Utkala Mirror I Odisha News, Latest Odia News

ବାଲି ଲାଗି ସରକାର ଏମଏସପି ଲାଗୁ କରିବେ : ଖଣିମନ୍ତ୍ରୀ

ଓଡ଼ିଶା ସରକାର ବାଲି ଓ ଅନ୍ୟ ଲଘୁ ଖଣିଜମାନଙ୍କର ବେଆଇନ ବ୍ୟବସାୟ ଉପରେ କଡ଼ା ପଦକ୍ଷେପ ନେଇଛନ୍ତି। ଗତକାଲି କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି। ଏହା ଦ୍ୱାରା ବାଲି ପାଇଁ ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ବିକ୍ରୟ ମୂଲ୍ୟ (ଏମଏସପି) ଲାଗୁ ହେବ। ଆଉ ମନମାନୀ ଦରରେ ବାଲି ବିକ୍ରି କରିବାକୁ ଦିଆଯିବ ନାହିଁ। ସାରା ରାଜ୍ୟରେ ଏକ ଦରରେ ବାଲି ଉପଲବ୍ଧ ହେବା ଦ୍ୱାରା ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ । ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେ ନାହିଁ। ଲାଇସେନ୍ସ ନଥିବା ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବାଲି କିମ୍ବା ଅନ୍ୟ ଲଘୁ ଖଣିଜ ଗଚ୍ଛିତ କରି ରଖିପାରିବେ ନାହିଁ। ଏହା ଦ୍ୱାରା ବାଲି ମାଫିଆଙ୍କର ମନମାନୀ ସମ୍ପୂର୍ଣ୍ଣ ଭାବେ ବନ୍ଦ୍ ହେବ। ଲିଜ୍ ଧାରୀମାନେ ସରକାରୀ ଏମଏସପି ଦରରୁ ଅଧିକ ଦରରେ ବାଲି ବିକ୍ରି କରିପାରିବେ ନାହିଁ। ଏହା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବାଲିର ମୂଲ୍ୟ କମିବ । ଏହି ସଂଶୋଧନ ଅନୁଯାୟୀ, ବାଲି ଖଣି ଲାଇସେନ୍ସ ପାଇଁ ପୂର୍ବରୁ ଚାଲିଆସୁଥିବା ଇ-ଅକ୍ସନ୍ (ଇ-ନିଲାମ) ପ୍ରଣାଳୀ ବନ୍ଦ୍ ହେବ ଏବଂ ଏହା ବଦଳରେ ସ୍ୱଚ୍ଛ ଇ-ଲଟାରୀ (ଇ-ଲଟରୀ) ପ୍ରଣାଳୀ ମାଧ୍ୟମରେ ଲାଇସେନ୍ସ ବିତରଣ କରାଯିବ। ଏହା ଦ୍ୱାରା ଖଣି ଲାଇସେନ୍ସରେ ଅଧିକ ସ୍ୱଚ୍ଛତା ଆନିବା ସହିତ ମନ୍ତ୍ରୀ ଜେନା ଆଶା ପ୍ରକାଶ କରିଛନ୍ତି।

 

 

Exit mobile version