Utkala Mirror I Odisha News, Latest Odia News

ଖୋର୍ଦ୍ଧାରେ ଡ୍ରୋନ୍ ପାର୍କ : ପୁରୀରେ ଦୁଇଟି ୫- ଷ୍ଟାର ହୋଟେଲ ପ୍ରତିଷ୍ଠା ହେବ

 ଓଡ଼ିଶା ୨୦୩୬ର ସ୍ୱପ୍ନକୁ ସାକାର କରିବା ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସରକାର ଶିଳ୍ପ ବିକାଶ ଓ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ୧୩୮ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସଏଲଏସଡବ୍ଲୁସିଏ) ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂଆ ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧ ହଜାର୯୩୩ ନୂଆ ନିଯୁକ୍ତି ସୃଷ୍ଟି କରିବ । ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ମଧ୍ୟରେ ବସ୍ତ୍ର ଓ ପୋଷାକ, ଇସ୍ପାତ ଓ ଡାଉନଷ୍ଟ୍ରିମ ଶିଳ୍ପ, ଖାଦ୍ୟ ଓ ପାନୀୟ, ରସାୟନ, ଔଷଧ, ବିଦ୍ୟୁତ ଓ ନବୀକରଣ ଶକ୍ତି, ଆଇଟି ଓ ଆଇଟିଇଏସ, ପର୍ଯ୍ୟଟନ, ଏବଂ ମହାକାଶ ଓ ପ୍ରତିରକ୍ଷା ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ । ଓଡ଼ିଶାର ବସ୍ତ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରିବା ପାଇଁ, କେପିଆର ମିଲ୍ ଲିମିଟେଡ୍ ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ବିନିଯୋଗ ସହିତ ଏକ ବୃହତ୍‌ ପୋଷାକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ, ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୪୬.୮ ନିୟୁତ ଖଣ୍ଡ ହେବ ଏବଂ ୫,୦୦୦ ନିଯୁକ୍ତି ସୃଷ୍ଟି କରିବ। ସେହିଭଳି ବିଦ୍ୟା ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ୦.୨୧ ଏମଟିପିଏ କ୍ଷମତା ବିଶିଷ୍ଟସଂଯୁକ୍ତ ଇସ୍ପାତ ପ୍ଲାଣ୍ଟ ପାଇଁ ୬୨୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହାଦ୍ବାରା ୫୨୫ ନିଯୁକ୍ତି ସୃଷ୍ଟି ହେବ । ଜଟିଆ ଷ୍ଟିଲ୍ ଲିମିଟେଡ୍ ଯାଜପୁରରେ ଷ୍ଟିଲ ଷ୍ଟ୍ରକ୍ଚର ୟୁନିଟ ପ୍ରତିଷ୍ଠା ପାଇଁ ୪୫୧.