Utkala Mirror I Odisha News, Latest Odia News

ଜମିଜମା ବିବାଦ ସମସ୍ୟା ସମାଧାନ: ଡିମାର୍କେସନ ଆବେଦନ ପ୍ରକ୍ରିୟା

ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ) ପ୍ରକ୍ରିୟାକୁ ସଂପୂର୍ଣ୍ଣ ଅନଲାଇନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ପୁରୁଣା ମାନୁଆଲ ପ୍ରଣାଳୀରେ ଥିବା ଅସ୍ୱଚ୍ଛତା, ବିଳମ୍ବ ଓ ଦୁର୍ନୀତିର ଅଭିଯୋଗକୁ ଦୂର କରାଯାଇପାରିବ ବୋଲି ବିଭାଗ ଆଶା ରଖିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସମସ୍ତ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ଓ ସମସ୍ତ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଜାରି କରିଛନ୍ତି । ଏହି ଚିଠିରେ ରେକର୍ଡଧାରୀଙ୍କ ଅନୁମୋଦିତ ଜମିର ସୀମା ନିର୍ଦ୍ଧାରଣ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜମି ସୀମା ବିବାଦ, ବେଆଇନ ଦଖଲ ରୋକିବା ଓ ଜମି କ୍ରୟ-ବିକ୍ରୟ ପ୍ରକ୍ରିୟାକୁ ସୁଗମ କରିବାରେ ଏହି ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ହେବ । ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ନିୟମାବଳୀ ୧୯୬୨ର ନିୟମ ୩୨ ଓ ୩୮ ଅନୁଯାୟୀ ତହସିଲଦାରଙ୍କୁ ମୁଖ୍ୟ ଅଫିସର ଭାବେ ଏହି ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହା ଅଫଲାଇନ୍ ବା ମାନୁଆଲ ଆବେଦନ କରାଯାଉଥିବାରୁ ସ୍ୱଚ୍ଛତାର ଅଭାବ, ତାରିଖ ନିର୍ଦ୍ଧାରଣରେ ଅନିୟମିତତା ଓ ଅମିନଙ୍କ କାର୍ଯ୍ୟକୁ ନେଇ ଅଭିଯୋଗ ଆସୁଥିଲା। ସୀମା ନିର୍ଦ୍ଧାରଣ ପରେ ବି ବିବାଦ ରହିଯାଉଥିଲା ଏବଂ ରେକର୍ଡଧାରୀଙ୍କୁ ଦଖଲ ମିଳୁ ନ ଥିଲା। ଏହାଦ୍ବାରା ଏହି ସମ୍ପର୍କିତ ଜନଅଭିଯୋଗ ସର୍ବାଧିକ ବିଭାଗକୁ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ବିଭାଗ ଏକ ବିସ୍ତୃତ ଅନଲାଇନ୍ ଏସ୍ଓପି ଜାରି କରିଛନ୍ତି । ଏହା ଅନୁଯାୟୀ ଏବେ ଆବେଦନକାରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନଲାଇନ୍ ସେବା ପୋର୍ଟାଲରେ ଆବେଦନ କରି ନିଜେ ଡିମାର୍କେସନ ତାରିଖ ଓ ସ୍ଲଟ୍ ବୁକ୍ କରିପାରିବେ। ଏହା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଟ୍ରାକେବୁଲ ହେବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଏହି ନୂଆ ଏସ୍ଓପି