Utkala Mirror I Odisha News, Latest Odia News

ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି

ସରକାରୀ ଅଫିସ, ଅଫିସର ଏବଂ ଭିଭିଆଇପିଙ୍କ  ଦ୍ୱାରା ବ୍ୟବହୃତ ଘରୋଇ ଗାଡ଼ିଗୁଡ଼ିକର ଭଡ଼ାକୁ ରାଜ୍ୟ ସରକାର ସୋମବାର ସଂଶୋଧନ କରିଛନ୍ତି। ଏଥିରେ ବିଭିନ୍ନ ଶ୍ରେଣୀର ଗାଡ଼ି ପାଇଁ ମାସିକ ଭଡ଼ା ଦର ଓ ସର୍ବନିମ୍ନ ମାଇଲେଜ୍ ନିର୍ଦ୍ଧାରଣ କରାଯାଇଛି । ପ୍ରାୟ ୬ ବର୍ଷ ପରେ ଏହି ଭଡ଼ା ଦରରେ ସଂଶୋଧନ କରାଯାଇଥିବା ଅର୍ଥ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ଲକ, ତହସିଲ ଓ ଅନ୍ୟାନ୍ୟ କ୍ଷେତ୍ରୀୟ କାର୍ଯ୍ୟାଳୟ ପାଇଁ ଉପଯୋଗ ହେଉଥିବା ଗାଡ଼ିଗୁଡ଼ିକର ମାସିକ ଭଡ଼ା ଦର ୩୭୨୦୦ଟଙ୍କା ଓ ସର୍ବନିମ୍ନ ମାଇଲେଜ୍ ୧୦କିମି ପ୍ରତି ଲିଟରକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୩୧ହଜାର ଟଙ୍କା ଥିଲା । ସେହିପରି ଜିଲ୍ଲା ଓ ରେଞ୍ଜ ସ୍ତରୀୟ କାର୍ଯ୍ୟାଳୟ ପାଇଁ ଘରୋଇ ଗାଡ଼ିଗୁଡ଼ିକର ଭଡ଼ା ୨୪ହଜାର (ପୂର୍ବରୁ ୨୦ହଜାର ଟଙ୍କା) ଓ ମାଇଲେଜ୍ ୧୭ କିଲୋମିଟର ପ୍ରତି ଲିଟର ଧାର୍ଯ୍ୟ ହୋଇଛି । । ଜିଲ୍ଲାପାଳ, ପୁଲିସ ଏସପି ଓ ସମକକ୍ଷ ଅଧିକାରୀ ଉପଯୋଗ କରୁଥିବା ଘରୋଇ ଗାଡ଼ିର ଭଡ଼ା ମାସିକ ୪୪୪୦୦ ଟଙ୍କା (ପୂର୍ବରୁ ୩୭ହଜାର ଟଙ୍କା ଥିଲା) ଓ ମାଇଲେଜ୍ ୧୦ କିଲୋମିଟର ଧାର୍ଯ୍ୟ କରାଯାଇଛି ।

ବିଭାଗୀୟ ମୁଖ୍ୟ ଓ ପ୍ରଶାସନିକ ବିଭାଗର ପୁଲ ଗାଡ଼ି ପାଇଁ ଭଡ଼ା ୨୪ହଜାର ଟଙ୍କା ଓ ପ୍ରତି ଲିଟରରେ ମାଇଲେଜ୍ ୧୭ କିଲୋମିଟର ଧାର୍ଯ୍ୟ ହୋଇଛି ।ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଓ ନିର୍ଦ୍ଦେଶକ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ୩୧୨୦୦ ଟଙ୍କା ଓ ଲିଟରପିଛା ମାଇଲେଜ୍ ୧୭ କିଲୋମିଟର ରହିଛି। ପ୍ରମୁଖ ସଚିବ ଓ କମିଶନର-ତଥା-ସଚିବ ପାହ୍ୟାର ଅଫିସରଙ୍କ ପାଇଁ ଗାଡ଼ି ଭଡ଼ା ୩୬ହଜାର ଟଙ୍କା ଓ  ଲିଟରପିଛା ମାଇଲେଜ୍ ୧୨ କିଲୋମିଟର ରଖାଯାଇଛି । ସେହିପରି ଆପେକ୍ସ ସ୍କେଲ ଅଫିସର ଓ ମନ୍ତ୍ରୀମାନଙ୍କ ଉପଯୋଗରେ ଘରୋଇ ଗାଡ଼ିର ଭଡ଼ାକୁ ୫୦୪୦୦ଟଙ୍କା ଓ ମାଇଲେଜ୍ ୯ କିଲୋମିଟର ପ୍ରତି ଲିଟର ଧାର୍ଯ୍ୟ କରାଯାଇଛି ।