୯୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ୧୭୫ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଲିଣ୍ଡେ ଇମ୍ଡିଆ ଲିମିଟେଡ ସୁନ୍ଦରଗଡ ଜିଲ୍ଲାରେ ୫୧୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରି ଶିଳ୍ପ ଗ୍ୟାସ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ, ଯାହାଦ୍ବାରା ୧୦୦ ଜଣଙ୍କୁ ସେଥିରେ ନିଯୁକ୍ତି ମିଳିପାରିବ । ଅମଷ୍ଟେଡ୍ ଷ୍ଟିଲ୍ ଫାଉଣ୍ଡ୍ରିଜ୍ ଖୋର୍ଦ୍ଧାରେ ୨୫୦ କୋଟି ବିନିଯୋଗରେ ରେଳବଗି ନିର୍ମାଣରେ ବ୍ୟବହୃତ ଷ୍ଟିଲ ଫାଉଣ୍ଡରୀ ଉତ୍ପାଦନ ୟୁନିଟ, ମଙ୍କାଶ ଏଣ୍ଟରପ୍ରାଇଜେସ୍ ସୁନ୍ଦରଗଡରେ ୬୬.୨୨ କୋଟି ଟଙ୍କା ବିନିଯୋଗରେ ଷ୍ଟ୍ରକ୍ଚରାଲ ଷ୍ଟିଲ ଫ୍ୟାବ୍ରିକେଶନ ୟୁନିଟ, ଏବଂ ଷ୍ଟିଲୋଗ୍ରାଫ୍ ଆସେଣ୍ଡର୍ସ ସୁନ୍ଦରଗଡରେ ପାଇପ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ସେହିଭଳି ହିନ୍ଦୁସ୍ତାନ ଆକ୍ୱା ପ୍ରାଇଭେଟ୍ ଲିମିଟେଡ୍ ସୁନ୍ଦରଗଡ଼ରେ ୩୨୦ କୋଟି ଟଙ୍କା ବିନିଯୋଗ ସହ ଏକ ବ୍ରିଭେରେଜ ୟୁନିଟ ପ୍ରତିଷ୍ଠା କରି ୨୫୦ ନିଯୁକ୍ତି ସୃଷ୍ଟି କରିବ । ପ୍ରଗତି ମିଲ୍କ ପ୍ରୋଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ବାଲେଶ୍ୱରରେ ୧୧୪.୩୪ କୋଟି ଟଙ୍କା ବିନିଯୋଗ ସହ ଏକ ଡାଏରୀ ୟୁନିଟ ପ୍ରତିଷ୍ଠା କରିବ, ଏହାଦ୍ବାରା ୬୭୪ ଜଣଙ୍କୁ ନିଯୁକ୍ତି ମିଳିପାରିବ । ସ୍ଥାୟୀ ଓ ବିଳାସପୂର୍ଣ୍ଣ ପର୍ଯ୍ୟଟନ ଉପରେ ଓଡ଼ିଶାର ଗୁରୁତ୍ୱ ବୃଦ୍ଧି ପାଇଛି। ଏଥିଲାଗି ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ ଓ ଗଞ୍ଜାମରେ ୪୭୯ କୋଟି ଟଙ୍କାର ୬ଟି ପ୍ରିମିୟମ ଆତିଥ୍ୟ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ପୁରୀରେ ଜଗନ୍ନାଥ କରପୋରେସନ ୧୨୦ କୋଟି ବିନିଯୋଗରେ ୫ ତାରକା ହୋଟେଲ ଏବଂ ରିସର୍ଟ ପ୍ରତିଷ୍ଠା କରିବ । ସେହିଭଳି ଗଜପତିରେ ୧୦୦ କୋଟି ଟଙ୍କା ବିନିଯୋଗ କରି ପ୍ରତ୍ୟାକାଶ ଇଷ୍ଟେଟ୍ସ ପ୍ରାଇଭେଟ ଲିମିଟେଡ ହୋଟେଲ ଆଣ୍ଡ ରିସର୍ଟ, ପୁରୀରେ ହୋଟେଲ ପାଲ ରେଜେନ୍ସି ପ୍ରାଇଭେଟ ଲିମିଟେଡ ୮୩ କୋଟି ଟଙ୍କା ପୁଞ୍ଜିବିନିଯୋଗ କରି ୫ ତାରକା ହୋଟେଲ, ନୟାଗଡରେ ଅର୍କଶ୍ରୀ ହସ୍ପିଟାଲିଟି ଆଣ୍ଡ ଟୁରିଜିମ ପ୍ରାଇଭେଟ ଲିମିଟେଡ ୭୦.୬୨ କୋଟି ବିନିଯୋଗରେ ୩ ତାରକା ରିସର୍ଟ, ଦାରିଙ୍ଗବାଡିରେ ଦ ୱାଲ୍ଡ ହୋଟେଲ ପ୍ରାଇଭେଟ ଲିମିଟେଡ ୫୪.୫୦ କୋଟି ଟଙ୍କା ବିନିଯୋଗରେ ୩ ତାରକା ରିସର୍ଟ ଓ ଗଞ୍ଜାମ ତପ୍ତପାଣିରେ ଦ ୱାଲ୍ଡ ହୋଟେଲ ପ୍ରାଇଭେଟ ଲିମିଟେଡ ୫୧.