କଡ଼ାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଏହି ନୂଆ ଅନଲାଇନ୍ ସେବା ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ଭାବେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଆବେଦନକାରୀ ଘରେ ବସି ରାଜସ୍ୱ ବିଭାଗର ଅନଲାଇନ୍ ପୋର୍ଟାଲରେ ଆବେଦନ କରି ନିଜେ ମାପ ତାରିଖ ଓ ସମୟର ସ୍ଲଟ୍ ବୁକ୍ କରିପାରିବେ। ଅନଲାଇନ୍ ଆବେଦନ ପାଇଁ ଆବେଦନକାରୀ ବିଭାଗର ଅନଲାଇନ୍ ପୋର୍ଟାଲରେ ଇ-କେୱାଇସି ଯାଞ୍ଚ ପରେ ଆବେଦନ ଦାଖଲ କରିବେ। ଏକାଥରେ କେବଳ ଗୋଟିଏ ହୋଲ୍ଡିଂରେ ଥିବା ମୁଖ୍ୟ ପ୍ଲଟ୍ ଓ ତା’ ସହ ଲାଗିଥିବା ପ୍ଲଟଗୁଡ଼ିକର ଡିମାର୍କେସନ ପାଇଁ ଆବେଦନ କରାଯାଇପାରିବ। ଆବେଦନ ବେଳେ ନୂଆ ଆରଓଆର୍ (ରେକର୍ଡ ଅଫ୍ ରାଇଟ୍ସ) ନକଲ, ପୁରୁଣା ସେଟଲମେଣ୍ଟ ମ୍ୟାପ୍ ବା ରେଜିଷ୍ଟ୍ରି ଡକ୍ୟୁମେଣ୍ଟରେ ଲାଗିଥିବା ଟ୍ରେସ୍ ମ୍ୟାପ, ଡେଭଲପମେଣ୍ଟ ଅଥରିଟି ଅଞ୍ଚଳରେ ଥିଲେ ଲେଆଉଟ୍ ପ୍ଲାନ୍, କୋର୍ଟରୁ କୌଣସି ନିଷେଧନିର୍ଦ୍ଦେଶ ନଥିବା ଏବଂ କୌଣସି ସିଭିଲ ମାମଲା ନଥିବା ସ୍ୱୟଂ ଘୋଷଣାନାମା, ହିତାଧିକାରୀଙ୍କ ନାମ, ମୋବାଇଲ ନମ୍ବର, ଇ-ମେଲ୍, ଠିକଣା ଡକ୍ୟୁମେଣ୍ଟ ପ୍ରଦାନ କରିବେ । ଏହା ସହ ପ୍ରତି ପ୍ଲଟ୍କୁ ୮୦୦ ଟଙ୍କା ୟୁଜର ଚାର୍ଜ ଦେବାକୁ ପଡ଼ିବ। ସରକାରୀ ବିଭାଗ ବା ଅଦାଲତ ଆଦେଶରେ ହେଲେ ତହସିଲଦାର ନିଜେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିପାରିବେ। ଆବେଦନ ଦାଖଲ ସମୟରେ ନିଜେ ଉପଲବ୍ଧ ତାରିଖ ଓ ସମୟର ସ୍ଲଟ୍ ବୁକ୍ କରିପାରିବେ। ଥରେ ବୁକ୍ ହୋଇଗଲେ ଟଙ୍କା ଫେରସ୍ତ ବା ପରବର୍ତ୍ତୀ ତାରିଖକୁ ବଦଳାଇ ହେବ ନାହିଁ। କୌଣସି ବିରୋଧ ନଥିଲେ ତହସିଲଦାର ସ୍ଲଟ୍କୁ ନିଶ୍ଚିତ କରିଦେବେ। ଡିମାର୍କେସନ ପ୍ରକ୍ରିୟା ଅନଲାଇନ୍ ଆବେଦନ ଆସିଲେ ଅଟୋ-ନମ୍ବର ଜେନେରେଟ୍ ହେବ, ତହସିଲଦାର ଡକ୍ୟୁମେଣ୍ଟ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ଏସଓପିରେ ଦର୍ଶାଯାଇଛି । ୭ ଦିନ ଭିତରେ ବିରୋଧ ରେକର୍ଡ କରିବାକୁ ନୋଟିସ୍ ଜାରି ହେବ। ଶୁଣାଣି ପରେ ତହସିଲଦାର ନିର୍ଦ୍ଦେଶ ଦେବେ ଏବଂ ଆରଆଇ/ଏଆରଆଇ/ଆମିନ/ଲାଇସେନ୍ସଡ୍ ସର୍ଭେୟରଙ୍କୁ ସମସ୍ତ ହିତାଧିକାରୀଙ୍କ ଉପସ୍ଥିତିରେ ମାପ କରିବାକୁ ନିର୍ଦ୍ଦେଶ ଦେବେ । ମାପ ତାରିଖ କଡ଼ା ଭାବେ ଫର୍ଷ୍ଟ-କମ୍-ଫର୍ଷ୍ଟ-ସର୍ଭଡ୍ ଭିତ୍ତିରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସକୁ ଜଣାଇ ଦିଆଯିବ।

Exit mobile version