ସ୍ୱପ୍ନର ଓଡ଼ିଶା ଗଠନ ଲକ୍ଷ୍ୟ : ଅନୁ ଗର୍ଗ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କଠାରୁ ପାରମ୍ପରିକ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।  ଡିସେମ୍ବର ୩୧ ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ରାଜ୍ୟ ସରକାର ଅନୁ ଗର୍ଗଙ୍କୁ ଏହି ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି ।
ଦାୟିତ୍ବ ଗ୍ରହଣ କରିବା ପରେ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ତାଙ୍କ ପାଇଁ ଏହା ଏକ ବଡ଼ ଦାୟିତ୍ବ ଏବଂ ସୁଯୋଗ ମଧ୍ୟ ରହିଛି। ରାଜ୍ୟର ପ୍ରଗତି ସରକାରଙ୍କ ମୂଳ ଲକ୍ଷ୍ୟ। ୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବା ସହ ୨୦୪୭ରେ ଦେଶର ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ କାର୍ଯ୍ୟ ଜାରି ରହିବ। ସ୍ୱପ୍ନର ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି କାମ କରିବା ଦରକାର। ଆଗାମୀ ଦିନରେ ବହୁତ ଚ୍ୟାଲେଞ୍ଜ ରହିଛି। ରାଜ୍ୟ ପାଇଁ ବହୁତ କିଛି କରିବା ପାଇଁ ଆଶା ଅଛି । ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ଗୁରୁତ୍ୱ ଦିଆଯିବ। ମହିଳା ସଶକ୍ତିକରଣ ସହ ଯୁବ ସଶକ୍ତୀକରଣକୁ ଗୁରୁତ୍ବ ଦିଆଯିବ । ସେହିଭଳି ଟୁରିଜିମ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦେବେ ବୋଲି ନୂଆ ମୁଖ୍ୟ ଶାସନ ସଚିବ କହିଛନ୍ତି ।
୨୦୨୩ ଫେବ୍ରୁଆରୀରେ ଓଡ଼ିଶାର ପ୍ରଥମ ମହିଳା ଉନ୍ନୟନ କମିଶନର ଭାବେ ସେ ଦାୟିତ୍ବ ଗ୍ରହଣ କରିଥିଲେ ।  ତାଙ୍କ ନେତୃତ୍ୱରେ ଓଡ଼ିଶା ଜଳସମ୍ପଦ ପରିଚାଳନାରେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ହୋଇଛି ଏବଂ ଏହା ପାଇଁ ଉପ-ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରାପ୍ତ ହୋଇଛି। ତାଙ୍କର ଦୀର୍ଘକାଳୀନ ପ୍ରଶାସନିକ କ୍ୟାରିଅରରେ ସେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ବ ନିର୍ବାହ କରିଛନ୍ତି। ୧୯୬୯ ମାର୍ଚ୍ଚ ୧ରେ ଜନ୍ମିତ ଅନୁ ଗର୍ଗ ମାତ୍ର ୨୨ବର୍ଷ ବୟସରେ ଆଇଏଏସ୍ ପାଇଥିଲେ । ସେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେବା ପରେ ଝାରସୁଗୁଡ଼ାର ଉପଜିଲ୍ଲାପାଳ ଭାବେ ୧୯୯୩ ଅଗଷ୍ଟ ୩୦ ରୁ ୧୯୯୪ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ତାଙ୍କର ପ୍ରଥମ  ପୋଷ୍ଟିଂ ଥିଲା । ତା’ପରେ ସେ କଳାହାଣ୍ଡି ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ୧୯୯୮ ମସିହା ମେ’ ମାସରେ ସ୍ୱାସ୍ଥ୍ୟ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଥିଲା । ୨୦୧୨ ଅକ୍ଟୋବରରୁ ୨୦୧୫ ଏପ୍ରିଲ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୧୬ ଏପ୍ରିଲରେ ଓଡ଼ିଶା ଫେରିବା ପରେ ପୂର୍ବ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ତୁଲାଇଥିଲେ ।
ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଶେଷ ସଚିବ ସ୍ତରୀୟ ବୈଠକରେ ବିଭାଗୀୟ ସଚିବମାନଙ୍କ ସହ ଓଡ଼ିଶାର ପ୍ରଗତି ଓ ବିକାଶ ନେଇ ଆଲୋଚନା ହୋଇଥିଲା। ଶ୍ରୀ ଆହୁଜା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ତାଙ୍କ କାର୍ଯ୍ୟକାଳରେ ବହୁତ ଭଲ ସମନ୍ୱୟ ଓ ଟିମ୍ ଓ୍ୱାର୍କ ଥିଲା। ବୈଠକରେ ଓଡ଼ିଶା ବାସୀଙ୍କ ପାଇଁ ଇଜ୍ ଅଫ୍ ଲିଭିଙ୍ଗ ଓ ଇଜ୍ ଅଫ୍ ଡୁଇଙ୍ଗ ବିଜନେସରେ ସୁଧାର ଆଣିବା, ନିବେଶକୁ ବିଶ୍ୱସ୍ତରୀୟ କ୍ଷେତ୍ରକୁ ନେବା ଉପରେ ଆଲୋଚନା ହୋଇଛି । ତାଙ୍କର ଏହି ଦେଢ଼ ବର୍ଷର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କର ବହୁ ଉପଲବ୍ଧି ହାସଲ କରାଯାଇପାରିଛି । ଅଳ୍ପ ସମୟରେ ସୁଭଦ୍ରା ଭଳି ବଡ଼ ଯୋଜନା କାର୍ଯ୍ୟକାରୀ କରାଯିବା ସହ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି । ଏହାଛଡା ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି।