ରାଜ୍ୟ କ୍ୟାବିନେଟର ୨୪ ତମ ବୈଠକରେ ୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ଓଡ଼ିଶା ଆଇଟି ନୀତି-୨୦୨୫ର ଅନୁମୋଦନ ସହିତ ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମ୍ୟାନୁଫ୍ୟାକ୍ଚରିଂ ନୀତି ୨୦୨୫ ଏବଂ ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଓଡ଼ିଶା ଆଇଟି ନୀତି-୨୦୨୫ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା, ଆଇଟି ଇକୋସିଷ୍ଟମ୍କୁ ମଜବୁତ୍ କରିବା ଏବଂ ସରକାରୀ ସେବାରେ ଦକ୍ଷତା ବୃଦ୍ଧି କରିବା । ଏହି ନୀତି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଏନାଲିଟିକ୍ସ୍ ଭଳି ଆଧୁନିକ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବ। ଏହା ସରକାରୀ ଶାସନକୁ ମଜବୁତ୍ କରିବା ସହ ସାର୍ବଜନୀନ ସେବାର ମାନ ବୃଦ୍ଧି କରିବ ଏବଂ ଏକ ଡିଜିଟାଲ୍ ସମାବେଶୀ ସମାଜ ଗଠନରେ ସହାୟକ ହେବ। ନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ଆଇଟି/ଆଇଟିଇଏସ୍ କ୍ଷେତ୍ରରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା । ଏଥିପାଇଁ ଆରଏଣ୍ଡଡି (ରିସର୍ଚ୍ ଏଣ୍ଡ ଡେଭଲପମେଣ୍ଟ୍), ଏଆଇର ବିଭିନ୍ନ କ୍ଷେତ୍ରରେ ଏକତ୍ରୀକରଣ, ଏକାଡେମିକ୍ ଏବଂ ଷ୍ଟାର୍ଟଅପ୍ ସହ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ନୀତିରେ ଆଇଟି ପାର୍କ, ଆଇଟି ଟାୱାର୍ ଏବଂ ଏସ୍ଇଜେଡ୍ (ସ୍ପେସିଆଲ୍ ଇକୋନମିକ୍ ଜୋନ୍) ଭଳି ବିଶ୍ୱସ୍ତରୀୟ ଅନୁକୂଳ ପରିବେଶ ସୃଷ୍ଟି କରାଯିବ। ସାଇବର୍ ସିକ୍ୟୁରିଟି, ଡାଟା ଏନାଲିଟିକ୍ସ୍, ୫ଜି/ମୋବାଇଲ୍ ଟେକ୍, ଆଇଓଟି, ଏଆର/ଭିଆର୍, କ୍ଲାଉଡ୍ କମ୍ପ୍ୟୁଟିଂ, ଡିପ୍ ଲର୍ଣ୍ଣିଂ, ବ୍ଲକ୍ଚେନ୍, ଏଆଇ ଏବଂ ଏମ୍ଏଲ୍ ଭଳି ଉଦୀୟମାନ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦିଆଯିବ। ବିନିଯୋଗକାରୀ ଆକର୍ଷଣ ପାଇଁ ପୁଞ୍ଜି ଏବଂ ବ୍ୟାଜ ସବସିଡି, ଜମି ଏବଂ ଭଡ଼ା ସହାୟତା, ଏସଜିଏସଟି ରିଫଣ୍ଡ୍ ଭଳି ଅନେକ ବ୍ୟବସାୟ ଅନୁକୂଳ ପ୍ରୋତ୍ସାହନ ଯୋଜନା ରହିଛି। ଏହାଛଡ଼ା ଉପଯୋଗିତା ଚାର୍ଜ ମୁକ୍ତି, ମାର୍କେଟିଂ ସହାୟତା, ପେଟେଣ୍ଟ୍ ରେଜିଷ୍ଟ୍ରେସନ୍ ପ୍ରୋତ୍ସାହନ ଏବଂ ଦକ୍ଷତା ବିକାଶ, ଇଣ୍ଟର୍ନସିପ୍, ସେଣ୍ଟର୍ ଅଫ୍ ଏକ୍ସଲେନ୍ସ (ସିଓଇ), କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ବିକାଶ ପାଇଁ ଆର୍ଥିକ ସହାୟତା ମିଳିବ।
ବଡ଼ ଏବଂ ମେଗା ଆଇଟି ବିନିଯୋଗ ପାଇଁ ବିଶେଷ ପ୍ରୋତ୍ସାହନ, କୋ-ୱର୍କିଂ ସ୍ପେସ୍ ବିକାଶ ଏବଂ ନିଯୁକ୍ତି ସହାୟତା ମଧ୍ୟ ରହିଛି । ଏକ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ଏବଂ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ସହ ଭାଗିଦାରୀ ବ୍ୟବସାୟର ସୁଗମତାକୁ ବଢ଼ାଇବ। ନୀତି କାର୍ଯ୍ୟକାରୀ ପାଇଁ ଏକ ପଲିସି ଆଡଭୋକେସି ଏଣ୍ଡ ଭିଜନ୍ ଗ୍ରୁପ୍ (ପିଏଭିଜି) ଗଠନ କରାଯିବ, ଯାହା ଏକାଡେମିକ୍, ଇଣ୍ଡଷ୍ଟ୍ରି ଏବଂ ରିସର୍ଚ୍ ବିଶେଷଜ୍ଞଙ୍କୁ ନେଇ ଏକ ଥିଙ୍କ ଟ୍ୟାଙ୍କ ଭାବେ କାର୍ଯ୍ୟ କରିବ। ଓଡ଼ିଶା କମ୍ପ୍ୟୁଟର୍ ଆପ୍ଲିକେସନ୍ ସେଣ୍ଟର୍ (ଓକାକ) ନୋଡାଲ୍ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବ ଏବଂ ଇ ଏଣ୍ଡ ଆଇଟି ବିଭାଗ ନିୟମିତ ରିଭ୍ୟୁ କରି ଆବଶ୍ୟକ ସଂଶୋଧନ କରିବ। ଏହି ନୀତି ବିଶ୍ୱସ୍ତରୀୟ ବ୍ୟବସାୟକୁ ଓଡ଼ିଶାକୁ ଆକର୍ଷଣ କରିବ, ଅର୍ଥନୈତିକ ବୃଦ୍ଧି ଘଟାଇବ, ନିଯୁକ୍ତି ସୃଷ୍ଟି କରିବ ଏବଂ ପ୍ରଯୁକ୍ତି ନବୀକରଣକୁ ପ୍ରୋତ୍ସାହନ ଦେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
କ୍ୟାବିନେଟ୍ ବୈଠକରେ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ୧୭ତମ ବିଧାନସଭାର ୪ର୍ଥ ଅଧିବେଶନର ପ୍ରସ୍ତାବ ଅନୁମୋଦିତ ହୋଇଛି।