Utkala Mirror I Odisha News, Latest Odia News

କ୍ୟାବିନେଟ ରେ ୭ଟି ନିଷ୍ପତ୍ତି, ୩୦୦ କୋଟିରେ ହେବ ୩୮ଟି ମଡେଲ୍ ମଣ୍ଡି

ରାଜ୍ୟରେ ଧାନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ସହ ଗୋଟିଏ ଛାତ ତଳେ ଚାଷୀ,ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗିଦାରୀମାନଙ୍କୁ କାରବାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ‘ମଡେଲ୍ ମଣ୍ଡି’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ହେବ ଓ ଏବାବଦରେ ୩୦୦କୋଟି ଟଙ୍କା ବ୍ୟୟ କରାଯିବ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ଆଜିର କ୍ୟାବିନେଟ୍ ବୈଠକରେ ମୋଟ ୬ଟି ବିଭାଗର ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେବା ସହ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମଧ୍ୟ ଜାରି ହୋଇଛି ।

ଚାଷୀଙ୍କୁ ଗୋଟିଏ ଛାତ ତଳେ ତା’ର ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମ ଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ‘ମଡେଲ ମଣ୍ଡି’ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ ଆଦି କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଣ୍ଡି ବିକଶିତ କରାଯିବ । ଏଥିରେ ୧୪ଟି ବୃହତ୍, ୧୭ଟି ମଧ୍ୟମ ଓ ୭ଟି କ୍ଷୁଦ୍ର ମଣ୍ଡି ସାମିଲ ଅଛି । ଏହି ମଣ୍ଡିଗୁଡ଼ିକର ନିର୍ମାଣ କାର୍ଯ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବ । ଏହି ନିର୍ମାଣ କାର୍ଯ୍ୟର ତଦାରଖ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସମା ବୋର୍ଡ) ଏକ ସେଲ୍ ଗଠନ କରି କରିବ । ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ୩୮ଟି ମଡେଲ୍ ମଣ୍ଡି ସ୍ଥାପନ ପାଇଁ ସମବାୟ ବିଭାଗ ୩୦୦କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରିଛି । ଆରଏମସିଗୁଡ଼ିକର ନିଜସ୍ୱ ଅର୍ଥରୁ ୧୫୦କୋଟି ଓ ବାକି ରାଜ୍ୟ ସରକାର ୧୫୦କୋଟି ଟଙ୍କା ଦେବେ । ଚଳିତବର୍ଷ ବଜେଟରେ ୫୦କୋଟି ଟଙ୍କା ସରକାର ବ୍ୟବସ୍ଥା କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬୨ଟି ଏଭଳି ମଣ୍ଡି ଖୋଲିବା ଚୟନ ପ୍ରକ୍ରିୟା ଜାରି ରହିଛି ।

Exit mobile version