Utkala Mirror I Odisha News, Latest Odia News

ଆଜିଠାରୁ ରାଜ୍ୟରେ ଧାନ କିଣା ଆରମ୍ଭ

ନଭେମ୍ବର ୨୫ ତାରିଖଠାରୁ ଓଡ଼ିଶାରେ ଖରିଫ ଧାନ କିଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟ ସରକାର ଧାନ କିଣାର ଟାର୍ଗେଟକୁ ବଢ଼ାଇଛନ୍ତି। ଚାଷୀଙ୍କୁ କୌଣସି ଅସୁବିଧା ନ ହେବାକୁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ, ଶୌଚାଳୟ, ବସିବା ଓ ବିଶ୍ରାମ ଭଳି ସମସ୍ତ ସୁବିଧାର ବ୍ୟବସ୍ଥା କରାଯାଇଛି। ମଣ୍ଡିରେ ୨୪ ଘଣ୍ଟିଆ ସିସିଟିଭି ନଜରଦାରି ସହ ସମସ୍ତ କାର୍ଯ୍ୟ ସ୍ୱଚ୍ଛତାର ସହ ସମ୍ପନ୍ନ ହେବ ବୋଲି ସରକାର ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇ କହିଛନ୍ତି ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏଥର ଧାନ କିଣା ପ୍ରକ୍ରିୟାକୁ ଆହୁରି ସୁଗମ ଓ ସ୍ୱଚ୍ଛ କରାଯାଇଛି। ଲଘୁଚାପ ପ୍ରଭାବରେ ବର୍ଷା ବେଶି ହେବ ନାହିଁ। ଯଦି ସାମାନ୍ୟ ବର୍ଷା ହୁଏ ତେବେ ମଧ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି। ଚାଷୀଙ୍କ ଧାନରେ କ୍ଷତି ହେବ ନାହିଁ। କଟନି-ଛଟନି ଭଳି ଅଭିଯୋଗକୁ ଏଡ଼ାଇବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି ଏବଂ ଏଥର ଏହା ଉପରେ ସରକାରଙ୍କର ତୀକ୍ଷ୍ଣ ନଜର ରହିବ। ରାଜ୍ୟରେ ୩,୧୩୪ଟି ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଓ ଲ୍ୟାମ୍ପସ୍ ସହ ୧,୪୧୯ଟି କଷ୍ଟମ୍ ମିଲର ଧାନ ସଂଗ୍ରହରେ ସାମିଲ ହେବେ। ମିଲରମାନଙ୍କୁ ଠିକ୍ ସମୟରେ ଗାଡ଼ି ପହଞ୍ଚାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ଅଭିଯୋଗ ପାଇଁ ଓଡ଼ିଶା ଖାଦ୍ୟ ଯୋଗାଣ ନିଗମର ଟୋଲ୍ ଫ୍ରି ନମ୍ବର ୧୯୬୭ ସକ୍ରିୟ ରହିବ। ପୋଲିସ ବିଭାଗ ମଧ୍ୟ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲି ନିୟମିତ ପାଟ୍ରୋଲିଂ କରିବ। ବାହାର ରାଜ୍ୟରୁ ଧାନ ଓଡ଼ିଶାକୁ ନ ଆସିବାକୁ ପ୍ରତି ମଣ୍ଡିରେ କଡ଼ା ନଜର ରଖାଯିବ। ଜିଲ୍ଲାପାଳମାନେ ପ୍ରତିଦିନ କେତେ ଚାଷୀ କେତେ ଧାନ ବିକ୍ରି କଲେ ତା’ର ତଥ୍ୟ ସଂଗ୍ରହ କରିବେ। ରାଜସ୍ୱ, ସମବାୟ, ପରିବହନ, ଯୋଗାଣ ଓ ପୋଲିସ୍ ବିଭାଗ ସହ ଆନ୍ତଃବିଭାଗୀୟ ସମନ୍ୱୟ ରକ୍ଷା କରାଯାଇ ଧାନ କିଣାକୁ ସୁଚାରୁ ରୂପେ ସମ୍ପନ୍ନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାମନ୍ତ କହିଛନ୍ତି ।

Exit mobile version