କଲେଜ, ବିଶ୍ୱବିଦ୍ୟାଳୟ ଓ ତାଲିମ ଅନୁଷ୍ଠାନ ପାଇଁ ୩୨-ସିଟର ଘରୋଇ ବସର ଭଡ଼ା ୯୦ହଜାର ଟଙ୍କା ଏବଂ ୨୫-ସିଟର ବସର ଭଡ଼ା ୭୧୫୦୦ ଟଙ୍କା ଏବଂ ଲିଟର ପିଛା ୬ କିଲୋମିଟର ଧାର୍ଯ୍ୟ ହୋଇଛି । ଏସବୁ ବ୍ୟତୀତ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ଉପଯୋଗ ହେଉଥିବା ଘରୋଇ ଗାଡ଼ି ମଧ୍ୟରେ ଟାଟା ଏସି ଓ ସମାନ ଧରଣର ଘରୋଇ ଗାଡ଼ିର ଭଡ଼ା ୩୩,୫୦୦ ଟଙ୍କା ଓ ସର୍ବନିମ୍ନ ମାଇଲେଜ୍ ଲିଟରପିଛା ୧୬ଟଙ୍କା ଧାର୍ଯ୍ୟ ହୋଇଛି ।  ମହିନ୍ଦ୍ରା ପିକଅପ୍ ଭ୍ୟାନ, ବୋଲେରୋ କ୍ୟାଂପର, ଟାଟା ୪୦୭ ଓ ଟାଟା ଯୋଦ୍ଧା ପିକଅପ୍ ପାଇଁ ଭଡ଼ା ୪୨ହଜାର ଟଙ୍କା ଏବଂ ମାଇଲେଜ୍ ୬ କିଲୋମିଟର ପ୍ରତି ଲିଟର ଧାର୍ଯ୍ୟ ହୋଇଛି ।

ବ୍ୟବହାର ସୀମା ଓ ନିୟମ

ବିଭାଗୀୟ ମୁଖ୍ୟ ଓ ତଦୁର୍ଦ୍ଧ ପ୍ୟାହାର ଉଚ୍ଚ ଅଧିକାରୀଙ୍କ ଗାଡ଼ି ମାସିକ ୨୫୦୦ କିଲୋମିଟର ଏବଂ ଅନ୍ୟ ଅଧିକାରୀ ଓ ପୁଲ ଡ୍ୟୁଟି ଗାଡ଼ି ୨ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ୨୦%ରୁ ଅଧିକ ବ୍ୟତିକ୍ରମ ହେଲେ ପ୍ରଶାସନିକ ବିଭାଗ ଏନେଇ ଆବଶ୍ୟକ କାରଣ ଉଲ୍ଲେଖ କରି ଅର୍ଥ ଅନୁମୋଦନ କରିବ । ତେବେ ଏସବୁ ଭଡ଼ା ଦରରେ ଇନ୍ଧନ(ତେଲ,ସିଏନଜି) ଆଦି  ସାମିଲ ନୁହେଁ ଓ ନିୟମ ଅନୁସାରେ ଏହି ଇନ୍ଧନ ଖର୍ଚ୍ଚକୁ ଅତିରିକ୍ତ ପ୍ରଦାନ କରାଯିବ । ଗାଡ଼ି ଭଲ ଅବସ୍ଥାରେ ଥିବା ଦରକାର ଏବଂ ବୋଲି ଦାଖଲ ସମୟରେ ୩ ବର୍ଷରୁ ଅଧିକ ପୁରୁଣା ହୋଇନଥିବା ଉଚିତ । ୭ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଉପଯୋଗ ହୋଇପାରିବ ନାହିଁ ଓ ଏହି ଟ୍ରାଲେଭଲସ୍ ସେବା ପ୍ରଦାନକାରୀଙ୍କର ବୈଧ ଜିଏସଟି ପଞ୍ଜୀକରଣ ଥିବା ଦରକାର ତଥା ନଗର ନିଗମ ଅଂଚଳରେ ଏହା ଜିଇଏମ୍ ପୋର୍ଟାଲରେ ପଞ୍ଜିକୃତ ହେବା ମଧ୍ୟ ଜରୁରୀ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Exit mobile version