକାର ପାଇଁ ଲଢ଼ିବାକୁ ବାଧ୍ୟ କରାଯାଉଛି । ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କର ଦୁଃଖକୁ ଉପେକ୍ଷା କରୁଛନ୍ତି । ସାର ଅଭାବ, କାଳୋବଜାର ସମସ୍ୟା ବଢ଼ିଛି । ଖରିଫ ଋତୁରେ ୯,୫୫,୦୦୦ ମେଟ୍ରିକ୍ ଟନ୍ ସାର ଆବଣ୍ଟିତ ହୋଇଛି ବୋଲି ସରକାର ଦାବି କରୁଛି, କିନ୍ତୁ ବାସ୍ତବରେ ଯୋଗାଣ ଓ ଚାହିଦା ମଧ୍ୟରେ ବଡ଼ ପ୍ରଭେଦ ରହିଛି । କୃଷକମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରୁଛନ୍ତି, ଯଦିଓ ମୁଖ୍ୟମନ୍ତ୍ରୀ ‘ସାର ସଙ୍କଟ ନାହିଁ’ ବୋଲି କହୁଛନ୍ତି । ସରକାର ତୁରନ୍ତ ସଂଶୋଧନାତ୍ମକ ପଦକ୍ଷେପ ନେବା ଉଚିତ୍, ସାର ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରିବା ଉଚିତ୍। କୃଷକମାନଙ୍କର କ୍ଷତିର ଦାୟିତ୍ୱ ସରକାର ନେବା ଉଚିତ୍ ଏବଂ ଭବିଷ୍ୟତରେ ଏଭଳି ସ୍ଥିତି ଏଡ଼ାଇବା ପାଇଁ କାର୍ଯ୍ୟଯୋଜନା କରିବା ଉଚିତ୍ । ଏ ସମ୍ପର୍କରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିବୁ ବୋଲି ସ୍ରୀ ଆଚାର୍ଯ୍ୟ କହିଛନ୍ତି ।

ବିଜେଡିକୁ କଡ଼ା ଜବାବ୍ ଦେଇ ରାଜ୍ୟ ସ୍ବାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଚାଷୀଙ୍କ ପାଇଁ ଯଦି କିଏ ଅଧିକ ହିତାକାଂକ୍ଷୀ, ସେ ହେଉଛନ୍ତି ବିଜେପି ସରକାର । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଇନପୁଟ ସବସିଡି ୮୦୦ ଟଙ୍କା ଦିଆଯାଇଛି । ମହିଳାଙ୍କୁ ଡିବିଟି କରାଯାଇଛି । ସୁଭଦ୍ରା ଟଙ୍କା ଠିକ ସମୟରେ ମିଳିଛି। ବିରୋଧୀଙ୍କ ନୈତିକ ଅଧିକାର ନାହିଁ କିଛି କହିବାକୁ। ଚାଷୀ ବି ବୁଝିଲେଣି ଯେ ଅବାସ୍ତବ କଥା କେବେ ବାସ୍ତବ ହୁଏନି। ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ। ବିଧାନସଭାରେ ବିରୋଧୀ ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

 

 

Exit mobile version