୦୯ କୋଟି ଟଙ୍କା ବିନିଯୋଗରେ ୩ ତାରକା ରିସର୍ଟ ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପଗୁଡିକ ଦ୍ବାରା ୧,୩୫୨ ନିଯୁକ୍ତି ସୃଷ୍ଟି କରାଯାଇପାରିବ ଏବଂ ଓଡ଼ିଶାକୁ ଏକ ଉଚ୍ଚମାନର ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରାଯାଇପାରିବ । ସେହିଭଳି ବନଭି ଟେକ୍ନୋଲୋଜୀ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ବିନିଯୋଗ ସହ ଏକ ଭବିଷ୍ୟତମୁଖୀ ଡ୍ରୋନ୍ ପାର୍କ ପ୍ରତିଷ୍ଠା କରିବ, ଯାହା ଗବେଷଣା, ଉତ୍ପାଦନ ଓ ତାଲିମ ପାଇଁ ଏକ ସଂଯୁକ୍ତ ୟୁଏଭି ଇକୋସିଷ୍ଟମ ହେବ ଏବଂ ଏହାଦ୍ବାରା ୭୬୦ ନିଯୁକ୍ତି ସୃଷ୍ଟି କରାଯାଇପାରିବ । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଭାରତରେ ଡ୍ରୋନ୍ ପ୍ରଯୁକ୍ତିରେ ଓଡ଼ିଶାକୁ ଅଗ୍ରଣୀ କରିବ । ଇକୋଡାଇନାମିକ୍ସ ଗ୍ରୀନ୍ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ବରଗଡ଼ରେ ୧୦୦ କୋଟି ଟଙ୍କା ବିନିଯୋଗ ସହ ୩୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଲୁମିନସ୍ ପାୱାର ଟେକ୍ନୋଲୋଜୀସ୍ ପ୍ରାଇଭେଟ୍ ଲିମିଟେଡ୍ ଗୋପାଳପୁରରେ ୧.୨ ଗିଗାୱାଟ ସୌର ସେଲ୍ ଓ ୧ ଗିଗାୱାଟ ସୌର ପିଭି ମଡ୍ୟୁଲ ଉତ୍ପାଦନ ୟୁନିଟ ପାଇଁ ୯୫୦ କୋଟି ଟଙ୍କା ବିନିଯୋଗ କରିବ, ଯାହା ୧,୦୦୦ ଲୋକଙ୍କୁ ନିଯୁକ୍ତି ଦେଇପାରିବ । ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ରେ ଏକ ଏୟାର ସେପାରେସନ୍ ୟୁନିଟ ପ୍ରତିଷ୍ଠା କରିବ। ଗ୍ରୋଇଙ୍ଗ ଟ୍ରୀ ଅଏଲ ରିଫାଇନାରୀ ପ୍ରାଇଭେଟ୍ ଲିମିଟେଡ୍ ବରଗଡ଼ରେ ଏକ ସଲଭେଣ୍ଟ ଏକ୍ସଟ୍ରାକସନ୍ ଇଉନିଟ୍ ପ୍ରତିଷ୍ଠା କରିବ । ସିନ୍ନାଟ ଫାର୍ମା ପ୍ରାଇଭେଟ୍ ଲିମିଟେଡ୍ କଟକରେ ୧୦୦ କୋଟି ଟଙ୍କା ବିନିଯୋଗ ସହ ଏକ ଏପିଆଇ ଉତ୍ପାଦନ ଇଉନିଟ୍ ପ୍ରତିଷ୍ଠା କରିବ । ଆପମୋସିସ୍ ଟେକ୍ନୋଲୋଜୀସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୬୫ କୋଟି ଟଙ୍କା ବିନିଯୋଗ ସହ ଏକ ସଫ୍ଟୱେୟାର ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ୧୫୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ଡିଜିଟାଲ ଓ ଆଇଟି ସେବା କ୍ଷେତ୍ରରେ ଓଡ଼ିଶାର ବର୍ଦ୍ଧିଷ୍ଣୁ ଆକର୍ଷଣକୁ ପ୍ରଦର୍ଶିତ କରୁଛି ।

Exit mobile version