Utkala Mirror I Odisha News, Latest Odia News

ନିଶାମୁକ୍ତ କ୍ୟାମ୍ପସକୁ ରାଜ୍ୟପାଳଙ୍କ ଗୁରୁତ୍ବ

 ନିଶାମୁକ୍ତ କ୍ୟାମ୍ପସ ଗଠନ ଦିଗରେ ପଦକ୍ଷେପ ନେବା ଓ କ୍ୟାମ୍ପସରେ ସୁରକ୍ଷା ଦିଗ ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିବା ସହ ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ରାଜ୍ୟପାଳ ଗୁରୁତ୍ବ ଦେଇଛନ୍ତି । ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ଅପରାଧୀ ପଛାଇବେ । ତେଣୁ କଡା କାର୍ଯ୍ୟାନୁଷ୍ଠାନ ହେଲେ ଅପରାଧ ହ୍ରାସ ପାଇବ ବୋଲି ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ସମ୍ପର୍କିତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ପ୍ରଶ୍ନର ଉତ୍ତର ଦେଇ ରାଜ୍ୟପାଳ କହିଛନ୍ତି । ରାଜଭବନରେ ଶୁକ୍ରବାର ରାଜ୍ୟପାଳ ହରିବାବୁ କମ୍ଭମପାଟି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ ଚର୍ଚ୍ଚା କରିଥିବା ବେଳେ ଅନେକ ଦିଗକୁ ନେଇ ଗୁରୁତ୍ତ୍ୱପୂର୍ଣ ମନ୍ତବ୍ୟ ରଖିଛନ୍ତି। ରାଜ୍ୟର ସୀମା ବିବାଦଠାରୁ ଆରମ୍ଭ କରି ମହାନଦୀର ଜଳବିବାଦ ପର୍ଯ୍ୟନ୍ତ, ପ୍ରତ୍ୟେକ ସମସ୍ୟାର ସମାଧାନ କେବଳ ଉଭୟ ପକ୍ଷର ସହମ୍ମତିରେ ହିଁ ସମ୍ଭବ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟପାଳଙ୍କ ନ୍ୟୁୟ-ଅଭିଷେକ ପ୍ରେକ୍ଷାଳୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଭାବବିନିମୟ ଅବସରରେ ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତା ୨ରୁ ୩ ମାସ ମଧ୍ୟରେ ଖାଲିଥିବା ସବୁ କୁଳପତି ପଦ ପୂରଣ ହେବ । ପ୍ରଥମେ ନୂଆ ବିଶ୍ବ ବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଖାଲି ପଡିଥିବା କୁଳପତି ପଦବୀ ପୂରଣ କରାଯିବ ଏବଂ ଏହାପରେ ଅଧ୍ୟାପକ ପଦବୀଗୁଡିକୁ ପୂରଣ କରାଯିବ ବୋଲି ରାଜ୍ୟପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍ ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା ସୃଷ୍ଟି ହେଉଛି । ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହା ଉପରେ ଗୁରୁତ୍ବ ଦେଇଛନ୍ତି । ଆଲୋଚନା ବେଳେ ରାଜ୍ୟପାଳ ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ ରହିଛି । ବିଶେଷକରି ୧୦ ମ ଶ୍ରେଣୀ ପରେ ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା ନକରି ରହି ଯାଉଛନ୍ତି। ତେଣୁ ଡ୍ରପ୍ ଆଉଟ ହାର ବଢୁଛି। ଆଗାମୀ ଦିନରେ ୧୦ମ ଶ୍ରେଣୀକୁ ଉନ୍ନୀତ କରି ଯୁକ୍ତଦୁଇ ବିଦ୍ୟାଳୟ ଖୋଲାଗଲେ ଏହାକୁ ରୋକାଯାଇ ପାରିବ। ଓଡିଶାର ଆର୍ଥିକ ସ୍ଥିତି ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବହୁତ ଭଲ ରହିଛି । ଓଡିଶାର ଭବିଶ୍ୟତ ଉଜ୍ବଳ । ତଥାପି ଭିତ୍ତିଭୂମି ବିକାଶ, ରାସ୍ତା ଓ ରେଳ ସଂଯୋଗୀକରଣ, ଉତ୍ପାଦନ କ୍ଷେତ୍ରରେ ଓଡିଶାର ଆତ୍ମନିର୍ଭରତା ଜରୁରୀ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି । ସେହିପରି ଦାଦନ ସମସ୍ୟାକୁ ନେଇ ସେ କହିଥିଲେ ଯେ, ଦୁଇପ୍ରକାର ଦାଦନ ରହିଛନ୍ତି। କେତେକ ଦାଦନ ଯେଉଁମାନେ ନିଜର ବୃତ୍ତି ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି ଏବଂ ଆଉ କେତେକ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଯାଇଥାନ୍ତି। ସେମାନଙ୍କୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରାଯାଉଛି। ରାଜ୍ୟପାଳ କହିଛନ୍ତି ଯେ, ବିଭିନ୍ନ ଯୋଜନାଗୁଡ଼ିକ ନାଗରିକଙ୍କୁ ଆର୍ଥିକ ସୁରକ୍ଷା, ସାମାଜିକ ସୁରକ୍ଷା ଦେବା ସହ ଭବିଷ୍ୟତରେ ଆବଶ୍ୟକତା ପୂରଣ କରି ନାଗରିକ ଜୀବନକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏ ଦିଗରେ ଅଧିକ ସଚେତନତା ସୃଷ୍ଟି ଅଧିକ ଲୋକଙ୍କୁ ସେମାନଙ୍କର ସଞ୍ଚୟ, ପେନ୍ସନ୍ ଏବଂ ସେମାନଙ୍କର ପିଲାମାନଙ୍କ ପାଇଁ ବୀମା କାର୍ଯ୍ୟକ୍ରମରୁ ଲାଭ ପାଇବାକୁ ସକ୍ଷମ କରିପାରିବ, ଯାହା ପ୍ରକାରାନ୍ତରେ ରାଜ୍ୟରେ ପରିବାରଗୁଡ଼ିକର ସ୍ଥିରତା ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ଗଣମାଧ୍ୟମ ଏହି କଲ୍ୟାଣକାରୀ ପଦକ୍ଷେପକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିବେ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମ ଅଧ୍ୟକ୍ଷ ପଦକୁ ନେଇ ରାଜ୍ୟପାଳା କହିଛନ୍ତି ଯେ,ଏହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ମାତ୍ର ଏଠାରେ ଗୋଟିଏ କଥା କହିପାରିବି, ରାଜ୍ୟରେ ବିଭିନ୍ନ ନିଗମ ବୋର୍ଡ ଏବଂ କମିଶନରେ ଖାଲି ଥିବା ପଦବୀ ପୂରଣ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ମୋର ପରାମର୍ଶ ରହିବ। ସେହିପରି ରାଜ୍ୟରେ ପେଶା ଆଇନକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ଏନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି। ମାତ୍ର କାହିଁକି ବିଜ୍ଞପ୍ତି ହେଉନାହିଁ ସେନେଇ ସରକାର ଗୁରୁତ୍ୱ ଦେବାର ରହିଛି। ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଲକ୍ଷ ହାସଲ କରିବାର ସମ୍ଭାବନା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ନିର୍ମାଣ ଓ ଶିଳ୍ପ ବିକାଶକୁ ଗୁରୁତ୍ୱ ଦିଆଯାଉଛି। ରେଳସଂଯୋଗୀକରଣ ଓ ଗମନାଗମନକୁ ତ୍ୱରାନ୍ୱିତ କରିବା ଲାଗି ୮୦ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ରହିଛି। ଏହାସହିତ ସରକାରଙ୍କ ପକ୍ଷରୁ ହୋଇଥିବା ଶିଳ୍ପ ମହାକୁମ୍ଭରେ ୧୨ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ରାଜ୍ୟପାଳ ଆଶା ପୋଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ସଞ୍ଚାଳନା କରିଥିଲେ। କୋରାପୁଟ ସୀମା ବିବାଦ ସମ୍ପର୍କିତ ପ୍ରଶ୍ନକୁ ନେଇ ରାଜ୍ୟପାଳ ହରିବାବୁ କହିଛନ୍ତି ଯେ, ସୀମାବର୍ତ୍ତୀ ଅଞ୍ଚଳର ଲୋକେ ଦୁଇ ରାଜ୍ୟର ସମସ୍ତ ସୁବିଧା ପାଉ ଥାଇପାରନ୍ତି । କିନ୍ତୁ ସୀମା ବିବାଦର ସମାଧାନ କେବଳ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମଧ୍ୟରେ ହିଁ ସମ୍ଭବ ହୋଇପାରିବ। ସେହିପରି ମହାନଦୀର ଜଳବିବାଦକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ନିକଟରେ ଏସଂକ୍ରାନ୍ତରେ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି। ଏକ୍ଷେତ୍ରରେ ମଧ୍ୟ ଉଭୟ ରାଜ୍ୟ ସରକାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ଦିଗରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ସହ ରାଜ୍ୟପାଳ ଓଡିଶାରେ ତାଙ୍କର ଅନୂଭୂତି ସମ୍ପର୍କରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଓଡିଶାର କଳା ଏବଂ କଳା ପ୍ରିୟ ଲୋକଙ୍କ ଦ୍ବାରା ସେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।

Exit mobile version