ଓଡ଼ିଶାରେ ନୂଆ ଏନଏସି (ନୋଟିଫାଇଡ୍ ଏରିଆ କାଉନସିଲ୍) ଘୋଷଣାକୁ ନେଇ ରାଜ୍ୟ ରାଜନୀତି ଉତ୍ତପ୍ତ ହୋଇଛି। ଏନଏସି ଘୋଷଣାକୁ ନେଇ ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ୍ ବିଜେପି ସରକାର ଦଳୀୟ ରାଜନୀତି କରି ଘୋଷଣା କରିବାର ଅଭିଯୋଗ ଆଣିଥିବା ବେଳେ ଶାସକ ବିଜେପି ପୂର୍ବତନ ବିଜେଡ଼ି ସରକାର କେବଳ ଘୋଷଣା କରି ଲୋକଙ୍କୁ ଧୋକା ଦେଇଥିଲେ ବୋଲି ପାଲଟା ଅଭିଯୋଗ କରିଛି।
ବିଜେଡ଼ି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷିତ ୫୬ ଏନଏସି ମଧ୍ୟରୁ ମାତ୍ର ୧୨ଟିକୁ ସାମିଲ କରି ୨୮ଟି ଘୋଷଣା କରାଯାଇଥିବା କହି ଅବଶିଷ୍ଟ ୪୨ଟିକୁ ବାଦ୍ ଦେବାକୁ ନେଇ କଡ଼ା ସମାଲୋଚନା କରିଛି ଏବଂ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। କଂଗ୍ରେସ୍ ପକ୍ଷରୁ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଦଳୀୟ ଭିତ୍ତିରେ ଏନଏସି ଚୟନ କରିଛନ୍ତି। ସେ କହିଛନ୍ତି ଯେ, ରାୟଗଡ଼ା ଜିଲ୍ଲାର ବିଷମକଟକ ଏବଂ ଲକ୍ଷ୍ମୀପୁର ପାଇଁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଏଗୁଡ଼ିକୁ ଅଣଦେଖା କରାଯାଇଛି। ସମସ୍ତ ଦଳର ବିଧାୟକଙ୍କ ଦାବିକୁ ଅଗ୍ରାଧିକାର ଦିଆଯାଇ ଥିଲେ ଭଲ ହୋଇଥାନ୍ତା, କିନ୍ତୁ ସରକାର ନିଜ ଦଳର ବିଧାୟକ ଏବଂ ସାଂସଦଙ୍କୁ ସୁହାଇବା ଭଳି କରିଛନ୍ତି। ଏହାକୁ ଦୃଢ଼ ନିନ୍ଦା କରିବା ସହ ଅଞ୍ଚଳର ସ୍ୱାର୍ଥ ହାସଲ ପାଇଁ ବିଧାନସଭା ଭିତରେ ଏବଂ ବାହାରେ ଆନ୍ଦୋଳନ କରିବୁ ବୋଲି ସେ କହିଛନ୍ତି।
ଏହି ଅଭିଯୋଗଗୁଡ଼ିକର ଜବାବରେ ସରକାର ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସାଧାରଣ ଲୋକ ଏବଂ ବିଧାୟକମାନଙ୍କ ଦାବି ଆଧାରରେ ଯୋଗ୍ୟ ଅଞ୍ଚଳଗୁଡ଼ିକୁ ଘୋଷଣା କରାଯାଇଛି। ଉଦାହରଣ ସ୍ୱରୂପ ସାଲେପୁରକୁ ଘୋଷଣା କରାଯାଇଛି, ଯାହା କିଏ ଜିତିଛି ତାହା ଦେଖାଯାଉ। ବିଜେପି ଜିତିଥିବା ଅଞ୍ଚଳରେ ଏଭଳି କିଛି ନାହିଁ। ପୂର୍ବ ସରକାର ଘୋଷଣା କରିଥିଲେ ମଧ୍ୟ କାହିଁକି କାର୍ଯ୍ୟକାରୀ କରିନଥିଲେ, ସେମାନେ କେତେ ବର୍ଷ କ୍ଷମତାରେ ଥିଲେ? ନିର୍ବାଚନ ବେଳେ ଘୋଷଣା କରି କେବଳ ଭୋଟ୍ ରାଜନୀତି ପାଇଁ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ଆବଶ୍ୟକତା ଥିବା ଅଞ୍ଚଳରେ ଘୋଷଣା ହୋଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବିଜେଡ଼ିର ଅଭିଯୋଗର କଡ଼ା ଜବାବ ଦେଇ କହିଛନ୍ତି ଯେ, ପୂର୍ବ ବିଜେଡ଼ି ସରକାର ଘୋଷଣା କରି କାହିଁକି କାର୍ଯ୍ୟକାରୀ କରିନଥିଲେ? ଯଦି କରିଥାନ୍ତେ ବଡ଼ ପଦକ୍ଷେପ ହୋଇଥାନ୍ତା। ବିଜେପି ସରକାର ଦେଢ଼ ବର୍ଷ ହୋଇନି, କିନ୍ତୁ ଆବଶ୍ୟକତା ଥିବା ଅଞ୍ଚଳରେ ପ୍ରସ୍ତାବକୁ ପରୀକ୍ଷା କରି ଘୋଷଣା କରାଯାଇଛି। କୌଣସି ରାଜନୀତି କିମ୍ବା ପାତର ଅନ୍ତର ନାହିଁ । ସରକାର ଓଡ଼ିଶାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଏହା କରିଛି । ଘୋଷିତ ଅଞ୍ଚଳରେ ବିଜେଡ଼ି କିମ୍ବା ଅନ୍ୟ ଦଳର ଲୋକ ନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ବିଜେଡ଼ିର ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, ପୂର୍ବ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କରିଥିଲେ। ଆମ ସରକାର ଏହାକୁ ତର୍ଜମା କରି କିପରି ଏନଏସି ହୋଇପାରିବ ତାହାର କାର୍ଯ୍ୟ ଆରମ୍ଭ କରିଛି ଏବଂ ଘୋଷଣା କରିଛି।