ବଡ ନିଯୁକ୍ତି ପ୍ରକ୍ରିୟା ଲାଗି ସରକାରୀ ସ୍ତରରେ ପ୍ରସ୍ତୁତି

ସରକାର  ବଡ଼ ନିଯକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।  କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ସେ ନେଇ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ମାଗିଛି । ଏହି ପ୍ରକ୍ରିୟା ସଫଳ ହେଲେ ହେଲେ ପ୍ରାୟ ଲକ୍ଷେ ପଦବୀ ନିଯୁକ୍ତି ପାଇଁ ବାଟ ଫିଟିବ । ଖୁବଶୀଘ୍ର ସଚିବସ୍ତରୀୟ ବୈଠକ ବସିବ । ତା ପୂର୍ବରୁ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ପଦବୀର ତାଲିକା ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ ବିଭାଗରେ କେତେ ପଦବୀ ଖାଲି ପଡିଛି, କେତେ ପୂରଣ ହୋଇଛି, ତାହାକୁ ନିଯୁକ୍ତି ପୋର୍ଟାଲରେ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତମାସ ପହିଲାରେ ମୁଖ୍ୟସଚିବ ବ୍ୟକ୍ତିଗତ ଭାବେ ଏନେଇ ନୋଟ୍‌ ଲେଖି କେଉଁ ବିଭାଗରେ କେତେ ଖାଲି ପଦ ରହିଛି ତା’ର ବାସ୍ତବିକ ତଥ୍ୟ ଜାଣିବାକୁ ଚାହିଁଛନ୍ତି। ସରକାରଙ୍କ ପକ୍ଷରୁ ଚଳିତ ସପ୍ତାହରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏହାପୂର୍ବରୁ ସମସ୍ତ ବିଭାଗ ଯେପରି ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ତଥ୍ୟ ପୋର୍ଟାଲରେ ଅପଲୋଡ କରିବେ ସେଦିଗରେ ଗୁରୁତ୍ୱ ଦେବାକୁ ଅତିରିକ୍ତ ସଚିବ ଦର୍ଶାଇଛନ୍ତି। ଏହାସହିତ ସେ କହିଛନ୍ତି ଯେ, କେଉଁ ବିଭାଗରେ କେତେ ମୂଳ ପଦବି ରହିଛି, ସେଥିରେ କେତେ ଖାଲି ରହିଛି, ଉଚ୍ଚକ୍ଷମତା ସମ୍ପନ୍ନ କମିଟି କେତେ ପଦକୁ ଅନୁମୋଦନ ଦେଇଛି ଏବଂ ଆଉ କେତେ ପଦ ପାଇଁ କମିଟିର ଅନୁମୋଦନ ଆବଶ୍ୟକ ତାହା ଉପରେ ପୂର୍ଣ୍ଣାଙ୍ଗ ବିବରଣୀ ଦର୍ଶାଇବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ସରକାରଙ୍କ ତଥ୍ୟ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୧ଲକ୍ଷ ୫୮ହଜାର ୬୪୫ ମଞ୍ଜୁରପ୍ରାପ୍ତ ମୂଳ ପଦ ରହିଥିବାବେଳେ ସେଥିରୁ ୨୧ହଜାର ୬୦୮ ପଦ ଖାଲି ରହିଛି। ୧୧ହଜାର ୨୦୦ପଦକୁ ପୂର୍ବରୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ଦେଇଛି। ଅବଶିଷ୍ଟ ପଦ ଅନୁମୋଦନ ଅପେକ୍ଷାରେ ଥିବାବେଳେ ୭୫୩୨ ପଦ ପୂରଣ ପ୍ରକ୍ରିୟା ଭିତରେ ରହିଛି। ସେହିପରି ଗୃହ ବିଭାଗରେ ୫୯ହଜାର ୪୯୦ ପଦ ମଧ୍ୟରୁ ୧୪ହଜାର ୧୯୨ଟି ପଦ ଖାଲି ରହିଛି। ୧୧୧୭ଟି ପଦକୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ଦେଇଛି। ୧୨୩୦୦ ପଦକୁ ଅନୁମୋଦନର ଆବଶ୍ୟକତା ନଥିବାବେଳେ ୯୬୩ ପଦ ନିଯୁକ୍ତି ପ୍ରକ୍ରିୟା ଭିତରେ ରହିଛି। ଏହିଭଳି ସ୍ୱାସ୍ଥ୍ୟ ବିଭାଗରେ ୧୧ହଜାର ୩୯୬ ପଦ ଖାଲି ରହିଥିବାବେଳେ ରାଜସ୍ୱରେ ୫୩୩୯ ପଦ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ୪୨୦୫ ପଦ, କୃଷି ବିଭାଗରେ ୩୯୬୪ ପଦ ଖାଲି ରହିଛି। ରାଜ୍ୟ ସରକାରଙ୍କ ସମସ୍ତ ୪୧ ବିଭାଗରେ ୩ଲକ୍ଷ ୮୭ହଜାର ୭୦୭ ମଞ୍ଜୁର ପଦ ରହିଥିବାବେଳେ ୯୪ହଜାର ୮୫୪ ପଦ ଖାଲି ରହିଥିବା ଜଣାଯାଇଛି।