ଜଟାଧାର ମୁହାଣରେ ରାଜ୍ୟର ପ୍ରଥମ କ୍ୟାପଟିଭ ଜେଟି

ରାଜ୍ୟରେ ପ୍ରଥମ କ୍ୟାପଟିଭ ଜେଟି ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ସହ ଆଜି ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷରିତ କରିଛନ୍ତି । ପାରାଦୀପ ବନ୍ଦରଠାରୁ ମାତ୍ର ଅଳ୍ପ ଦୂର ଜଟାଧାର ମୁହାଣ ନିକଟରେ ଏହି ଜେଟି ନିର୍ମାଣ ହେବ । ପୂର୍ବରୁ ଏହିଠାରେ ଜେଟି ନିର୍ମାଣ ନିମନ୍ତେ ଦକ୍ଷିଣ କୋରିଆର ପସ୍କୋ କମ୍ପାନୀକୁ ସମ୍ମତି ମିଳିଥିଲା, ମାତ୍ର ବିରୋଧ ଯୋଗୁ ପସ୍କୋ ଏହି ପ୍ରକଳ୍ପରୁ ଓହରି ଯାଇଥିଲା । ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପଟିଭ୍ ଜେଟି ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର(ଏମଓୟୁ) ହୋଇଛି । ୫୨ ମିଲିୟନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨୧୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ସେହିଭଳି ୧୬୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତି ନିମନ୍ତେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ । ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଆଗାମୀ ଦିନରେ ଇଂଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି । ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କଂପାନୀ ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଗୋପାଳପୁର ବନ୍ଦର ଲିମିଟେଡ୍ (ଆଦାନୀ ପୋର୍ଟସ) ଏବଂ ଜେଏସଡବ୍ଲ୍ୟୁ ଷ୍ଟିଲର ଉଭୟ ବନ୍ଦର ବିକାଶ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଖ୍ୟାତି ରହିଛି । ଏହି ଦୁଇଟି କଂପାନୀ ଆମର ବନ୍ଦର ଭିତ୍ତିକ ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିବେ ଏବଂ ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮୪୫୦ ନିଯୁକ୍ତି ସୃଷ୍ଟି