ଓଡ଼ିଶାରେ ଚାଲିଥିବା ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ କୌଣସି ବଡ଼ ବିପଦ ନାହିଁ, କିନ୍ତୁ ଆଗାମୀ ଦିନରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ମଧ୍ୟ ନଦୀଗୁଡ଼ିକର ଜଳସ୍ତର ଏବଂ ଡ୍ୟାମ୍ ସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ଏହି ସ୍ଥିତିରେ ସରକାର ରିଲିଫ୍ ବ୍ୟବସ୍ଥା ପ୍ରସ୍ତୁତ ରଖିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରାଯାଇଛି।ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ଜାରି ହୋଇଥିଲା । ଏହାସହ ମାଲକାନଗିରି, ନୟାଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରରେ ଅଧିକ ବର୍ଷାର ସମ୍ଭାବନା ଥିବାରୁ ୱାର୍ଣ୍ଣିଂ ଦିଆଯାଇଥିଲା । ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଏବଂ ପବନ ଜାରି ରହିଛି, ଯେଉଁଥିରେ କେନ୍ଦୁଝରରେ ରେକର୍ଡ ୨୧୫ ମିଲିମିଟର ବର୍ଷା ହୋଇଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହା ବିପଦ ସଂକେତ ତଳେ ରହିଛି। ମହାନଦୀରେ କୌଣସି ବିପଦ ନାହିଁ, କିନ୍ତୁ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀରେ ସତର୍କ ସ୍ତର ବୃଦ୍ଧି ପାଉଛି। ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲା ବ୍ୟାପକ ପ୍ରଭାବିତ ହୋଇଛି, ଯେଉଁଥିରେ ମାଲକାନଗିରିରେ ଦୁଇଟି ବ୍ରିଜ୍ ଉପରେ ପାଣି ଯାଉଛି। ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଏବଂ ପବନ ଜାରି ରହିବାର ସମ୍ଭାବନା ରହିଛି। ରିଲିଫ୍ ସେଣ୍ଟରକୁ ଲୋକଙ୍କୁ ଆଣିବାର ସ୍ଥିତି ଉପୁଜି ନାହିଁ, କିନ୍ତୁ ସରକାର ରିଲିଫ୍ ପ୍ରସ୍ତୁତ ରଖିଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ଗାଁ ଛାଡ଼ି ରିଲିଫ୍ ସେଣ୍ଟରକୁ ଆସିବାକୁ ଅପିଲ୍ କରାଯାଇଛି । କ୍ଷତିଗ୍ରସ୍ତ ହେଲେ ସରକାର କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ଅଛନ୍ତି ।
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ, ଗତକାଲି ସୁବର୍ଣ୍ଣରେଖାରେ ୨୦.୯୭ ମିମି, ବୁଢ଼ାବଳଙ୍ଗରେ ୪୩.୦୭ ମିମି ଏବଂ ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି। ଏହି ନଦୀଗୁଡ଼ିକ ସମେତ ଜଳକାରେ ଜଳସ୍ତର ବୃଦ୍ଧି ପାଇବ, କିନ୍ତୁ ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବ ନାହିଁ। କୌଣସି ନଦୀରେ ବନ୍ୟା ନାହିଁ। ହୀରାକୁଦରେ ୬୨୬.୩୧ ଫୁଟ ଏବଂ ରେଙ୍ଗାଳିରେ ୧୨୨.୭୩ ମିଟର ଜଳସ୍ତର ରହିଛି, ଏବଂ ଗେଟ୍ ଖୋଲିବାର ଆବଶ୍ୟକତା ନାହିଁ। ଯଦି ଆଜି ବର୍ଷା ଯୋଗୁଁ ଜଳଭଣ୍ଡାର ବୃଦ୍ଧି ପାଏ, ତେବେ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇପାରେ। କେନ୍ଦୁଝରର ହାଟଡ଼ିହି ଓ ଘସିପୁରା ଏବଂ ବାଲେଶ୍ୱର ସହରରେ ଲଗାଣ ବର୍ଷା ଯୋଗୁଁ ଅଳ୍ପ ସମୟ ପାଇଁ ଜଳବନ୍ଦୀ ସ୍ଥିତି ଉପୁଜିଥିଲା, ଯାହା ସ୍ୱାଭାବିକ ହୋଇଯାଇଛି। ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ୍ ତଳେ ଜଳ ପ୍ରଭାହିତ ହେଉଛି। ଏହି ସ୍ଥିତିରେ ସରକାର ସମସ୍ତ ବିଭାଗକୁ ସତର୍କ ରଖିଛନ୍ତି ଏବଂ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।