ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଓ କେନ୍ଦୁଝର ଆନନ୍ଦପୁର ଗସ୍ତ କରି ସେଠାରେ ବ୍ୟାପିଥିବା ଡାଇରିଆ ସ୍ଥିତିର ସମୀକ୍ଷା କରିବେ । ଡାଇରିଆ ବ୍ୟାପିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ବୈଠକ ନେବା ସହ ସ୍ଥିତି ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଥମେ ଯାଜପୁରର ବଡଚଣା, ଧର୍ମଶାଳା, ମଧୁବନ ହସ୍ପିଟାଲ ଯିବେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ସମୀକ୍ଷା କରିବେ । ଏହାପରେ ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦୁଝରର ଆନନ୍ଦପୁର ହସ୍ପିଟାଲରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ରହିଛି । ଝାଡ଼ାବାନ୍ତିରେ ୫୦୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଦାନଗଦି, ଧର୍ମଶାଳାରେ ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ରହିଛି । ଏହାସହ ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଏଥିପାଇଁ ଲୋକମାନଙ୍କୁ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ପରାମର୍ଶ ଦିଆଯାଇଛି । ସର୍ବଦା ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ କୁହାଯାଇଛି । ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରୁ ସହାୟତା ନେବାକୁ ପରାମର୍ଶ ଦିଆଯାଉଛି । ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ ଯିବାକୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି ।