Utkala Mirror I Odisha News, Latest Odia News

ସ୍ମାର୍ଟ ମିଟର ଲଗାଇବାରେ ସରକାର ୭୩୫ କୋଟି ଖର୍ଚ୍ଚ କରିବେ

ସ୍ମାର୍ଟ ମିଟର ଫେଜ ୱାନ
୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୭୮ ହଜାରରୁ ଅଧିକ ନୂଆ ବିଜୁଳି ସଂଯୋଗ ଦେବାକୁ ଟାର୍ଗେଟ ରଖି ରାଜ୍ୟ ସରକାର ଏହି ସବୁ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ୮ ଲକ୍ଷ ୭୫ ହଜାର ପୁରୁଣା ନନ୍-ସ୍ମାର୍ଟ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଏହାର ବ୍ୟୟ ବହନ କରିବା ପାଇଁ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବେ। କ୍ୟାବିନେଟ୍ର ନିଷ୍ପତ୍ତି ପରେ ଶକ୍ତି ବିଭାଗ ଏ ସଂକ୍ରାନ୍ତରେ ସଂକଳ୍ପ ଜାରି କରିଛନ୍ତି।
ଶକ୍ତି ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂକଳ୍ପରେ କୁହାଯାଇଛି ଯେ, ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାର ନାମ ରଖାଯାଇଛି ‘ଏମ୍ଏମ୍ଏସ୍ବିୱାଇ-ଇନ୍ଷ୍ଟଲେସନ୍ ଅଫ୍ ସ୍ମାର୍ଟ ମିଟର୍ସ ଫେଜ୍-୧’। ଏହା ଅନ୍ତର୍ଗତ ୨ କିଲୋୱାଟ୍ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ୍ (ସିଡି) ଥିବା ଉପଭୋକ୍ତାମାନଙ୍କ ପାଇଁ ସ୍ମାର୍ଟ ମିଟର ସ୍ଥାପନ କରାଯିବ। ଏହି ଉପଭୋକ୍ତାମାନଙ୍କୁ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ ବୋଲି ଓଇଆର୍ସି ଟାରିଫ୍ ଅର୍ଡରରେ ଉଲ୍ଲେଖ କରିଛି।
ସଂକଳ୍ପ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୨ ଲକ୍ଷ ୭୮ ହଜାର ୧୦୦ ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଯିବ ଏବଂ ଏହାର ବ୍ୟୟ ହେବ ୮୮ କୋଟି ଟଙ୍କା। ସେହିପରି ୮ ଲକ୍ଷ ୭୫ ହଜାର ପୁରୁଣା ନନ୍-ସ୍ମାର୍ଟ ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ ଯାହାର ବ୍ୟୟ ୩୪୦ କୋଟି ଟଙ୍କା। ଏହା ଛଡ଼ା ମାର୍ଚ୍ଚ ୨୦୨୫ ପୂର୍ବରୁ ଲଗାଯାଇଥିବା ସ୍ମାର୍ଟ ମିଟରଗୁଡ଼ିକର ଅବଶିଷ୍ଟ ମୂଲ୍ୟ ବାବଦ ୩୦୭ କୋଟି ଟଙ୍କା ବ୍ୟୟ ବହନ କରାଯିବ। ମୋଟ୍ ୭୩୫ କୋଟି ଟଙ୍କାର ଏହି ଅନୁଦାନ ଏସଏଏସସିଆଇ ଫଣ୍ଡରୁ ଯୋଗାଇ ଦିଆଯିବ। ସ୍ମାର୍ଟ ମିଟରଗୁଡ଼ିକ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ ଏବଂ ସମ୍ପୃକ୍ତ ଡିସକମଗୁଡ଼ିକ ଦ୍ୱାରା ପରିଚାଳିତ ଓ ରକ୍ଷଣାବେକ୍ଷଣ କରାଯିବ। ଏହି ଯୋଜନା ଫଳରେ ଏଟିଏଣ୍ଡସି ଲସ୍ ହ୍ରାସ, ବିଲିଂ ଦକ୍ଷତା ବୃଦ୍ଧି, ଉପଭୋକ୍ତା ଅଭିଯୋଗ ହ୍ରାସ ଏବଂ ରିଅଲ୍-ଟାଇମ୍ ଡାଟା ମାଧ୍ୟମରେ ଉନ୍ନତ ପାୱାର ସିଷ୍ଟମ୍ ପ୍ଲାନିଂ ସମ୍ଭବ ହେବ। ଏହା ରୁଫଟପ୍ ସୋଲାର, ପିଏମ୍-କୁସୁମ ଓ ପିଏମ୍-ସୂର୍ଯ୍ୟ ଘର ଭଳି ନବୀକରଣଯୋଗ୍ୟ ଊର୍ଜା ଯୋଜନାଗୁଡ଼ିକର ଏକୀକରଣକୁ ସହଜ କରିବ ବୋଲି ସଂକଳ୍ପରେ ଉଲ୍ଲେଖ କରାଯାଇଛି। ଏହି ଆର୍ଥିକ ସହାୟତା ଉପଭୋକ୍ତାମାନଙ୍କ ଉପରେ କୌଣସି ବୋଝ ନପକାଇ ରାଜ୍ୟରେ ସ୍ମାର୍ଟ ମିଟରିଂକୁ ତ୍ୱରାନ୍ୱିତ କରିବ ବୋଲି ଶକ୍ତି ବିଭାଗର ମୁଖ୍ୟ ସଚିବ ବିଶାଳ କୁମାର ଦେବ ସଂକଳ୍ପରେ ଉଲ୍ଲେଖ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ମାର୍ଟ ମିଟର ସ୍ଥାପନ ପାଇଁ ଅନ୍ୟ ସମସ୍ତ ରାଜ୍ୟ ନିଜ ରାଜକୋଷରୁ ଅର୍ଥ ଖର୍ଚ କରୁନାହାନ୍ତି, ତେଣୁ ଓଡିଶା କାହିଁକି ଖର୍ଚ କରୁଛ ବୋଲି ଶକ୍ତି ସମୀକ୍ଷକ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଆରଡ଼ିଏସଏସ ଯୋଜନାରେ ସ୍ମାର୍ଟ ମିଟର ସ୍ଥାପନ ପାଇଁ ରାଜ୍ୟଗୁଡିକୁ ଆର୍ଥିକ ସହାୟତା ଦେଉଥିବା ବେଳେ ଓଡିଶା କାହିଁକି ତାହାର ଲାଭ ଉଠାଇ ନାହିଁ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି । ସେହିଭଳି ଅନ୍ୟସବୁ ରାଜ୍ୟରେ ସ୍ମାର୍ଟ ମିଟର ଦକ୍ଷତାକୁ ଯାଞ୍ଚ କରିବା ପାଇଁ ବ୍ୟବସ୍ତା ଅଛି। ସରଳ ଭାବେ କହିଲେ ସେମାନଙ୍କ ବିତରଣ କମ୍ପାନୀଗୁଡିକୁକୁ ସିଏଜି ଅଡିଟ କରୁଛନ୍ତି, କିନ୍ତୁ ଓଡିଶାରେ କୌଣସି ଯାଞ୍ଚ ବ୍ୟବସ୍ତା ନାହି। ଓଡିଶା ବିଦ୍ୟୁତ ବିତରଣ ବ୍ୟବସ୍ତା ଘରୋଇକରଣ ହୋଇଥିବାରୁ ସିଏଜି ଅଡିଟ ହେଉନାହିଁ। ଏନେଇ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି ।

Exit mobile version