ବର୍ଦ୍ଧିତ ଦରମା ନନେବା ପ୍ରସଙ୍ଗ , ନବୀନଙ୍କୁ ସମାଲୋଚନା 

କଂଗ୍ରେସ କହିଲା, ପଲିଟିକାଲ୍ ଷ୍ଟଣ୍ଟ
ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିବା ପରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ଏହାକୁ ବିଜେଡିର ଦ୍ୱିମୁଖୀ ନୀତି ଓ ରାଜନୈତିକ ଷ୍ଟଣ୍ଟ ବୋଲି ଅଭିହିତ କରିଛନ୍ତି।
ଶ୍ରୀ ସାଉନ୍ତା କହିଛନ୍ତି ଯେ, ବିଧାନସଭାରେ ଦରମା ବୃଦ୍ଧି ବିଲ୍ ପାସ୍ ହେବା ସମୟରେ ବିଜେଡିର ସମସ୍ତ ବିଧାୟକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଉପସ୍ଥିତ ରହି ବିଲ୍କୁ ସମର୍ଥନ କରିଥିଲେ। ବିଜେଡି ଦଳ ଦରମା ବୃଦ୍ଧିକୁ ଠିକ୍ ବୋଲି କହିଥିବା ବେଳେ ଏବେ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା କଥା କହି ରାଜନୈତିକ ଷ୍ଟଣ୍ଟ କରୁଛନ୍ତି। ଏହା ଦଳ ଭିତରେ ମିସ୍ କମ୍ୟୁନିକେସନ୍ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ଆହୁରି କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ରହିଛି। ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ତାଙ୍କ ପିତା ବିଜୁ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେ ଦରମା ନେଇ ନ ପାରିବେ। କିନ୍ତୁ ପୂର୍ବତନ ବିଧାୟକମାନଙ୍କ ପାଇଁ ଏହି ଦରମା ବୃଦ୍ଧି ଏକ ବରଦାନ ସଦୃଶ। ନବୀନ ବାବୁ ଦ୍ୱିମୁଖୀ ନୀତି ନ କରି ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ଉଚିତ୍ ବୋଲି ସାଉନ୍ତା ମତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ବିଧାନସଭାରେ ସମସ୍ତ ଦଳର ସମର୍ଥନରେ ବିଧାୟକଙ୍କ ଦରମା ଓ ଭତ୍ତା ପ୍ରାୟ ତିନିଗୁଣ ବୃଦ୍ଧି କରାଯାଇଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ଚିଠିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ବର୍ଦ୍ଧିତ ଦରମା ନ ନେବା କେବଳ ରାଜନୀତି : କେ ଭି ସିଂଦେଓ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବର୍ଦ୍ଧିତ ଦରମା ନ ନେବା ଘୋଷଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ବିବାଦ ଲାଗି ରହିଛି। ଏହାକୁ କେବଳ ରାଜନୈତିକ ଗୋଟି ଚାଳନା ଓ ଡ୍ରାମା ବୋଲି କହି ବିଜେପିର ନେତାମାନେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ଆଉ କିଛି ନୁହେଁ, କେବଳ ରାଜନୀତି। ବିଧାନସଭାରେ ଦରମା ବୃଦ୍ଧି ବିଲ୍ ଆଲୋଚନା ସମୟରେ ନବୀନ ବାବୁଙ୍କୁ ନିଜ ମତ ରଖିବାର ପୂର୍ଣ୍ଣ ସୁଯୋଗ ଥିଲା। କିନ୍ତୁ ସେ କାହିଁକି ବିଧାନସଭାକୁ ଆସିଲେ ନାହିଁ ଏବଂ କାହିଁକି ନିଜ ବିରୋଧ ପ୍ରକାଶ କରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଏକ ରାଜନୈତିକ ଷ୍ଟଣ୍ଟ ବୋଲି ସିଂଦେଓ କହିଛନ୍ତି।
ଅନ୍ୟପଟେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ନବୀନ ବାବୁ ବହୁତ ଧନୀ ବ୍ୟକ୍ତି, ତାଙ୍କୁ ଏହି ବର୍ଦ୍ଧିତ ଦରମାର ଆବଶ୍ୟକତା ନାହିଁ ଏବଂ ଏହା ସବୁ ଡ୍ରାମା। ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ଓଡ଼ିଶାରେ ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି ଏବଂ ଏହାର ତଦନ୍ତ ହେବା ଦରକାର। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ବିଧାନସଭାରେ ବାରମ୍ବାର ଦରମା ବୃଦ୍ଧିର ଦାବି କରିଥିଲେ ଏବଂ ନବୀନ ବାବୁଙ୍କର ତାହାକୁ ସମର୍ଥନ ରହିଥିଲା। ନବୀନଙ୍କ ପିତା ବିଜୁ ପଟ୍ଟନାୟକ ଏକ ଟଙ୍କା ଦରମା ନେଉଥିଲେ, କିନ୍ତୁ ଯଦି ନବୀନ ବାବୁ ଏହି ନୀତିକୁ ନିଜ ଦଳ ପାଇଁ ଲାଗୁ କରିଥାନ୍ତେ ତାହା ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ମିଶ୍ର ଆହୁରି ପ୍ରଶ୍ନ କରିଛନ୍ତି ଯେ, ବିଧାନସଭା ଅଧିବେଶନର ଶେଷ ଦିନରେ ନବୀନ ବାବୁ କାହିଁକି ଉପସ୍ଥିତ ରହିଲେ ନାହିଁ। ସେ ବିଲ୍ ଆଲୋଚନାରେ ଭାଗ ନେଇ ବିରୋଧ କରି ପାରିଥାନ୍ତେ। ଯଦି ବିରୋଧ କରିଥାନ୍ତେ ତେବେ ସରକାର ବିଲ୍କୁ ପ୍ରତ୍ୟାହାର କରି ନେଇଥାନ୍ତେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ଗଣେଶ୍ବର କହିଲେ, ବିଜେଡି ସହମତି ଦେଇଛି
ନବୀନଙ୍କ ଆଦର୍ଶଗତ ନିଷ୍ପତ୍ତି 
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବର୍ଦ୍ଧିତ ଦରମା ନ ନେବା ନିଷ୍ପତ୍ତିକୁ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଆଦର୍ଶଗତ ନିଷ୍ପତ୍ତି ବୋଲି କହିଛନ୍ତି। ଏହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହି ଦଳ ତରଫରୁ ଦରମା ବୃଦ୍ଧିକୁ ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସ୍ପଷ୍ଟ କରିଛନ୍ତି।
ଶ୍ରୀ ବେହେରା ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଦଳକୁ ବର୍ଦ୍ଧିତ ଦରମା ନ ନେବା ବିଷୟରେ ଅବଗତ କରାଇଛନ୍ତି ଏବଂ ଏହା ତାଙ୍କର ଆଦର୍ଶଗତ ନିଷ୍ପତ୍ତି। ସେ ଅର୍ଥ ଲୋଭରୁ ଦୂରେଇ ରହିଛନ୍ତି ଏବଂ ତାଙ୍କର ତ୍ୟାଗର ଅନେକ ଉଦାହରଣ ରହିଛି। ନବୀନ ପଟ୍ଟନାୟକ ଅନ୍ୟମାନଙ୍କ ଭଳି ଦରମା ଉପରେ ନିର୍ଭରଶୀଳ ନୁହନ୍ତି ବୋଲି ସେ କହିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଅଟେ।
ଦରମା ବୃଦ୍ଧି ପ୍ରସଙ୍ଗରେ ବେହେରା କହିଛନ୍ତି ଯେ, ବିଜେଡି ଏହାକୁ ଦାବି କରିଥିଲା ଏବଂ ବିଲ୍କୁ ସମର୍ଥନ କରିଥିଲା। ତେଣୁ ଏହାକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ। ସେ ଏବଂ ପ୍ରମିଳା ମଲ୍ଲିକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଦରମା ବୃଦ୍ଧି ଯଥାର୍ଥ ଏବଂ ଏହାର ଯୁକ୍ତି ରହିଛି ବୋଲି ସେ ମତ ଦେଇଛନ୍ତି। ୨୦୧୮ ପରେ ୨୦୨୫ରେ ଏହି ବୃଦ୍ଧି ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ଥିଲା। ସାଂସଦଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି। ଆନୁଷଙ୍ଗିକ ଖର୍ଚ୍ଚ ବଢ଼ିବା ଯୋଗୁଁ ବିଧାୟକମାନେ କଷ୍ଟରେ ଚଳୁଛନ୍ତି। ଅନ୍ତତଃ ସମ୍ମାନର ସହ ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତା ଦରକାର ବୋଲି ସେ କହିଛନ୍ତି।
ଜନସାଧାରଣଙ୍କ ଅସନ୍ତୋଷ ପ୍ରସଙ୍ଗରେ ବେହେରା କହିଛନ୍ତି ଯେ, ଲୋକେ କହିବାର ଅଧିକାର ରଖନ୍ତି, କିନ୍ତୁ ସେମାନେ ବୁଝିବା ଦରକାର ଯେ ଦରମା ବୃଦ୍ଧି ପଛରେ ଯୁକ୍ତି ରହିଛି। ରାଷ୍ଟ୍ରପତି ୧୦ ଲକ୍ଷ ଟଙ୍କା ଏବଂ ରାଜ୍ୟପାଳ ୫ ଲକ୍ଷ ଟଙ୍କା ଦରମା ପାଆନ୍ତି, କେହି ତାହାକୁ ପ୍ରଶ୍ନ କରନ୍ତି ନାହିଁ ବୋଲି ସେ ଉଦାହରଣ ଦେଇଛନ୍ତି।